ନୂଆଦିଲ୍ଲୀ: ପଞ୍ଜାବ ସିନେମା ଜଗତରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅନେକ ଦିନ ହେବ ମୃତ୍ୟୁ ସହ ସଂଘର୍ଷ କରିକରି ଶେଷରେ ହାରିଯାଇଛନ୍ତି କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା। ସୁରିନ୍ଦର ୬୪ବର୍ଷ ବୟସରେ ଲୁଧିୟାନାର ଡିଏମସିଏଚ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରି ଦୁନିଆକୁ ଅଲବିଦା କହିଛନ୍ତି।
ସୂଚନାଯୋଗ୍ୟ, କଣ୍ଠଶିଳ୍ପୀ ସୁରିନ୍ଦର ସିନ୍ଦା ଗତ ଏକମାସ ହେବ ଭେଣ୍ଟିଲେଟରରେ ଥିଲେ। କିଛିଦିନ ପୂର୍ବରୁ ତାଙ୍କର ଏକ ସାଧାରଣ ଅସ୍ତ୍ରୋପଚାର ହୋଇଥିଲା। ଦୁର୍ଭାଗ୍ୟବଶତଃ ଏହି ଅସ୍ତ୍ରୋପଚାର ପରେ ସୁରିନ୍ଦର ସଂକ୍ରମଣର ଶିକାର ହୋଇଥିଲେ। ଧୀରେଧୀରେ ଏହି ସଂକ୍ରମଣ ବଢ଼ି ଯାଇଥିଲା। କଣ୍ଠଶିଳ୍ପୀଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ତେଣୁ ତାଙ୍କୁ ସଙ୍ଗେସଙ୍ଗେ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତୀ ନଆସିବାରୁ ସୁରିନ୍ଦରଙ୍କୁ ଡିଏମସିଏଚ, ଲୁଧିୟାନା ସ୍ଥାନାନ୍ତର କରି ଦିଆଯାଇଥିଲା। ଏଠାରେ ଡାକ୍ତର ଅନେକ ଚେଷ୍ଟା କରିଥିଲେ ହେଁ ସୁରିନ୍ଦରଙ୍କୁ ବଞ୍ଚାଇ ପାରି ନଥିଲେ।
ବାପାଙ୍କ ମୃତ୍ୟୁ ପରେ ସୁରିନ୍ଦର ସିନ୍ଦାଙ୍କ ପୁଅ ମନିନ୍ଦର ସିନ୍ଦା ଏକା ପଡ଼ି ଯାଇଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ଓ କଣ୍ଠଶିଳ୍ପୀଙ୍କ ଫ୍ୟାନ୍ସମାନଙ୍କୁ ସୁରିନ୍ଦରଙ୍କ ମୃତ୍ୟୁ ଖବର ଝଟକା ଦେଇଛି। ସେମାନେ ସୋସିଆଲ ମିଡିଆ ଜରିଆରେ ଶୋକ ପ୍ରକାଶ କରିବା ସହିତ କଣ୍ଠଶିଳ୍ପୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।