ସିଦ୍ଧୁ ମୁସେୱାଲାଙ୍କ ପରେ କଣ୍ଠଶିଳ୍ପୀ ବବ୍ବୁ ମାନଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ପଞ୍ଜାବର ଆଇନ ବ୍ୟବସ୍ଥାକୁ ନେଇ ସାରା ଦେଶରେ ଚର୍ଚ୍ଚା। ସରକାର ବଦଳିବା ଏବଂ ଆପ୍ ସରକାର ଆସିବା ପରଠାରୁ ରାଜ୍ୟରେ ଅପରାଧ ବଢ଼ିଛି। କିଛି ମାସ ପୂର୍ବରୁ ପଞ୍ଜାବର ଜଣେ ଗ୍ୟାଙ୍ଗଷ୍ଟର ଦ୍ୱାରା ଲୋକପ୍ରିୟ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯାଇଥିଲା। ଏହା ପରେ ସୁଧୀର ସୁରୀ ଏବଂ ପରେ ଡେରା ପ୍ରେମୀ ସନ୍ଦୀପଙ୍କୁ ମଧ୍ୟ ହତ୍ୟା କରାଯାଇଥିଲା। ଏବେ ପଞ୍ଜାବୀ କଣ୍ଠଶିଳ୍ପୀ ବବ୍ବୁ ମାନଙ୍କୁ ଫୋନ କରି ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିଛି। ବବ୍ବୁ ମାନଙ୍କୁ ହତ୍ୟା ଧମକ ମିଳିବା ପରେ ଏବେ ତାଙ୍କ ଘର ବାହ‌ାରେ ସୁରକ୍ଷା ବଢ଼ାଇଛି ପୁଲିସ।

କୁହାଯାଉଛି ଯେ ବବ୍ବୁ ମାନଙ୍କୁ ଫୋନ୍ ମାଧ୍ୟମରେ ଏହି ଧମକ ମିଳିଛି। ଏହି ଧମକ ବମ୍ବିହା ଗ୍ୟାଙ୍ଗର ସଦସ୍ୟମାନେ ବବ୍ବୁ ମାନଙ୍କୁ ଦେଇଛନ୍ତି। ତେବେ ପୁଲିସ ପକ୍ଷରୁ ଏହି ଘଟଣାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ। ମିଳିଥିବା ସୂଚନା ମୁତାବକ, ବବ୍ବୁ ମାନଙ୍କୁ ହତ୍ୟା କରିବା ପାଇଁ ବମ୍ବିହା ଗ୍ୟାଙ୍ଗ କୌଣସି ଅପରାଧିକ ମାମଲା ନଥିବା ନାବାଳକଙ୍କୁ ଏକତ୍ରିତ କରୁଛି। ଏବେ ସେମାନଙ୍କୁ ହତ୍ୟା କରିବା ପାଇଁ ତାଲିମ ଦେଉଛି ଗ୍ୟାଙ୍ଗ।

ଉଲ୍ଲେଖଯୋଗ୍ୟ, ବବ୍ବୁ ମାନଙ୍କ ପ୍ରକୃତ ନ‌ାଁ ହେଲା ତେଜିନ୍ଦର ସିଂହ ମାନ। ଫତେହଗଡ ସାହିବର ଖାଣ୍ଟ ଗ୍ରାମରେ ଜନ୍ମଗ୍ରହଣ କରିଥିବା ବବ୍ବୁ ପଞ୍ଜାବରୁ ଅଧ୍ୟୟନ ସମାପ୍ତ କରିଥିଲେ। ଏହା ପରେ ‌ସେ ୧୯୯୮ମସିହାରେ ସଙ୍ଗୀତ ଜଗତରେ ପ୍ରବେଶ କରିଥିଲେ। ତାଙ୍କର ପ୍ରଥମ ଗୀତ ‘ସାଜନ ରୁମାଲ ଦେ ଗୟା’ ଥିଲା। ଆରମ୍ଭରୁ ବବ୍ବୁଙ୍କର ସମସ୍ତ ଗୀତ ହିଟ୍ ହୋଇଥିଲା, କିନ୍ତୁ ସେ ୨୦୦୧ରେ ରିଲିଜ ‌ହୋଇଥିବା ‘ସୌନ୍ ଦି ଝଡି’ ଗୀତରୁ ଲୋକପ୍ରିୟତା ପାଇଥିଲେ। ବବ୍ବୁ ଗୀତ ଗାଇବା ସୖ ଅଭିନୟ ମଧ୍ୟ କରିଛନ୍ତି। ସେ ୨୦୦୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ହବାଏଁ’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର