ପୁରୀ: ସଞ୍ଜୟଲୀଲା ଭଂସାଲିଙ୍କ ନିର୍ଦ୍ଦେଶିତ ଅପ୍‌କମିଂ ଚଳଚ୍ଚିତ୍ର ‘ପଦ୍ମାବତୀ’ ବହୁ ଭାବରେ ସମାଲୋଚିତ ହେବା ପରେ ସୋମବାର ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଏହି ଚଳଚ୍ଚିତ୍ର ବିରୋଧରେ ନିଜର ମତ ରଖିଛନ୍ତି। ସେ କହିଛନ୍ତି, ‘ଏହି ଚଳଚ୍ଚିତ୍ରରେ ଇତିହାସକୁ ବିକୃତ କରାଯାଇଛି। ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ରାଣୀ ପଦ୍ମାବତୀ ବା ପଦ୍ମିନୀ ହେଉଛନ୍ତି ବାସ୍ତବରେ ଜଣେ ସତୀ ନାରୀ। ତାଙ୍କ ଚରିତ୍ରକୁ ଏଭଳି ଭାବେ କଦର୍ଥ କରିବା ଅନୁଚିତ। ମୋର ମନେହୁଏ ଏହା ଏକ ବିଦେଶୀ ଷଡ଼ଯନ୍ତ୍ର। ଦେଶର ସଂସ୍କୃତି ସଂପର୍କରେ ଚିନ୍ତା ନ କରି ଯେଉଁ ଚଳଚ୍ଚିତ୍ର ନିର୍ମାତା ଏପରି କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସଂସ୍କୃତିକୁ କଦର୍ଥ କରିବା କେତେ ବଡ଼ ଭୁଲ୍‌ ତାହା ସେ ନିଜେ ଅନୁତାପ କରନ୍ତୁ।’ ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟିରେ ବିଦେଶୀ ପୁଞ୍ଜି ନିବେଶ ହୋଇଛି ବୋଲି ନିକଟରେ ଖବର ପ୍ରକାଶ ପାଇଛି।

Advertisment

publive-image

ସୂଚନାଯୋଗ୍ୟ, ଗତକାଲି ଭଂସାଲିଙ୍କ ଅଫିସ୍‌ ସମ୍ମୁଖରେ ଅଖଣ୍ଡ ରାଜପୁତନା ସେବା ସଂଘର କର୍ମୀମାନେ ‘ପଦ୍ମାବତୀ’ ରିଲିଜ୍‌ ନ କରିବା ପାଇଁ ଧମକ ଦେଇ ବିରୋଧ ପ୍ରକଟ କରିଥିଲେ। ସଂଘର କର୍ମୀମାନେ ବିରୋଧ ପ୍ରକଟ କରୁଥିବା ବେଳେ ପୁଲିସ୍‌ ସେମାନଙ୍କୁ ଗିରଫ କରିଥିଲା। ସୋମବାର ନିର୍ଦ୍ଦେଶକ ଭଂସାଲି ଅଖଣ୍ଡ ରାଜପୁତନା ସେବା ସଂଘର ଏକ ସ୍ପେସାଲ୍‌ ଟିମ୍‌କୁ ‘ପଦ୍ମାବତୀ’ ଦେଖାଇବା ପାଇଁ ରାଜି ହୋଇଛନ୍ତି। ତେବେ, ଏହି ସ୍କ୍ରିନିଂ ଚଳିତ ମାସ ୧୫ରୁ ୧୮ ତାରିଖ ମଧ୍ୟରେ ଆୟୋଜିତ ହେବ।

ଚଳଚ୍ଚିତ୍ରଟି ଆରମ୍ଭରୁ ହିଁ ବିଭିନ୍ନ କାରଣରୁ ବିବାଦ ପରିସରଭୁକ୍ତ ହୋଇଛି। ଏପରିକି ଦୀପାବଳିରେ ଚଳଚ୍ଚିତ୍ର ଚରିତ୍ରରେ ଥିବା ଦୀପିକାଙ୍କ ଏକ ରଙ୍ଗୋଲୀକୁ କର୍ଣ୍ଣି ସେନା ନଷ୍ଟ କରି ଦେଇଥିଲେ। ନିକଟରେ ‘ପଦ୍ମାବତୀ’ର ରିଲିଜ ଉପରେ ନିଷେଧାଦେଶ  ଦାବି କରି ଚିତୌରଠାରେ ଏକ ଗଣଧାରଣା ମଧ୍ୟ କରାଯାଇଥିଲା। ଏପରିକି ନିକଟରେ ରିଲିଜ ହୋଇଥିବା ଦୀପିକାଙ୍କ ‘ଘୁମର’ ନୃତ୍ୟରେ ମଧ୍ୟ ତ୍ରୁଟି ପରିଲିକ୍ଷିତ ହୋଇଛି ବୋଲି ଅଭିଯୋଗ ହୋଇଛି।   ନୃତ୍ୟରେ ଦୀପିକାଙ୍କ ଦୀପ, ଓଢ଼ଣା ଧରିବାର ଶୈଳୀ ଏବଂ ନୃତ୍ୟ ଭଙ୍ଗୀରେ ଭିନ୍ନତା ରହିଛି ଏବଂ ଏହା ରାଜସ୍ତାନୀ ସଂସ୍କୃତିକୁ ଅପମାନିତ କରୁଛି ବୋଲି ଦାବି ହୋଇଛି।