ଗଲା ବୁଧବାର ଓଡ଼ିଆ ଫିଲ୍ମ ‘ପୁଷ୍କରା’ ୫୦ ଦିନ ପୂରଣ କରିଛି। ଏକାଧିକ ସିନେମା ହଲ୍‌ରେ ଫିଲ୍ମଟି ଲଗାତାର ଭାବେ ଏଯାଏ ଚାଲିଛି। ଏଠାରେ ଉଲ୍ଲେଖନୀୟ ଯେ, ‘ପୁଷ୍କରା’ ଯେତେବେଳେ ରିଲିଜ୍ ହୋଇଥିଲା, ସେତେବେଳେ ଶାହରୁଖ୍ ଖାଁଙ୍କ ଫିଲ୍ମ ‘ଜବାନ୍’ର ରାଜ୍‌ ଚାଲିଥିଲା ହଲ୍‌ଗୁଡ଼ିକରେ, ଓଡ଼ିଶାରେ ମଧ୍ୟ। ସେ ସମୟରେ ‘ପୁଷ୍କରା’କୁ ରିଲିଜ୍ କରିବା ହଲ୍‌ ମାଲିକମାନଙ୍କ ପାଇଁ ଗୋଟେ ବଡ଼ ରିସ୍କ ଥିଲା। କିନ୍ତୁ କିଛି ହଲ୍‌ ସେ ରିସ୍କ ନେଇଥିଲେ। ତା’ର ସୁଫଳ ମଧ୍ୟ ଅବିଳମ୍ବେ ମିଳିଲା। ଅଳ୍ପ କେତେଟି ହଲ୍‌ ଓ ସୋ’ରୁ ଆରମ୍ଭ ହୋଇ ‘ପୁଷ୍କରା’ ଆଶାତୀତ ସଫଳତା ପାଇଲା- ହଲ୍‌ ସଂଖ୍ୟା ବଢ଼ିଲା, ସୋ’ର ମଧ୍ୟ। କେବଳ ଓଡ଼ିଶା ନୁହେଁ, ଓଡ଼ିଶା ବାହାରେ ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ ସମେତ ତାମିଲନାଡୁର ଅନ୍ୟ ସହରରେ ମଧ୍ୟ ଫିଲ୍ମଟି ସଫଳତାର ସହିତ ଚାଲିଲା। ଆଜି ମଧ୍ୟ ଭୁବନେଶ୍ବରର ଏକାଧିକ ମଲ୍‌ଟିପ୍ଲେକ୍ସ ଓ ବେଙ୍ଗାଲୁରୁରେ ଏହା ପ୍ରଦର୍ଶିତ ହେଉଛି। ‘ପୁଷ୍କରା’ର ୫୦ ଦିନ ପୂର୍ତ୍ତି ଅବସରରେ ଏହାର ନାୟକ ସବ୍ୟସାଚୀଙ୍କ ସହିତ ଏକ ଆଳାପ...

Advertisment

l ‘ପୁଷ୍କରା’ ୫୦ ଦିନ ପୂରଣ କରିବାର ଅନୁଭବ କ’ଣ?
ଫିଲ୍ମଟି ୫୦ ଦିନ ପୂରଣ କରିବାବେଳେ ମୋ’ର ମନେ ପଡ଼ିଯାଉଛି ‘ପୁଷ୍କରା’ର କାମ ଆରମ୍ଭ ସମୟରେ ଯେଉଁ ପ୍ରଶ୍ନ କେବଳ ମତେ ବା ଏ ଫିଲ୍ମ ସହିତ ସଂପୃକ୍ତ ଲୋକଙ୍କୁ ନୁହେଁ, ସାରା ଓଡ଼ିଆ ଫିଲ୍ମ ଜଗତକୁ ଘାରୁଥିଲା- ସତେ କ’ଣ ଓଡ଼ିଆ ଫିଲ୍ମ ଆଉଥରେ ମୁଣ୍ଡଟେକି ଠିଆ ହୋଇପାରିବ? ସତେ କ’ଣ ଦର୍ଶକମାନେ ଓଡ଼ିଆ ଫିଲ୍ମ ଦେଖିବାକୁ ହଲ୍‌କୁ ଫେରିବେ? ‘ପୁଷ୍କରା’ର ସଫଳତା କେବଳ ସଂପୃକ୍ତ କଳାକାର ବା ପ୍ରାଯୋଜକ/ନିର୍ଦ୍ଦେଶକଙ୍କର ସଫଳତା ନୁହେଁ, ଏହା ଓଡ଼ିଆ ଫିଲ୍ମର ସଫଳତା। ଏଥିରୁ ଶିକ୍ଷା ମିଳିଛି ଯେ ଭଲ ସିନେମା ପାଇଁ କେବେ ଦର୍ଶକଙ୍କ ଅଭାବ ହୁଏନି। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଯେତେ ଶୀଘ୍ର ଏଇ କଥାଟିକୁ ବୁଝିବ ଓ ମୌଳିକ ଓଡ଼ିଆ କାହାଣୀକୁ ନେଇ ସିନେମା କରିବ, ସେତେ ଭଲ। ଏ ଫିଲ୍ମଟିରୁ ଏଇ ସୂଚନା ମିଳିଛି। ମୁଁ ଏଥିରୁ ନୂଆ ଆଶା ଓ ସମ୍ଭାବନା ପାଇଛି।

l ସାଧାରଣତଃ ବ୍ୟବସାୟିକ ଫିଲ୍ମର ରୋମାଣ୍ଟିକ୍ ଅଭିନେତା ଭାବେ ଏକ ଭଲ ପରିଚୟ ଥିବାବେଳେ ଏ ଭଳି ଏକ ଫିଲ୍ମରେ ଅଭିନୟ କରିବା ଆପଣଙ୍କ ପାଇଁ ଗୋଟେ ରିସ୍କ ଥିଲା...
ନିହାତି ଭାବେ ମୋ’ର ପରିଚୟ ହେଉଛି ବ୍ୟବସାୟିକ ଫିଲ୍ମର ଅଭିନେତା। କିନ୍ତୁ ଯେତେବେଳେ ଗୋଟେ ପରିବର୍ତ୍ତନକୁ ଦର୍ଶକମାନେ ଅପେକ୍ଷା କରିଥିଲେ, ମୁଁ ଦେଖିଲି ସେଥିପାଇଁ ପ୍ରଥମେ ମୋ’ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିବ। ମୁଁ ଚିନ୍ତାକଲି, ଯାହା ମୁଁ କରି ଆସୁଥିଲି ବା ଯାହା ମୋ’ର ପରିଚୟ ପାଲଟି ଯାଇଥିଲା; ତା’ଠୁ କିଛି ଅଲଗା ମତେ କରିବାକୁ ପଡ଼ିବ। ଆଉ ସେଇଥିପାଇଁ ଆମେ ‘ପୁଷ୍କରା’ କଥା ଚିନ୍ତା କରିଥିଲୁ। ହଁ, ସେଥିରେ ରିସ୍କ ତ ଥିଲା। କାରଣ ଜୀବନରେ କେବେ ଜିନ୍ସ ବା ଟି-ସାର୍ଟ ପିନ୍ଧି ନଥିବା ଜଣେ ଲୋକକୁ ମୁଖ୍ୟ ଚରିତ୍ରରେ ନେଇ ତିଆରି ହୋଇଥିବା ଏକ ବ୍ୟବସାୟିକ ଫିଲ୍ମକୁ ଯେ ଦର୍ଶକ ଦେଖିବେ, ଏମିତି ଗୋଟେ ମଶାଣିର କାହାଣୀକୁ ସେମାନେ ସିନେମା ହଲ୍‌ରେ ବରଦାସ୍ତ କରିବେ; ତା’କୁ ନେଇ କେହି ଶତପ୍ରତିଶତ ନିଶ୍ଚିତ ନ ଥିଲେ। ‌ତେଣୁ ବଡ଼ ରିସ୍କ ଥିଲା। କିନ୍ତୁ କୋଉଠି ନା କୋଉଠି ଲାଗୁଥିଲା ଯେ ମଳିନ ପଡ଼ି ଯାଇଥିବା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଯଦି କୌଣସି କଥା ଆଉ ଥରେ ସତେଜ କରି ପାରିବ, ତା’ ହେଉଛି ଓଡ଼ିଆ ସାହିତ୍ୟ। ସେଇ ବିଶ୍ବାସ ଓ ଭରସାରେ ଆମେ ଏଇ ପରିବର୍ତ୍ତନ ଆଉ ରିସ୍କକୁ ଗ୍ରହଣ କରିଥିଲୁ।

l ‘ପୁଷ୍କରା’ର ସୁଟିଂ ସମୟରେ ନିଶ୍ଚିତ ଭାବେ କିଛି ଅଲଗା ଅଭିଜ୍ଞତା ହୋଇଥିବ...
ହଁ, ଯେହେତୁ ‘ପୁଷ୍କରା’ରେ ଅନେକ ନୂଆକଥା ଅଛି ଓ ମୁଁ କଳାକାର ଭାବେ ଏଥିରେ ଅନେକ ନୂଆ କାମ କରିଛି, ତେଣୁ ଏ ଫିଲ୍ମର ସୁଟିଂ ସମୟରେ ଅନେକ ନୂଅ‌ା ଅଭିଜ୍ଞତା ଓ ଅନୁଭବ ହୋଇଛି। କିନ୍ତୁ ଯଦି ମତେ ଗୋଟିଏ ଅନୁଭୂତି କଥା ପଚାରିବେ, ତେବେ ମୁଁ କହିବି- କୋକେଇରେ ବାରମ୍ବାର ଶୋଇବାର ତଥା କୋକେଇରେ ବାରମ୍ବାର ବୁହାହୋଇ ଯିବାର ଅନୁଭୂତି। କାରଣ ‘ପୁଷ୍କରା’ର ଜୀବନ ହେଉଛି - ସେ ପ୍ରତିଦିନ ମରେ, ବା ଯେଉଁ ଲୋକଟି ମରିଯାଇଛି, ତା’ର ପ୍ରେତ ବା ଆତ୍ମାର ଶାନ୍ତି ପାଇଁ ସେ ମୃତକର ଅଭିନୟ କରି କୋକେଇରେ ବୁହାହୋଇ ମଶାଣିକୁ ଯାଏ। ସେଥିପାଇଁ ମୁଁ ବାରମ୍ବାର ଶବର ଅଭିନୟ କରୁଥିଲି ଓ କୋକେଇରେ ମଶାଣିକୁ ବୁହାହୋଇ ଯାଉଥିଲି। ସେ ଅଭିଜ୍ଞତା କେବେ ଭୁଲି ହେବନି। ମୁଁ ସେ ଅନୁଭବକୁ ଭାଷାରେ ବର୍ଣ୍ଣନା କରି ପାରିବିନି। ମୁଁ ଖାଲି ଏତିକି କହିପାରିବି ଯେ କୋକେଇରେ ଶୋଇ ଶୋଇ ବୁହାହୋଇ ଯିବାବେଳେ ଲାଗୁଥିଲା, ମ‌େତ ଜୀବନର ପ୍ରକୃତ ଅର୍ଥ ଓ ମୂଲ୍ୟ ଜଣାପଡୁଛି! ଧନୀ ହେଉ କି ଗରିବ, ମଣିଷ ଯେବେ କୋକେଇରେ ବୁହାହୋଇ ଯାଏ, ସେ ହୋଇଯାଏ ଶୂନ୍ୟ, ନିଃସ୍ବ। ସେତେବେଳେ ଲାଗେ- ସବୁଲୋକ ସମାନ। ଆମେ ଯେମିତି ଆସିଥିଲୁ, ସେମିତି ଯାଉ। ବଞ୍ଚିଥିବା ସମୟରେ ଆମେ ଗର୍ବକରୁ, ଝଗଡ଼ା କରୁ, ଫୁଟାଣି ମାରୁ। କିନ୍ତୁ ଭୁଲିଯାଉ ଯେ ଆମେ ଖାଲି ହାତରେ ଆସିଥିଲୁ ଓ ସେମିତି ଖାଲି ହାତରେ ଚାଲିଯିବୁ...

l  ଏ ଫିଲ୍ମରେ କାମ କରିବା ଆପଣଙ୍କୁ ବ୍ୟକ୍ତିଗତ ଭାବେ କିଛିଟା ବଦଳାଇଛି କି?
ଯେମିତି କହିଲି ପୂର୍ବରୁ, ଏ ଫିଲ୍ମର ନିର୍ମାଣ ଅବସରରେ ଜୀବନର ଅର୍ଥ ଓ ଲକ୍ଷ୍ୟ ସଂପର୍କରେ ମୁଁ କିଛିଟା ଅବଗତ ହେଇଛି ବୋଲି ଅନୁଭବ ହେଉଛି। ମୁଁ ଅବଗତ ହେଇଛି ଯେ ଜୀବନ ଓ ମୃତ୍ୟୁ ଭିତରେ ଖୁବ୍ ସାମାନ୍ୟ ସମୟ। ସେଇ ସାମାନ୍ୟ ସମୟଟିକୁ ଆମେ କଳି ଝଗଡ଼ା ବା ସେମିତି ଅନ୍ୟ କଥାରେ ନଷ୍ଟ କରିବା ଉଚିତ ନୁହେଁ। ‌ଜୀବନଦର୍ଶନରେ ଭରପୂର ଏ ଫିଲ୍ମରେ ଥିବା ଅନେକ ସଂଳାପ ମତେ ଆଜିଯାଏ ବୁଡ଼ାଇ ରଖିଛି। ଏସବୁ ମତେ ଗୋଟେ ଉଚ୍ଚତର ଜୀବନଦର୍ଶନ ସହିତ ପରିଚିତ କରିଛି ବୋଲି ମୁଁ ଭାବୁଛି।

l ‘ପୁଷ୍କରା’ର ସଫଳତା କ’ଣ ଶିଖାଇଛି?
‘ପୁଷ୍କରା’ର ସଫଳତା ନିହାତି ଭାବେ ବହୁତ କିଛି ଶିଖାଇଛି। ତେବେ ତା’ଠୁ ବଡ଼ କଥା ହେଉଛି, ଏ ଫିଲ୍ମଟି ଗୋଟେ ନୂଆ ବାଟ ଦେଖାଇଛି। ଆଉ ସେଇ ବାଟଟି ହେଉଛି, କେମିତି ସିନେମା ନୂଆପିଢ଼ିର ଦର୍ଶକ ଚାହୁଛନ୍ତି, ସେମାନେ କେମିତି କାହାଣୀ ଶୁଣିବାକୁ ଚାହୁଛନ୍ତି। ସେ ପ୍ରସଙ୍ଗରେ ଏକ ବଡ଼ ଶିକ୍ଷା ମତେ ଏ ଫିଲ୍ମରୁ ମିଳିଛି। ସେଇ ଶିକ୍ଷାକୁ ଆଧାର କରି ମୁଁ ମୋ’ର ଆଗାମୀ ଫିଲ୍ମଗୁଡ଼ିକର ଯୋଜନା କରୁଛି। ଆଉ ସେ ଫିଲ୍ମଗୁଡ଼ିକୁ ଏମିତି ଦିଗରେ ଆଗେଇବାକୁ ଚାହୁଛି, ଯାହା ‘ପୁଷ୍କରା’ ଭଳି ବା ତା’ଠୁ ଆହୁରି ବହୁଗୁଣରେ ଅଧିକ ସଫଳ ହେବ।

l ଏ ଫିଲ୍ମଟି ପାଇଁ ପାଇଥିବା ସବୁଠୁ ସ୍ମରଣୀୟ କମ୍ପ୍ଲିମେଣ୍ଟ୍‌ଟି କ’ଣ?
ମୁଁ ଜୀବନରେ ଅନେକ ସିନେମା କରିଛି, ମୋ’ର ଅନେକ ସିନେମା ସୁପର୍‌ହିଟ୍‌ ବା ତା’ଠୁ ମଧ୍ୟ ଆହୁରି ସଫଳ ହୋଇଛି। ଦର୍ଶକୀୟ ପ୍ରଶଂସା ଓ ଭଲ ପାଇବା ବି ପାଇଛି, ପୁରସ୍କାର ପାଇଛି। କିନ୍ତୁ ‘ପୁଷ୍କରା’ରେ ଯାହା ପାଇଲି, ତାହା ପୂର୍ବରୁ କେବେ ଘଟି ନ ଥିଲା। ତା’ ହେଉଛି ଦର୍ଶକଙ୍କ ଭାବପ୍ରବଣତାର ସ୍ବୀକୃତି। ଏ ଫିଲ୍ମର ପ୍ରଦର୍ଶନ ସମୟରେ ମୁଁ ଅନେକ ଥର ସିନେମା ହଲ୍‌କୁ ଯାଇଛି, ଏବେ ବି ଯାଉଛି। ‘ପୁଷ୍କରା’ ଦେଖିବା ବେଳେ ତ ଦର୍ଶକମାନେ ସେଥିରେ ବୁଡ଼ି ରହିବାର ଦେଖିଛି, କିନ୍ତୁ ସିନେମା ଶେଷ ହେବାପରେ ମଧ୍ୟ ‌ଅନେକ ଦର୍ଶକ ସିଟ୍‌ରେ ବସି ଗୋଟେ ଭାବରେ ବୁଡ଼ି ରହିଥିବା ମୁଁ ଦେଖି ଅତି ଚମତ୍କୃତ ହୋଇଛି। ଏମିତି ଅଭିଜ୍ଞତା ମୁଁ ପୂର୍ବର କୌଣସି ସିନେମାରେ ପାଇ ନ ଥିଲି। ଏଇ ସିନେମାରେ ଆଉ ଗୋଟିଏ ଅଦ୍ଭୁତ କଥା ଦେଖିବାକୁ ମିଳିଲା, ଏହାକୁ ଦେଖିସାରି ହଲ୍‌ରୁ ଘରକୁ ଯିବାପରେ ଅଧିକାଂଶ ଲୋକ ନିଜ ଚିହ୍ନା ପରିଚିତଙ୍କୁ ଏହା ବିଷୟରେ କହିଛନ୍ତି ଓ ସୋସିଆଲ୍‌ ମିଡିଆରେ ସକ୍ରିୟ ଥିଲେ, ଧାଡ଼ିଏ ବା ଦୁଇଧାଡ଼ି ନୁହେଁ, ଫର୍ଦ୍ଦ ଫର୍ଦ୍ଦ ଲେଖିଛନ୍ତି ଫିଲ୍ମ ବିଷୟରେ। ଅନେକ ଲୋକ ତାଙ୍କ ଭଲପାଇବା ତଥା ଭାବପ୍ରବଣତା ଫେସ୍‌ବୁକ୍‌ ଓ ଅନ୍ୟ ମାଧ୍ୟମରେ ଲେଖିଛନ୍ତି। ଏ ଫିଲ୍ମର ଦର୍ଶକମାନେ ହିଁ ଏହାର ରାଜଦୂତ ବା ପ୍ରଚାରକ ହୋଇଗଲେ।

ତେବେ ସବୁଠୁ ବଡ଼ ସ୍ବୀକୃତି କଥା ଉଠିଲେ ମୁଁ ଏକ ନିଆରା ଅଭିଜ୍ଞତା କଥା ନିଶ୍ଚୟ କହିବି। ତାମିଲନାଡୁର କୋଏମ୍ବାଟୁର ନିକଟରେ ତିରୁପୁର ବୋଲି ଗୋଟେ ଜାଗା ଅଛି। ସେଠି ବହୁତ ଓଡ଼ିଆ ଲୋକ କାମ କରନ୍ତି। କିନ୍ତୁ ସେଠି ଆଜି ପର୍ଯ୍ୟନ୍ତ କୌଣସି ଓଡ଼ିଆ ଫିଲ୍ମ ରିଲିଜ୍ ହୋଇ ନ ଥିଲା। କୋଭିଡ୍‌ ସମୟ ସେଠାରୁ ସେ ଓଡ଼ିଆମାନଙ୍କୁ ଘରକୁ ଫେରାଇ ଆଣିବାରେ ମୁଁ ସଂପୃକ୍ତ ଥିଲି। ‌ତେଣୁ ସେଠାକାର କିଛି ଓଡ଼ିଆ ଓ ସ୍ବେଚ୍ଛାସେବୀଙ୍କ ସହିତ ପରିଚୟ ଅଛି। ମୁଁ ସେମାନଙ୍କୁ ପ୍ରସ୍ତାବ ଦେଲି- ‘ଚାଲ ‘ପୁଷ୍କରା’କୁ ତିରୁପୁରରେ ରିଲିଜ୍ କରିବା!’ ସେହି ଅନୁସାରେ ସେମାନେ ‌ତିରୁପୁରରେ ଥିବା ‘ଶ୍ରୀ ସିନେମା’ ବୋଲି ଗୋଟେ ବିରାଟ ସିନେମା ହଲ୍‌ର ମାଲିକଙ୍କ ସହିତ କଥା ହେ‌ଲେ। କିନ୍ତୁ ହଲ୍‌ର ମାଲିକ ଏ ପ୍ରସ୍ତାବକୁ ଶୁଣୁଶୁଣୁ ନାକଚ କରିଦେଲେ, କହିଲେ- ‘ନାଇଁ ନାଇଁ, ଏଠି ତାମିଲ ଛଡ଼ା ଅନ୍ୟ କୌଣସି ଭାଷାର ସିନେମା ଚାଲେନି, ଏମିତିକି ବଲିଉଡ୍ ଫିଲ୍ମ ବି ନୁହେଁ। ଓଡ଼ିଆ ଫିଲ୍ମ ତ ବହୁତ ଦୂରର କଥା। ତେଣୁ ଆମେ ରିଲିଜ୍ କରିବୁନି।’ ଏ ବନ୍ଧୁମାନେ ଯେତେ ଅନୁରୋଧ କଲେ ବି ସେ ରାଜି ହେଲେନି। ଶେଷରେ କହିଲେ- ‘ଆପଣମାନେ ଦେଢ଼ଲକ୍ଷ ଟଙ୍କା ଆଗୁଆ ଜମା କରି ଦିଅନ୍ତୁ, ତା’ପରେ ହିଁ ଗୋଟିଏ ସୋ’ ପାଇଁ ‘ପୁଷ୍କରା’ ଏ ହଲ୍‌ରେ ଚାଲି ପାରିବ। ଟିକେଟ୍‌ ବିକ୍ରି ନ ହେଲେ, ଜମା ଟଙ୍କା ଯିବ।’ ଯେହେତୁ ଆମେ ଚାହୁଥିଲୁ ଯେ ଓଡ଼ିଆ ଫିଲ୍ମ ପ୍ରଥମଥର ପାଇଁ ସେଠି ଯେମିତି ହେଲେ ବି ରିଲିଜ୍‌ ହେଉ, ଆମେ ତାଙ୍କ ସର୍ତ୍ତରେ ରାଜି ହୋଇଥିଲୁ। ସୋ’ ପାଇଁ ସେ ରାଜି ହେବାପରେ ମୁଁ ଗୋଟିଏ ଭିଡିଓ ବାର୍ତ୍ତାରେ ତିରୁପୁରବାସୀ ଓଡ଼ିଆମାନଙ୍କୁ ଅନୁରୋଧ କରିଥିଲି- ‘ପ୍ରଥମଥର ପାଇଁ ଗୋଟିଏ ଓଡ଼ିଆ ଫିଲ୍ମ ଆପଣଙ୍କ ସହରରେ ରିଲିଜ୍ ହେଉଛି, ଆପଣମାନେ ଯାଇକି ଦେଖନ୍ତୁ!’ ‌ତା’ପରେ ଯାହା ଘଟିଲା ମୁଁ ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲି। ଆମର ସବୁ ଆଶାକୁ ଟପି ସେ ଭିଡିଓ ବାର୍ତ୍ତା ପ୍ରସାରିତ ହେବାର ଦୁଇଘଣ୍ଟା ଭିତରେ ଆଡ୍‌ଭାନ୍ସ ବୁକିଂରେ ସେ ହଲ୍‌ର ପ୍ରଥମ ୮ଟି ସୋ’ ହାଉସ୍‌ଫୁଲ୍ ହୋଇ ଯାଇଥିଲା। ସେ ସ୍ଥିତି ବେଶ୍‌ କିଛିଦିନ ଚାଲିବା ପରେ ଖବର ପାଇ ମୁଁ ସେଠାକୁ ଦର୍ଶକଙ୍କୁ ଧନ୍ୟବାଦ ଦେବାଲାଗି ଯିବାଲାଗି ନିଷ୍ପତ୍ତି ନେଇଥିଲି। ମୁଁ ନିଜେ ଯାଇ ସେଠି ପହଞ୍ଚିଗଲି। ମୁଁ ପହଞ୍ଚିବା ପରେ ସେଠି ଆୟୋଜିତ ଏକ ଅନୌପଚାରିକ ସଭାରେ ହଲ୍‌ର ମାଲିକ ମଧ୍ୟ ଉପସ୍ଥିତ ଥିଲେ। ଛୁଟି ଥିବାରୁ ସେ ଘରକୁ ଯିବାର ଥିଲା, କିନ୍ତୁ ନ ଯାଇ ମତେ ସ୍ବାଗତ କରିବାଲାଗି ହିଁ ସେ ରହି ଯାଇଥିଲେ। ଦେଖା ହେବାପରେ ସେ ମତେ କ୍ଷମାମାଗି କହିଲେ- ‘ସବ୍ୟସାଚୀ ବାବୁ, ମତେ କ୍ଷମା କରିବେ। ମୁଁ ଆପଣଙ୍କ ଫିଲ୍ମକୁ ରିଲିଜ୍ କରିବାକୁ ମନା କରି ଦେଇଥିଲି। କିନ୍ତୁ ସେବେଠାରୁ ଆଜିଯାଏ ସୋ’ଗୁଡ଼ିକ ହାଉସ୍‌ଫୁଲ୍ ଯାଉଥିବାର ଦେଖି ମୋ’ର ଆଖି ଖୋଲି ଯାଇଛି। ମୁଁ ଜାଣିପାରୁଛି ଯେକୌଣସି ଭାଷା ବା କୌଣସି ଭାଷାର ସିନେମା କୌଣସି ଗୁଣରେ କମ୍ ବା ନ୍ୟୂନ ନୁହେଁ। ମୁଁ ଠିକ୍ କରିଛି, ଆଗକୁ ଏ ହଲ୍‌ରେ ଓଡ଼ିଆ ସିନେମା ରିଲିଜ୍ ହେବ। ଆପଣଙ୍କ ସିନେମା ତ ନିଶ୍ଚୟ ରିଲିଜ୍ ହେବ।’ ଓଡ଼ିଶା ବାହାରେ ଜଣେ ଅଣଓଡ଼ିଆ ହଲ୍‌ ମାଲିକ କହିଥିବା ଏଇ ଧାଡ଼ିଗୁଡ଼ିକ ମୋ’ ଜୀବନର ଶ୍ରେଷ୍ଠ ଓ ସ୍ମରଣୀୟ କମ୍ପ୍ଲିମେଣ୍ଟ୍‌ ହୋଇ ରହିବ।

ସାକ୍ଷାତ: ଆଶିଷ ଗଡ଼ନାୟକ