ନୂଆଦିଲ୍ଲୀ: ଅଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ପୁଷ୍ପା: ଦି ରାଇଜ୍'ରେ ଅଲୁ ଅର୍ଜୁନଙ୍କ ଭାଇ ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ତେଲୁଗୁ ଅଭିନେତା ଶ୍ରୀ ତେଜ ଏବେ ବିବାଦରେ। ବିବାହ ପ୍ରତିଶ୍ରୁତି ଦେଇ ସେ ଜଣେ ମହିଳାଙ୍କୁ ମାନସିକ, ଆର୍ଥିକ ତଥା ଶାରୀରିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ମହିଳାଜଣକ ଅଭିନେତାଙ୍କ ବିରୋଧରେ ହାଇଦ୍ରାବାଦ ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। 

Advertisment

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, "ପୀଡିତା ନଭେମ୍ବର ୨୫, ୨୦୨୪ରେ କୁକଟପଲି ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ମହିଳାଜଣକ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଶ୍ରୀ ତେଜ ଭଲପାଇବାର ବାହାନା କରି ବିବାହ କରିବି ବୋଲି କହିଥିଲେ ଏବଂ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ସହ ମୋଠାରୁ ୨୦ଲକ୍ଷ ଟଙ୍କା ନେଇଥିଲେ। ମୋ ସହ ସମ୍ପର୍କ ଥାଇ ମଧ୍ୟ ସେ ଅର୍ଚ୍ଚନା ନାମକ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଥିଲେ ଏବଂ ତାଙ୍କ ସହ ତେଜଙ୍କର ଏକ ସାତ ବର୍ଷର ପୁଅ ମଧ୍ୟ ଅଛି। ଚଳିତ ବର୍ଷ ଅପ୍ରେଲରେ ମୁଁ ପୁଲିସରେ ଅଭିଯୋଗ କରିଥିଲି। ହେଲେ ତେଜଙ୍କ ପରିବାର ସମାଧାନ କରିବେ ବୋଲି କହିବାରୁ ମୁଁ ଅଭିଯୋଗ ଫେରାଇ ନେଇଥିଲି। ହେଲେ ସମାଧାନ ନହେବାରୁ ଏବେ ପୁଣି ଅଭିଯୋଗ କରିଛି।"

ତେଜଙ୍କ ପେସାଦାର ଜୀବନ ଦେଖିବାକୁ ଗଲେ ସେ ପୁଷ୍ପା, ବଙ୍ଗାବେତୀ, ଧମାକା, ମଙ୍ଗଳାବରମ ଏବଂ ବହିଷ୍କରନ ଭଳି ଲୋକପ୍ରିୟ ତେଲୁଗୁ ଚଳଚ୍ଚିତ୍ରରେ କାମ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି।