ଭୁବନେଶ୍ବର: ଡିସେମ୍ବର ୫ରେ ରିଲିଜ୍ ହେବ ଅଲ୍ଲୁ ଅର୍ଜୁନ୍ ଅଭିନୀତ ବହୁଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା-୨: ଦ ରୁଲ୍’। ସାରା ଦେଶରେ ଏହି ଫିଳ୍ମକୁ ନେଇ କ୍ରେଜ୍ ବଢ଼ିବାରେ ଲାଗିଛି। ଆଡଭାନ୍ସ ବୁକିଂରେ ହିନ୍ଦୀ ଏବଂ ତେଲୁଗୁ ସିନେମାକୁ ପଛରେ ପକାଇ ଭାରତୀୟ ସିନେମା ଜଗତରେ ନୂଆ କୀର୍ତ୍ତିମାନ ଯୋଡ଼ିଛି ଏହି ସିନେମା। ରିଲିଜ୍ ପୂର୍ବରୁ ବହୁ ବ୍ଲକ୍ବଷ୍ଟର୍ ସିନେମାର ରେକର୍ଡ ଭାଙ୍ଗିଛି। ଓଡ଼ିଶାରେ ମଧ୍ୟ ଏହି ଫିଲ୍ମର ଜବରଦସ୍ତ କ୍ରେଜ୍ ରହିଛି। ପ୍ରଥମ ଦିନରେ କେବଳ ଭୁବନେଶ୍ବରରେ ୧୦୦ଟି ସୋ’ ଲାଗିଛି। ଏଥିରୁ ୭୦ ପ୍ରତିଶତ ସୋ’ର ଟିକେଟ୍ ଅଗ୍ରୀମ ବୁକ୍ ହୋଇ ସାରିଛି।
ରିଲିଜ୍ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ
ଟିକେଟ୍ ମୂଲ୍ୟ ଦୁଇଗଣା ବଢ଼ିଗଲା
ଭୁବନେଶ୍ବରର ସମସ୍ତ ମଲ୍ଟିପ୍ଲେକ୍ସ ଓ ସିଙ୍ଗଲ ସ୍କ୍ରିନ୍ରେ ପୁଷ୍ପା-୨ ପାଇଁ ବୁକିଂ ହେଉଛି। ପ୍ରଥମ ଦିନ କାହିଁକି, ରିଲିଜ୍ ପରେ ପ୍ରାୟ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ବୁକିଂ ଚାଲିଛି। ପୁଷ୍ପା-୨ ତେଲୁଗୁ, ତାମିଲ, ହିନ୍ଦୀ, ବେଙ୍ଗଲି, ମାଲାୟାଲମ, କନ୍ନଡ଼ ପରି ୬ଟି ଭାଷାରେ ରିଲିଜ୍ ହେଉଛି। ଭୁବନେଶ୍ବରରେ ପ୍ରଥମ ଦିନ ତେଲୁଗୁ ଭାଷାରେ ୧୭ଟି ଓ ହିନ୍ଦୀ ଭାଷାରେ ୮୩ଟି ସୋ’ ଲାଗିଛି। ଭୁବନେଶ୍ବରର ବିଭିନ୍ନ ସିନେମା ଥିଏଟର ଓ ମଲ୍ଟିପ୍ଲେକ୍ସରେ ଅନ୍ୟ ଫିଲ୍ମର ଦାମ୍ ୧୦୦ରୁ ୨୦୦ ଟଙ୍କା ଭିତରେ ରହୁଥିବା ବେଳେ ଏବେ ତାହା ଦୁଇଗୁଣା ହୋଇଛି। ପୁଷ୍ପା-୨ ପାଇଁ ଟିକେଟ୍ ଦର କାଁଭାଁ ୧୯୯ ଥିବା ବେଳେ ଅଧିକାଂଶ ୪୦୦ ଟଙ୍କାରୁ ଆରମ୍ଭ ହୋଇ ଏବେ ସର୍ବାଧିକ ୧୦୦୦ ଟଙ୍କା ରହିଛି। କେବଳ ଭୁବନେଶ୍ବର ନୁହେଁ, ସମଗ୍ର ଦେଶର ସିନେମା ହଲ୍ରେ ଟିକେଟ ମୂଲ୍ୟ ବୃଦ୍ଧି ପାଇଛି। ଦିଲ୍ଲୀର କିଛି ମଲ୍ଟିପ୍ଲେକ୍ସରେ ୨ ହଜାରରୁ ଅଧିକ ଟଙ୍କା ରହିଛି। ତେଲଙ୍ଗାନାରେ ସିଙ୍ଗଲ୍ ସ୍କ୍ରିନର ସବୋର୍ଚ୍ଚ ଦାମ ୧୫୦ ଟଙ୍କା ହେବା କଥା। କିନ୍ତୁ ପୁଷ୍ପା-୨ ପାଇଁ ହଲ୍ ଟିକେଟ୍ ଦର ବଢ଼ାଇବା ପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଛି। ତେଲଙ୍ଗାନା ମୁଖ୍ୟ ଶାସନ ସଚିବ ଏକ ଚିଠି ଜରିଆରେ ଏହି ଟିକେଟ୍ ମୂଲ୍ୟ ସବୋର୍ଚ୍ଚ ୮୦୦ ଟଙ୍କା ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଆଡଭାନ୍ସ ବୁକିଂର ପ୍ରଥମ ଦିନର ମାତ୍ର ୧୨ ଘଣ୍ଟାରେ ସମଗ୍ର ଦେଶରେ ୩ ଲକ୍ଷରୁ ଅଧିକ ଟିକେଟ୍ ବୁକିଂ ସହ ୨୦ କୋଟିରୁ ଅଧିକ ଟଙ୍କାର ଟିକେଟ୍ ବିକ୍ରି ସରିଥିବା ଜଣାପଡ଼ିଛି। ପୂର୍ବରୁ ଶାହରୁଖ ଖାନଙ୍କ ପଠାନ, ୟଶଙ୍କ କେଜିଏଫ୍-୨ ଏବଂ ସନ୍ନି ଦେଓଲଙ୍କ ଗଦ୍ଦର-୨ ନାଁରେ ସବୁଠୁ ଅଧିକ ଆଡଭାନ୍ସ ଟିକେଟ୍ ବୁକିଂ ରେକର୍ଡ ଥିଲା। ମାତ୍ର ପୁଷ୍ପା କ୍ରେଜ୍ ଏସବୁ ରେକର୍ଡ ଭାଙ୍ଗିଛି। ସେହିପରି ଟ୍ରାକ୍ ଟଲିଉଡର ରିପୋର୍ଟ ଅନୁଯାୟୀ, ଅଲ୍ଲୁ ଅର୍ଜୁନ୍ ‘ପୁଷ୍ପା ୨’ ପାଇଁ ମୋଟ ୩୦୦କୋଟି ଟଙ୍କାର ପାରିଶ୍ରମିକ ନେଇଛନ୍ତି। ଏହା ସହ ସେ ଦେଶର ସର୍ବାଧିକ ମହଙ୍ଗା ଅଭିନେତା ହୋଇପାରିଛନ୍ତି। ଏହାପୂର୍ବରୁ ବିଜୟ ‘ଥଲପତି ୬୯’ ପାଇଁ ୨୭୫କୋଟି ଟଙ୍କାର ପାରିଶ୍ରମିକ ନେଇ ଶାହାରୁଖ ଖାନଙ୍କୁ ପଛରେ ପକାଇଥିଲେ। ଏବେ ତାଙ୍କୁ ପଛରେ ପକାଇଛନ୍ତି ଅଲ୍ଲୁ ଅର୍ଜୁନ୍। ‘ପୁଷ୍ପା: ଦ ରାଇଜ୍’ ୨୦୨୧ ମସିହାରେ ରିଲିଜ୍ ହୋଇଥିଲା। ଅଲ୍ଲୁ ଅର୍ଜୁନ୍-ରଶ୍ମିକା ମନ୍ଦାନା ଅଭିନୀତ ଏହି ଫିଲ୍ମ ବକ୍ସ ଅଫିସ୍ରେ ବହୁତ ଭଲ ବେପାର କରିଥିଲା। ଏହାପରେ ‘ପୁଷ୍ପା-୨: ଦ ରୁଲ୍’ର ପ୍ରଡକ୍ସନ ୨୦୨୨ରେ ଆରମ୍ଭ ହୋଇଥିଲା।