ଏବେ ଭାରତୀୟ ବକ୍ସ ଅଫିସ୍ରେ ଦକ୍ଷିଣୀ ସିନେମାଗୁଡ଼ିକ ଧମାକା କରୁଛନ୍ତି। ଏକଦା ପ୍ରାନ୍ତୀୟ ସିନେମା ଭାବେ ବିବେଚନା କରାଯାଉଥିବା ଦକ୍ଷିଣ ଭାରତୀୟ ଭାଷାର ସିନେମା ବର୍ତ୍ତମାନ ସାରା ଭାରତରୁ ଦର୍ଶକ ସମର୍ଥନ ହାସଲ କରୁଛି। ଅଲ୍ଲୁ ଅର୍ଜୁନ୍ ଅଭିନୀତ ବହୁଚର୍ଚ୍ଚିତ ଛବି ‘ପୁଷ୍ପା-୨: ଦ ରୁଲ୍’ର ଟ୍ରେଲର୍ ରିଲିଜ୍ ହେଉଣୁ ଏହା ଜୁନିଅର୍ ଏନ୍ଟିଆର୍ ଅଭିନୀତ ‘ଆର୍ଆର୍ଆର୍’ର ରେକର୍ଡ ଭାଙ୍ଗିଦେବ ବୋଲି ଏବେଠୁ ଚର୍ଚ୍ଚା ହେଲାଣି।
‘ପୁଷ୍ପା-୨’ର ଟ୍ରେଲର୍ ରିଲିଜ୍ ହେଉ ହେଉ ଏହା ପ୍ରତି ଲୋକଙ୍କ ଭଲପାଇବା ନେଇ ୟୁଟ୍ୟୁବ୍ରୁ ସଙ୍କେତ ମିଳିଛି। ପ୍ରାଥମିକ ରିପୋର୍ଟ ଅନୁସାରେ, ଟ୍ରେଲର୍ ରିଲିଜ୍ ହେବାର ମାତ୍ର ୧୬ ଘଣ୍ଟା ମଧ୍ୟରେ ୟୁଟ୍ୟୁବ୍ରେ ବିଭିନ୍ନ ଭାଷାରେ ଏହା ୬୨.୪ ମିଲିୟନ୍ ଭିୟୁ ହାସଲ କରିଛି। ଏଥିରୁ ସ୍ପଷ୍ଟ ହେଉଛି ଯେ ନିର୍ଦ୍ଦେଶକ ତାଙ୍କ ଟ୍ରେଲର୍ରେ ଦର୍ଶକଙ୍କୁ ଭଲ ଲାଗିବା ଭଳି କିଛି ଦୃଶ୍ୟ ନିଶ୍ଚୟ ରଖିଛନ୍ତି। ବିଶେଷ କରି ଏଥିରେ ଅଭିନେତା ଅଲ୍ଲୁ ଅର୍ଜୁନ୍ଙ୍କ ଲୁକ୍ ସଭିଙ୍କ ମନକୁ ପାଇଛି। ପାଟନା ଗାନ୍ଧୀ ମୈଦାନରେ ଏକ ବିଶାଳ କାର୍ଯ୍ୟକ୍ରମରେ ସିନେମାର ଟ୍ରେଲର୍ ରିଲିଜ୍ ହୋଇଥିବା ବେଳେ ଏହାକୁ ଖୁବ୍ ଭଲପାଇବା ମିଳିଛି।
‘ପୁଷ୍ପା: ଦ ରାଇଜ୍’ ୨୦୨୧ ମସିହାରେ ରିଲିଜ୍ ହୋଇଥିଲା। ଅଲ୍ଲୁ ଅର୍ଜୁନ୍-ରଶ୍ମିକା ମନ୍ଦାନା ଅଭିନୀତ ଏହି ଛବି ବକ୍ସଅଫିସ୍ରେ ବହୁତ ଭଲ ବେପାର କରିଥିଲା। ସେ ସମୟରେ ସିନେମାର ଗୀତ ଓ ସଂଳାପ ବିଶ୍ବସ୍ତରରେ ଲୋକପ୍ରିୟତା ହାସଲ କରିଥିଲା। ‘ପୁଷ୍ପା’ ପ୍ରଥମ ଭାଗକୁ ଯେଉଁମାନେ ଦେଖିଛନ୍ତି ସେମାନଙ୍କ ମଧ୍ୟରେ ଦ୍ବିତୀୟ ଭାଗ ଦେଖିବାର ଉତ୍ସୁକତା ରହିବା ସ୍ବାଭାବିକ କଥା। ତେବେ ଟ୍ରେଲର୍ କ୍ରେଜ୍ ଦେଖି ଜଣାପଡୁଛି ଯେ ଦର୍ଶକ କେଉଁଭଳି ଭାବେ ଚଳଚ୍ଚିତ୍ରକୁ ଅପେକ୍ଷା କରି ରହିଛନ୍ତି।
‘ପୁଷ୍ପା-୨: ଦ ରୁଲ୍’ ଡିସେମ୍ବର ୫ ତାରିଖରେ ରିଲିଜ୍ ହେବ। ବକ୍ସଅଫିସ୍ ପଣ୍ଡିତମାନଙ୍କ ଆକଳନରୁ ଯାହା ଜାଣିବାକୁ ମିଳିଛି ଏହାର ହିନ୍ଦୀ ଭର୍ସନ୍ ପ୍ରଥମ ଦିନରେ ୫୫-୬୦ କୋଟି, ତେଲୁଗୁରେ ୭୦-୮୦ କୋଟି ଟଙ୍କା ଆୟ କରିବ। ସେହିପରି ତାମିଲ୍, କନ୍ନଡ଼ ଓ ମାଲାୟଲମ୍ ଭର୍ସନ୍ ଗୋଟାଏ ଦିନରେ ୧୨-୧୫ କୋଟି ଆୟ କରିବ ବୋଲି ଆଶା କରାଯାଉଥିବା ବେଳେ ପ୍ରଥମ ଦିନରେ ‘ପୁଷ୍ପା-୨’ର ସମୁଦାୟ ଆୟ ୧୩୭-୧୫୫ କୋଟି ଟଙ୍କା ଛୁଇଁବ। ପ୍ରଥମ ଦିନରେ ୧୩୪ କୋଟି ଟଙ୍କା ରୋଜଗାର କରି ‘ଆର୍ଆର୍ଆର୍’ ଏବେ ଏକ ନମ୍ବର ହୋଇ ରହିଥିବା ବେଳେ ବିଭିନ୍ନ ସୂତ୍ରରୁ କରାଯାଇଥିବା ଆକଳନ ଅନୁସାରେ, ‘ପୁଷ୍ପା-୨ ରିଲିଜ୍ ହେବା ପରେ ତାହା ଦ୍ବିତୀୟ ନମ୍ବରକୁ ଖସିଆସିବ।