ସାତ୍ ସୱାଲ୍: ମୁଁ ଇଣ୍ଡଷ୍ଟ୍ରିକୁ ବାଛିବା ପୂର୍ବରୁ ଇଣ୍ଡ‌ଷ୍ଟ୍ରି ମୋତେ ବାଛି ସାରିଥିଲା

ପିଲାଦିନରୁ ସଂଗୀତ ଦୁନିଆରେ ପାଦ ଥାପି ଆଜି ସୁଦ୍ଧା ପ୍ରାୟ ୮୦ ସିନେମା, ୫୦୦ରୁ ଅଧିକ ଆଲ୍‌ବମ୍‌ ଓ ୧୫ରୁ ଊର୍ଦ୍ଧ୍ବ ଟିଭି ସିରିଜ୍‌ ପାଇଁ ଗୀତ ଗାଇ ସାରିଲେଣି ଅନ୍ତରା। ଓଡ଼ିଆ ବ୍ୟତୀତ ବଙ୍ଗଳା ଓ ହିନ୍ଦୀ ଭାଷାରେ ମଧ୍ୟ ଗୀତ ଗାଇ ନିଜର ପରିଚୟ ସୃଷ୍ଟି କରିଛନ୍ତି ସେ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଂଗୀତରେ ‘ବିଶାରଦ’ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀଙ୍କ ସହ ଅଳ୍ପ-ଆଳାପ।

ବନ୍ଦନା ମିଶ୍ର୍ର

ଶିଶୁ କଣ୍ଠଶିଳ୍ପୀ ଭାବେ ପୂର୍ବରୁ ଗୀତ ଗାଇଥିଲେ ବି ଶ୍ରୋତା ଆପଣଙ୍କ ଡେବ୍ୟୁ ଗୀତ ‘ଜଗୁ ଅଟୋବାଲା’ର ‘ଭିଜା ଭିଜା କୁହୁଡ଼ି’ ବୋଲି ଜାଣନ୍ତି। ସେ ଗୀତକୁ ନେଇ କିଛି ଭଲ ଅନୁଭୂତି ଅଛି କି?
‘ଜଗୁ ଅଟୋବାଲା’ର ‘ଭିଜା ଭିଜା କୁହୁଡ଼ି’ ହେଉଛି ମୋର ପ୍ରଥମ ହିଟ୍‌ ଗୀତ। ସେ ସମୟରେ ‘ୱେଷ୍ଟର୍ଣ୍ଣ ରୋମାଣ୍ଟିକ୍‌’ ଗୀତ କମ୍‌ ହେଉଥିଲା। ତେଣୁ ସେହି ଗୀତ ପାଇଁ ବହୁତ ବଡ଼ ବଡ଼ କଳାକାର ମୋତେ ପ୍ରଶଂସା କରିଥିଲେ। ବଙ୍ଗଳା ଓ ଓଡ଼ିଆ, ଦୁଇଟି ଭାଷାରେ ମୁଁ ଗୀତଟି ରେକର୍ଡ କରିଥିଲି ଏବଂ ଦୁଇଟିଯାକ ଶ୍ରୋତାଙ୍କୁ ଭଲ ଲାଗିଥିଲା। ମୋତେ କ୍ୟାରିୟର୍‌ର ପ୍ରଥମ ହିଟ୍‌ ଗୀତ ଦେଇଥିବାରୁ ଅଭିଜିତ୍ ମଜୁମ୍‌ଦାର୍‌ ସାର୍‌ଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଜଣାଉଛି।

ଆପଣଙ୍କ ବାପା ମୋହିତ ଚକ୍ରବର୍ତ୍ତୀ ଜଣେ ଲୋକପ୍ରିୟ ଗୀତିକାର। ବାପାଙ୍କ ପରି ଗାୟନ ବ୍ୟତୀତ ଗୀତ ରଚନା କ୍ଷେତ୍ରରେ ବି ଆପଣ ରୁଚି ରଖନ୍ତି କି?
ନାଇଁ ନାଇଁ, ଗୀତ ରଚନା ପ୍ରତିଭା ମୋ ପାଖରେ ଜମା ବି ନାହିଁ। ମୁଁ କେବେ ଚେଷ୍ଟା ବି କରିନି ଗୀତ ଲେଖିବାକୁ। ମୋତେ ଲାଗେ ଏହି ଈଶ୍ବରଦତ୍ତ କଳା ମୋ ପାଖରେ ନାହିଁ। ମୁଁ ଗୀତ ଗାଇ ହିଁ ବହୁତ ଖୁସି ଅଛି। ଆଗକୁ ସେଇ ଗାୟନ ଜରିଆରେ ଲୋକମାନଙ୍କ ଭଲପାଇବା ପାଇବାକୁ ଚାହିଁବି।

ଆମେ କେଉଁଠି ପଢ଼ିଥିଲୁ କି ଅନ୍ତରା ଗାୟିକା ହେବା ସହ ଜଣେ ଭଲ ମେକ୍‌-ଅପ୍‌ ଆର୍ଟିଷ୍ଟ୍‌ ମଧ୍ୟ। ଆପଣଙ୍କର ସତରେ ଏ ଦିଗରେ ଆଗ୍ରହ ଅଛି?
ହଁ, ଛୋଟବେଳୁ ହିଁ ମୋତେ ମେକ୍‌-ଅପ୍‌ କରିବାକୁ ଭାରି ଭଲ ଲାଗେ। ମୁଁ ଯେତେବେଳେ ବହୁତ ଛୋଟ ଥିଲି ମୋ ମାଆଙ୍କର ଠିକ୍‌ଠାକ୍‌ ଚୁଟି କାଟି ଦେଉଥିଲି। ମୋର ମେକ୍‌-ଅପ୍‌, ମେକ୍‌-ଅପ୍‌ ସାମଗ୍ରୀ, କେଶବିନ୍ୟାସ ଓ ଅନ୍ୟାନ୍ୟ ପ୍ରକାରର ସେଲୁନ୍‌ ସର୍ଭିସ୍‌କୁ ନେଇ ଟିକେ ରୁଚି ରହିଛି। ବହୁତ ଛୋଟବେଳରୁ ମୋ ନିଜର ସୁଟିଂ ମେକ୍‌-ଅପ୍‌ ମୁଁ ନିଜେ କରୁଛି। ତାହାକୁ ବଡ଼ ବଡ଼ ମେକ୍‌-ଅପ୍‌ ଆର୍ଟିଷ୍ଟ୍‌ ପସନ୍ଦ ବି କରନ୍ତି। ସେଥିରୁ ମୋ ମନୋବଳ ଦୃଢ଼ ହୋଇଛି ଓ ମୁଁ ବହୁତ ଭଲ ଭଲ ମେକ୍‌-ଅପ୍‌ କଳାକାରଙ୍କଠାରୁ ଶିଖି ନିଜ ମେକ୍‌-ଅପ୍‌ ନିଜେ ନେଇପାରୁଛି।

ଯଦି ସୁଯୋଗ ମିଳେ ଆପଣ ନିଜର ଜୀବନସାଥୀ ରୂପେ ଜଣେ ଗାୟକଙ୍କୁ ବାଛିବେ ନା ନାୟକଙ୍କୁ?
ଗାୟକ କି ନାୟକ କାହାକୁ ବି ମୁଁ ମୋ ଜୀବନସାଥୀ ରୂପେ ବାଛିବି ନାହିଁ। ଯେହେତୁ ବହୁତ କମ୍‌ ବୟସରୁ ମୁଁ ଏହି ଶିଳ୍ପରେ କାମ କରୁଛି ତ ଏହି ଶିଳ୍ପ ମୋ ପାଇଁ ଏକ ପରିବାର। ଘରଠାରୁ ଅଧିକ ସମୟ ମୁଁ ଷ୍ଟୁଡିଓ, ସୋ’, ମଞ୍ଚ ଓ ସହ‌ଯୋଗୀମାନଙ୍କ ସହ ବିତାଏ। ଏହି ଶିଳ୍ପରେ ମୁଁ କାକା, ଭାଇ, ଦିଦି, ଭାଉଜ ଆଦି ବିଭିନ୍ନ ସଂପର୍କ ପାଇଛି। ତେଣୁ ଏହା ନିଶ୍ଚିତ ଯେ ମୋର ଜୀବନସାଥୀ ଯିଏ ବି ହେବେ ସେ ବାହାରୁ ହେବେ, ଓଲିଉଡ୍‌ ଶିଳ୍ପର ହୋଇ ନ ଥିବେ।

ଛୋଟବେଳେ ଏମିତି କିଛି ଭୁଲ୍‌ କରିଛନ୍ତି କି, ଯାହା ପାଇଁ ଆଜି ପଶ୍ଚାତ୍ତାପ କରନ୍ତି?
ଛୋଟ ବେଳରୁ ହିଁ ମୁଁ ଖୁବ୍ ଶୃଙ୍ଖଳିତ। ବହୁତ ଶାନ୍ତ ସ୍ବଭାବର ମୁଁ। ସେମିତି କିଛି ବେଶି ଦୁଷ୍ଟାମି କି ଭୁଲ୍‌ କରିନି ଯାହା ପାଇଁ ମୋତେ ପଶ୍ଚାତ୍ତାପ କରିବାକୁ ପଡ଼ିବ। ଏମିତି ଛୋଟ ଛୋଟ ପିଲାଳିଆମି କିଛି ସ୍ମୃତି ହୋଇ ରହିଛି। ହେଲେ ପଶ୍ଚାତ୍ତାପ କରିବା ପରି କାମ କରିଛି ବୋଲି ଭାବୁନାହିଁ। ମୁଁ ସାହିତ୍ୟରେ ଏମ୍‌ଫିଲ୍‌ କରିଛି। ପିଏଚ୍‌ଡି କରିବାର ଇଚ୍ଛା ଥିଲା, ଯାହାକି ବ୍ୟସ୍ତତା ହେତୁ କରିପାରନି। ସେଇଟା ଗୋଟାଏ ଅବସୋସ ରହିଛି।

ପିଲାଦିନରୁ ହିଁ କଣ୍ଠଶିଳ୍ପୀ ହେବାକୁ ଭାବିଥିଲେ ନା ଆଉ କିଛି ବନିବାକୁ ସ୍ବପ୍ନ ଦେଖିଥିଲେ?
ଆମର ଏକ ଶୈକ୍ଷିକ ପରିବାର। ଘରେ କିଏ ଶିକ୍ଷକ ତ କିଏ ଅଧ୍ୟାପକ। ଛୋଟବେଳୁ ସେଇ କ୍ଷେତ୍ରରେ ଯିବି ବୋଲି ଭାବିଥିଲି। ହେଲେ ‌ଯେତେବେଳେ ମୁଁ ନବମ ପଢୁଥିଲି ସେତେବେଳେ ହିଁ ‘ଜଗୁ ଅଟୋବାଲା’ରେ ଗୀତ ଗାଇଥିଲି। ମୁଁ ଇଣ୍ଡଷ୍ଟ୍ରିକୁ ବାଛିବା ପୂର୍ବରୁ ଇଣ୍ଡ‌ଷ୍ଟ୍ରି ମୋତେ ବାଛି ସାରିଥିଲା। ଯୁକ୍ତ ୩ ପଢ଼ିଲା ବେଳକୁ ମୁଁ କଣ୍ଠଶିଳ୍ପୀ ହୋଇ ସାରିଥ‌ାଏ। ଆଉ କିଛି କରିବା ପାଇଁ ଭାବିବାର ସୁଯୋଗ ପାଇନି। ହେଲେ ମୁଁ ଜଣେ ଭଲ ଛାତ୍ରୀ। ମୋ ପାଖରେ ଡିଗ୍ରି ଅଛି। ଯଦି ଦରକାର ପଡ଼େ ମୁଁ ଅନ୍ୟ କିଛି କରିପାରିବି, ବୟସ ବି ଅଛି। ହେଲେ ଏଯାଏ ସେ ଭାବନା ମୋ ମନକୁ ଆସିନି।

ଖୁସିରେ ସମସ୍ତଙ୍କ ମୁହଁରୁ ଗୀତ ବାହାରିପଡ଼େ। ଆପଣ ଦୁଃଖରେ ଥିବାବେଳେ କେବେ ଗୀତ ଗାଇଛନ୍ତି?
ବହୁତ ଦୁଃଖ ଜୀବନରେ ଥିଲେ‌ ମୋତେ ଲାଗେନି କାହାକୁ ଗୀତ ଶୁଣିବାକୁ କି ଗାଇବାକୁ ଭଲ ଲାଗିବ। ହଁ, ମୁଡ୍‌ ହିସାବରେ ବେଳେ ବେଳେ ଖୁସି ତ ବେଳେ ବେଳେ ଦୁଃଖ ଗୀତ ଶୁଣିବାକୁ ଭଲ ଲାଗିଥାଏ। ଅତି ଦୁଃଖରେ କେବେ ଗୀତ ଗାଇନି କି ଶୁଣିନି।

ସମ୍ବନ୍ଧିତ ଖବର