ସାତ୍ ସୱାଲ୍: ମୋର ଭାବିପତ୍ନୀ ସୁନ୍ଦରୀ ହେବା ସହ କରୁଣାମୟୀ ବି ହେବା ଜରୁରି

ବନ୍ଦନା ମିଶ୍ର

ବଲିଉଡ୍‌ରୁ ଓଲିଉଡ୍, ଧାରାବାହିକରୁ ସିନେମା; ଏମିତି ବିଭିନ୍ନ ପରିସରରେ ନିଜର ଭାଗ୍ୟ ପରୀକ୍ଷା କରି ଦର୍ଶକଙ୍କ ପ୍ରିୟ ପାଲଟିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ହିନ୍ଦୀ ଧାରାବାହିକରେ ମନଛୁଆଁ ଅଭିନୟ ଜରିଆରେ ପ୍ରଶଂସକଙ୍କ ହୃଦୟରେ ବସିବା ପରେ ଏବେ ଓଡ଼ିଆ ସିନେମାରେ ମଧ୍ୟ ଢେର୍ ଭଲପାଇବା ପାଇଛନ୍ତି ସେ। ‘ସାଧବବୋହୂ’ ପରି ରିୟାଲିଟି ସୋ’ର ସୂତ୍ରଧର ସାଜି ଘରେ ଘରେ ପରିଚିତ ହୋଇଥିବା ପ୍ରତିଭାବାନ୍‌ କଳାକାରଙ୍କ ସହ ଅଳ୍ପ ଆଳାପ।

ହିନ୍ଦୀ ଧାରାବାହିକ, ଓଡ଼ିଆ ଟେଲିଭିଜନ୍ ରିୟଲିଟି ସୋ’ ଓ ଓଲିଉଡ୍ ସିନେମା ଆଦି କ୍ଷେତ୍ରରେ ଆପଣ କାର୍ଯ୍ୟ କରିଛନ୍ତି। କେଉଁ ପରିସର ପାଇଁ ପରିଚିତ ହେବାକୁ ଆପଣ ପସନ୍ଦ କରନ୍ତି?

ଜନତା ଜନାର୍ଦ୍ଦନ ୩ଟିଯାକ ପାଇଁ ମୋତେ ଆଜି ପର୍ଯ୍ୟନ୍ତ ମନେ ରଖିଛନ୍ତି। ହିନ୍ଦୀ ଧାରାବାହିକ ‘କୁମ୍‌କୁମ୍‌’,  ‘ମେହେର’, ‘କ୍ୟା ହୁଆ ତେରା ୱାଦା’, ‘ସିଆଇଡି’, ଓଲିଉଡ୍‌ର ମାଇଲଖୁଣ୍ଟ ଫିଲ୍ମ ‘ପ୍ରେମରୋଗୀ’, ‘ନନ୍ଦିନୀ ଆଇ ଲଭ୍‌ ୟୁ’, ‘ଆଇ ଲଭ୍‌ ମାଇଁ ଇଣ୍ଡିଆ’, ‘ତୁ ଥିଲେ ମୋ ଡର କାହାକୁ’, ‘ଲୋଫର୍’ ଆଦି ପାଇଁ ଲୋକ ବହୁତ ଆଦର ଦେଇଛନ୍ତି। ମୋତେ ସବୁଠାରୁ ନିଆରା ଲାଗେ ଆମ ଓଡ଼ିଶାର  ସଭ୍ୟତା ଓ ଇତିହାସର ପ୍ରତିଛବିକୁ ଉପସ୍ଥାପନ କରିଥିବା ସୋ’ ‘ସାଧବବୋହୂ’। ମୁଁ ଏହାର ସୂତ୍ରଧର ହିସାବରେ ନିଜକୁ ଭାଗ୍ୟବାନ୍ ମନେକରେ। ଏଭଳି ନିଆରା ସୋ’ ବୋଧେ କେଉଁଠି ହୋଇନାହିଁ।

ଆପଣ ‘ଶ୍ରୀମନ୍ଦିର’ ଧାରାବାହିକରେ ଗଜପତି ପୁରୁଷୋତ୍ତମ ଦେବଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଛନ୍ତି। ସାମାଜିକ କାହାଣୀ ଆଧାରିତ ସିନେମାରେ ନାୟକ ହେବା ଓ ଏକ ଐତିହାସିକ ଚରିତ୍ରରେ ଅଭିନୟ କରିବା ମଧ୍ୟରୁ କେଉଁଟି ଆପଣଙ୍କୁ ବେଶି ଆତ୍ମସନ୍ତୋଷ ଦେଇଛି?

ମୁଁ ପୁରୀର ନାତି। ଜଗନ୍ନାଥ ଧାମର ମୁଁ ଏକ ଅଂଶ। ତେଣୁ ‘ଶ୍ରୀମନ୍ଦିର’ କଲା ବେଳେ ଗୌରବାନ୍ବିତ ଲାଗୁଥିଲା। ‘ଶ୍ରୀମନ୍ଦିର’ ନିଶ୍ଚିତ ଭାବେ ଏକ ଅଭୁଲା ସ୍ମୃତି। ପୁଣି ଗଜପତି ପୁରୁଷୋତ୍ତମ ଦେବଙ୍କ ଭୂମିକା ନିଭାଇବା ଭାଗ୍ୟର କଥା। ହେଲେ ଏତେ ବର୍ଷ ଧରି ଚଳଚ୍ଚିତ୍ର ଜଗତରେ ଯେଉଁ ନାନା ପ୍ରକାରର ଭୂମିକା ନିଭାଇଛି ତାହା ବି ଆନନ୍ଦ ଦେଇଛି। ଏ ଦୁଇଟିରୁ ବାଛିବାକୁ କହିଲେ ମୁଁ ନିଶ୍ଚୟ ସିନେମାର ଚରିତ୍ରକୁ ବାଛିବି।

ଆପଣଙ୍କ ସୋସିଆଲ୍ ମିଡିଆ ପୋଷ୍ଟ୍‌ରୁ ଜାଣିହୁଏ ଆପଣ ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ। ଓଲିଉଡ୍‌ର କେଉଁ ଅଭିନେତା ଓ ଅଭିନେତ୍ରୀ ଆପଣଙ୍କର ପ୍ରିୟ?
ହଁ, ମୁଁ ଅମିତାଭ ବଚ୍ଚନଙ୍କର ବଡ଼ ପ୍ରଶଂସକ। ତାଙ୍କ ଚଳଚ୍ଚିତ୍ର, ନିଜସ୍ବ ଜୀବନଶୈଳୀ କିମ୍ବା ‘କୌନ୍‌ ବନେଗା କରୋଡ଼ପତି’ରେ ଉପସ୍ଥାପନା ଶୈଳୀ; ସବୁ କିଛି ମୋତେ ବହୁତ ପ୍ରଭାବିତ କରିଛି। ସେମିତି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଉତ୍ତମ ମହାନ୍ତି ଓ ଶ୍ରୀରାମ ପଣ୍ଡା ମୋର ଚିରକାଳ ପ୍ରିୟ। ସେମାନଙ୍କର ଲୁକ୍ସ ଓ ଭେରାଇଟି କୌଣସି ବଲିଉଡ୍‌ କଳାକାରଙ୍କଠାରୁ କମ୍‌ ନୁହେଁ, ଯେମିତିକି ଧର୍ମେନ୍ଦ୍ର ଓ ବିନୋଦ ଖାନ୍ନା। ଆମ ପିଢ଼ିରେ ମତେ ବବି ମିଶ୍ର ଭଲ ଲାଗନ୍ତି। ପାର୍ଶ୍ବଅଭିନେତା ଭାବେ ଜୟୀଭାଇ ଓ ମିହିରଭାଇ ମୋର ଭାରି ପ୍ରିୟ।

ଓଡ଼ିଆ ସିନେମାର ବରିଷ୍ଠ ଅଭିନେତ୍ରୀ ମହା‌େଶ୍ବତା ରାୟ ଆପଣଙ୍କ ମାଉସୀ ଓ ସାହିତ୍ୟିକା ମାଳବିକା ରାୟ ଆପଣଙ୍କ ମାଆ। ମାତ୍ର ଓଡ଼ିଆ ସିନେଶିଳ୍ପରେ ତୁଳନାତ୍ମକ ଭାବେ ଆପଣଙ୍କ ସିନେମା ସଂଖ୍ୟା କମ୍। କାରଣ କ’ଣ?
ମହାଶ୍ବେତା ମାଡାମ୍‌ ଜଣେ କିଂବଦନ୍ତି। ମୋତେ ଲାଗେ ସେ ଜନ୍ମ ହୋଇଥିଲେ ରୁପେଲି ପରଦା ପାଇଁ। ସେଥିପାଇଁ ଏତେ କମ୍‌ ବୟସରୁ ଆଜି ପର୍ଯ୍ୟନ୍ତ ସେ ଫିଲ୍ମ କରୁଛନ୍ତି। ମାଳବିକା ମାଡାମ୍‌ ମୋର ମା’। ସେ ଅଭିନେତ୍ରୀଠୁ ଅଧିକ ଜଣେ ଭଲ ଶିକ୍ଷାବିତ୍‌, କବି, ଲେଖିକା, ଚିନ୍ତକ, ଧର୍ମପତ୍ନୀ ଓ ମାଆ। ଆପଣଙ୍କ ପ୍ରଶ୍ନ ହିସାବରେ ମୋର ତୁଳନାତ୍ମକ ଭାବେ ସିନେମା  ସଂଖ୍ୟା କମ୍‌, କାରଣ ମୁଁ ପ୍ରଥମରୁ ବହୁତ ‘ଚୁଜି’। ମୁଁ ସବୁବେଳେ ଭଲ ଫିଲ୍ମ କରିବାକୁ ପ୍ରଚେଷ୍ଟା କରିଛି। ପସନ୍ଦ ଆସୁନଥିବା ଅନେକ ସିନେମାକୁ ମୁଁ ପ୍ରତ୍ୟାଖ୍ୟାନ କରିଛି। କିଛି ଫିଲ୍ମ ଅଧାରୁ ବନ୍ଦ ହୋଇଯାଇଛି। ସଂଖ୍ୟା କମ୍‌ ହୋଇଥିଲେ ବି ମୋର ପ୍ରତ୍ୟେକ ଫିଲ୍ମ ଓଲିଉଡ୍‌ର ମାଇଲଖୁଣ୍ଟ। ଏହାର ଶ୍ରେୟ ମୁଁ ମୋର ପୂରା ଟିମ୍‌କୁ ଦେବି।

କିଛି ଦିନ ହେବ ଆପଣ ଓ ଜଣେ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା ବିବାଦକୁ ନେଇ ଚର୍ଚ୍ଚା ଚାଲିଛି। ଏ ନେଇ ପାଠକଙ୍କୁ ଆପଣ କ’ଣ କହିବେ ?
ଜଣେ ପ୍ରଯୋଜକଙ୍କ ସହ ବିବାଦ ହୋଇଥିଲା ସୋସିଆଲ୍‌ ମିଡିଆରେ। ଦୁର୍ଭାଗ୍ୟର କଥା, ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ୮୦ ବର୍ଷ ହୋଇଗଲା। ହେଲେ ଏମିତି କୌଣସି ଅଭିନେତା ଓ ପ୍ରଯୋଜକଙ୍କ ମଧ୍ୟରେ ସୋସିଆଲ୍‌ ମିଡିଆ କଳି ଲାଗି ନ ଥିଲା। ମୁଁ ୫-୬ ମାସ ଅପେକ୍ଷା କରିବା ପରେ ଯାଇ ପଦକ୍ଷେପ ନେଲି। ଗୋଟେ ଆଡୁ ସେଟା ଠିକ୍‌ ହେଲା ଯେ ମୁଁ ଦର୍ପଣ ଦେଖେଇ ପାରିଲି। ଜଣେ ପାଇକପୁଅ, ଖେ‌ାର୍ଦ୍ଧା ଓ ପୁରୀର ନାତି ହିସାବରେ ମୁଁ ନିଜେ ଠିଆ ହୋଇପାରିଲି। ଜଣେଇ ପାରିଲି ଯେ ଭଲ ସନାତନୀ ଲୋକଙ୍କ ସହିତ ଲାଗିଲେ ଆପଣଙ୍କୁ କର୍ମର ସାମ୍ନା କରିବାକୁ ପଡ଼ିବ।

ଯଦି ଆପଣଙ୍କୁ ସୁଯୋଗ ମିଳେ ତେବେ ଆପଣ ଓଡ଼ିଆ ସିନେମା ଶିଳ୍ପରେ କେଉଁ ପରିବର୍ତ୍ତନ କରିବାକୁ ଚାହିଁବେ?

ବହୁତ କିଛି ପରିବର୍ତ୍ତନ କରିବାକୁ ହେବ। ବର୍ତ୍ତମାନ ସବୁଠାରୁ ଅଧିକ ଆବଶ୍ୟକ ହେଉଛି ପ୍ରେକ୍ଷାଳୟ। ୩୦୦ଟି ବ୍ଲକ୍‌ରେ ୨୦୦ ସିଟ୍‌ର ୩୦୦ଟା ଥିଏଟର୍‌ ହେଲେ ଯାଇ ଆମକୁ ଅପ୍‌ସନ୍ ମିଳିବ। ଡିଷ୍ଟ୍ରିବ୍ୟୁସନ୍ ନେଟ୍‌ୱାର୍କ ବଢ଼ିଲେ ଯାଇ କ୍ବାଲିଟି ସ୍କ୍ରିନ୍‌ପ୍ଲେ, ସ୍କ୍ରିପ୍ଟିଂ ଓ ଡିରେକ୍ସନ୍ ଭଲ ହେବ। ଏହାଛଡ଼ା କଳାକାରମାନଙ୍କ ପାଇଁ ମେକ୍‌ଅପ୍‌ ଭ୍ୟାନ୍‌ ପରି ସୁବିଧା ବି ମିଳିବା ଉଚିତ।

ଆପଣ ବିବାହ କେବେ କରିବେ? ଆପଣଙ୍କ ପତ୍ନୀଙ୍କ ଭିତରେ କେଉଁ ବିଶେଷ ଗୁଣ ରହିବା ଆବଶ୍ୟକ ବୋଲି ଆପଣ ଭାବନ୍ତି?
ଗୋ, ଭୂମି, ପତ୍ନୀ ଭାଗ୍ୟରେ ଥିଲେ ମିଳେ। ମୁଁ ସେ ବିଷୟରେ ଏ ପର୍ଯ୍ୟନ୍ତ ଭାବିନାହିଁ କି ତାହାକୁ ନେଇ ବ୍ୟାକୁଳ ବି ନୁହେଁ। ସେଇଟା ବିଧିର ବିଧାନ। ତେବେ ଧର୍ମପତ୍ନୀ ଯିଏ ହେବେ ସେ ସୁନ୍ଦରୀ ହୋଇଥିବେ ଓ କରୁଣାମୟୀ ହୋଇଥିବେ। ସେ ପାରମ୍ପରିକ ହେବା ସହ ତାଙ୍କ ମନରେ ଗୁରୁଜନଙ୍କ ପ୍ରତି ଭକ୍ତି, ସମାଜ ଓ ପଶୁପକ୍ଷୀଙ୍କ ପ୍ରତି କରୁଣା ଥିବା ଦରକାର। ‌‌ସୌନ୍ଦର୍ଯ୍ୟ, କରୁଣା ଓ ପରମ୍ପରା ମୁଁ ତାଙ୍କ ଭିତରେ ଦେଖିବାକୁ ଚାହେଁ।

ସମ୍ବନ୍ଧିତ ଖବର