ବନ୍ଦନା ମିଶ୍ର୍ର
ଆପଣ ଅନେକ ଧାରାବାହିକରେ ନାୟକ ଭୂମିକା ନିଭାଇ ସାରିଲେଣି। ପ୍ରଥମ ସୁଯୋଗ କେମିତି ପାଇଲେ?
ମୁଁ ଜଣେ ଏମ୍ବିଏ ଛାତ୍ର। ପଢ଼ା ସରିବା ପରେ ମୁଁ କ୍ୟାଡ୍ବରିରେ ଚାକିରି ପାଇଥିଲି। ସେଠି ପ୍ରାୟ ୭-୮ ମାସ ଚାକିରି କରିଛି। ଥରେ ଆମେ ଏକ ଫ୍ୟାମିଲି ଆଉଟିଂରେ ଯାଇଥିଲୁ। ହଠାତ୍ ମୋ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଲା। ସେଇ କଲ୍ଟି ‘କଲର୍ସ ଓଡ଼ିଆ’ ଚ୍ୟାନେଲ୍ରୁ ଆସିଥିଲା। ସେମାନେ ମୋତେ ଏକ ଧାରାବାହିକରେ ଅଭିନୟ ଲାଗି ପ୍ରସ୍ତାବ ଦେଲେ। ମୁଁ ପ୍ରଥମେ ଆଶ୍ଚର୍ଯ୍ୟ ହେଲି ଓ କହିଲି, ମୋତେ ଅଭିନୟ ବିଷୟରେ କିଛି ବି ଜଣାନାହିଁ। ସେମାନେ କହିଲେ, ଅଡିସନ୍ ଦେବା ପରେ ସବୁ ଦାୟିତ୍ବ ସେମାନଙ୍କର। ମୁଁ ଯାଇ ଅଡିସନ୍ ଦେଲି ଓ ସେଇଠୁ ମୋ ଅଭିନୟ ଯାତ୍ରା ଆରମ୍ଭ ହେଲା।
ଅାପଣ କ୍ରିକେଟ୍ ଖେଳିବାକୁ ଭଲପାଆନ୍ତି। ଖେଳରେ ରୁଚି ଥାଇ ବି କାହିଁକି ସେଥିରେ କ୍ୟାରିୟର୍ ଗଢ଼ିଲେନି?
ମୋ ଜୀବନରେ ସବୁ କିଛି ବିନା ଯୋଜନାରେ ଘଟିଛି। ମୁଁ ଟିକେ ଧର୍ମବିଶ୍ବାସୀ। ଈଶ୍ବରଙ୍କୁ ବହୁତ ବିଶ୍ବାସକରେ। ଆଉ ଈଶ୍ବରଙ୍କୁ ମୁଁ ପ୍ରାର୍ଥନା କରେ କି ଯାହା ବି ମୋ ପାଇଁ ଭଲ; ତାହା ତୁମେ ମୋତେ ଦିଅ। ମୁଁ ନିଜେ କିଛି ବାଛିନି। ହଁ, ମୁଁ ପିଲାଦିନରୁ କ୍ରିକେଟ୍ ଖେଳିବାକୁ ପସନ୍ଦ କରେ। ଫୁଟ୍ବଲ୍ ବି ଭଲ ଖେଳେ। ହେଲେ ମୁଁ ସେ ଦିଗରେ ବେଶି ଗୁରୁତ୍ବ ଦେଇନାହିଁ। ଆଜି ଯଦି କଳାକାରଟିଏ ହୋଇଛି ତେବେ ତାହା ଈଶ୍ବରଙ୍କ ଆଶୀର୍ବାଦ। ବହୁ ଚେଷ୍ଟା ସତ୍ତ୍ବେ ଯେଉଁ ଜାଗା ମିଳେନା, ମୁଁ ବିନା ଚେଷ୍ଟାରେ ସେଠି ପହଞ୍ଚିଛି। ଏହା ନିଶ୍ଚୟ ମୋ ମାଆବାପା ଓ ପରିବାର ଲୋକଙ୍କ ଆଶୀର୍ବାଦ।
ପ୍ରଥମ ପ୍ରେମ କେବେ ଓ କାହା ସହ ହୋଇଥିଲା?
ତୃତୀୟ ଶ୍ରେଣୀରେ ପଢ଼ିବା ବେଳେ ମୋର ପ୍ରଥମ ପ୍ରେମ, ତାହା ପୁଣି ଏକ ସାଇକେଲ୍ ସହିତ। ସେଇଟିକୁ ମୋ ଜନ୍ମଦିନରେ ଡାଡି ମୋତେ ଉପହାର ଦେଇଥିଲେ। ସେଦିନ ସେଇ ସାଇକେଲ୍କୁ ଦେଖି ଯେଉଁ ଖୁସି ମୁଁ ପାଇଥିଲି, ସେତିକି ଖୁସି ଆଜି ପର୍ଯ୍ୟନ୍ତ ମୁଁ ଅନ୍ୟ କେଉଁ ବି କଥାରେ ପାଇନି। ସେ ସମୟରେ ମୋ ହାର୍ଟବିଟ୍ ଏତେ ଜୋର୍ ବଢ଼ିଯାଇଥିଲା ଯେ ତାହା ଆଜି ବି ମନେଅଛି।
ସର୍ବଦା ଗମ୍ଭୀର ଭୂମିକା ଆପଣଙ୍କୁ କାହିଁକି ମିଳେ? ବାସ୍ତବରେ ଆପଣ ଟିକେ ଗମ୍ଭୀର ସ୍ବଭାବର କି?
ମୁଁ ଜାଣିନାହିଁ। ବୋଧହୁଏ ମୋ ବ୍ୟକ୍ତିତ୍ବକୁ ସେଇ ‘ଖଡୁସ୍’ ପରି ଚରିତ୍ର ବେଶି ଭଲ ଲାଗୁଥିବ ବା ମୁଁ ସେଇ ଅଭିନୟ ବେଶି ଭଲ କରୁଥିବି, ସେଥିପାଇଁ ମୋତେ ସେମିତି ହିଁ ଚରିତ୍ର ମିଳେ। ସତ କହିଲେ, ମୁଁ ଜମା ବି ଗମ୍ଭୀର କି ରାଗୀ ନୁହେଁ। ମୁଁ ସବୁବେଳେ ହସିବାକୁ ଓ ଖୁସିରେ ରହିବାକୁ ଭଲପାଏ। ମୋତେ ମଜାମଉଜ କରିବା, ପ୍ରାଙ୍କ୍ କରିବା, ଲୋକମାନଙ୍କୁ ଭଲପାଇବା ଦେବା ଖୁବ୍ ପସନ୍ଦ।
ଅନେକ ଅଭିନେତ୍ରୀଙ୍କ ସହ କାମ କରି ସାରିଲେଣି। ସେମାନଙ୍କ ମଧ୍ୟରୁ ଆପଣଙ୍କ ପ୍ରିୟ କିଏ?
ଜଣଙ୍କ ନାଁ ନେଲେ ଅନ୍ୟାୟ ହେବ। ସମସ୍ତେ ନିଜ ନିଜ ସ୍ଥାନରେ ଭିନ୍ନ ଓ ସ୍ବତନ୍ତ୍ର। ମୁଁ କହିବି କି ମୁଁ ବହୁତ ଭାଗ୍ୟବାନ୍। କାରଣ ବହୁତ ଭଲ ବରିଷ୍ଠ କଳାକାରମାନଙ୍କ ସହ ମୁଁ କାମ କରିବାର ସୁଯୋଗ ପାଇଛି। ମୋ ଅଭିନୟକୁ ଆହୁରି ଭଲ କରିବାକୁ ମୋତେ ସେମାନେ ସାହାଯ୍ୟ କରିଛନ୍ତି। ମୁଁ ଯଦି ବି ଆଜି ଅଭିନୟ କରିପାରୁଛି, ତାହା ସେମାନଙ୍କ ପାଇଁ ସମ୍ଭବ ହୋଇପାରିଛି।
ପରିବାରରେ କିଏ ସବୁ ଅଛନ୍ତି ଓ ଆପଣଙ୍କ ପ୍ରିୟ ମଣିଷ କିଏ?
ପରିବାରରେ ଡାଡି, ମମି, ମୁଁ, ମୋ ଭାଇ ଓ ଭଉଣୀ ଅଛନ୍ତି। ମୋର ସବୁଠୁ ପ୍ରିୟ ମୋ ଭାଇ ଆକାଶ ଓ ଭାଣିଜୀ ଟିଆ। ସେଇ ଦୁଇଜଣଙ୍କୁ ମୁଁ ସବୁଠୁ ଅଧିକ ଭଲପାଏ। ବାକି ସମସ୍ତେ ମୋତେ ବହୁତ ଭଲପାଆନ୍ତି।
ଅଧ୍ୟୟନ, ସଂଗୀତ, ଭ୍ରମଣ ଓ ସିନେମା ମଧ୍ୟରୁ ଆପଣଙ୍କର ସବୁଠୁ ପ୍ରିୟ କ’ଣ?
ସିନେମା। ସବୁ କଳାକାରଙ୍କର ନିଜକୁ ବଡ଼ ପରଦାରେ ଦେଖିବାକୁ ଇଚ୍ଛା ଥାଏ। ମୋର ବି ସେ ଇଚ୍ଛା ଅଛି। ମୁଁ ଶାହରୁଖ୍ ଖାନ୍ଙ୍କର ବହୁତ ବଡ଼ ଫ୍ୟାନ୍। ହ୍ରିତିକ୍ ରୋଶନ୍ ଓ ଅମିତାଭ ବଚ୍ଚନ ବି ବହୁତ ଭଲଲାଗନ୍ତି। ଜୀବନରେ ଥରୁଟିଏ ହେଉ ପଛେ ମୁଁ ବଡ଼ ପରଦାରେ ନିଜକୁ ଦେଖିବାକୁ ଚାହୁଛି। କାହିଁକି ନା ଏବେଯାଏ ମୋତେ ସେହି ଅନୁଭବ ମିଳିନାହିଁ। ଏହା ହିଁ ମୋର ସ୍ବପ୍ନ।