ଟେଲି ଧାରାବାହିକରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ସେ। ‘ବୋହୂ’, ‘ଜୀବନ ଯମୁନାରେ ଜୁଆର ଉଠେରେ’, ‘ସୁନାକଳସ’, ‘ପରୀ’ ‘ନଦୀ ଫେରେ ସାଗରକୁ’ ଆଦି ମେଗା ଧାରାବାହିକରେ ବିଭିନ୍ନ ଚରିତ୍ରରେ ଅଭିନୟ କରିବା ପରେ ସେ ସମୟକ୍ରମେ ଯାତ୍ରାରେ ପ୍ରବେଶ କରନ୍ତି। ୨୦୧୮ ମସିହାରେ ଯାତ୍ରାରେ ପ୍ରବେଶ କରିଥିଲେ ହେଁ କରୋନା ପରେ କିଛି ବର୍ଷ ଯାତ୍ରା କରିପାରି ନଥିଲେ। ସଂପ୍ରତି ସେ ‘ଦୁର୍ଗାମନ୍ଦିର’ ଯାତ୍ରା ଅନୁଷ୍ଠାନରେ ଦର୍ଶକଙ୍କ ମନୋରଞ୍ଜନ କରାଉଛନ୍ତି। ଜୁନ୍ ଶେଷରେ ‘ସିଂହବାହିନୀ’କୁ ଯିବାକୁ ସ୍ଥିର କରିଛନ୍ତି। ଏଥର ଯାତ୍ରା ଅଭିନେତ୍ରୀ ତମସା ମିଶ୍ରଙ୍କ ସହ ଅଳ୍ପ ଆଳାପ।

Advertisment

ବନ୍ଦନା ମିଶ୍ର୍ର

ଆପଣ ଧାରାବାହିକରେ ଅଭିନୟ କରୁଥିଲେ ଓ ଏବେ ଯାତ୍ରାରେ କରୁଛନ୍ତି। କେଉଁଥିରୁ ଆପଣଙ୍କୁ ବେଶି ଆତ୍ମସନ୍ତୋଷ ମିଳିଛି?
ଯାତ୍ରାରୁ। କାରଣ ଯାତ୍ରାରେ ପରିଶ୍ରମର ଫଳ ସଙ୍ଗେ ସଙ୍ଗେ ମିଳିଯାଏ। ଦର୍ଶକଙ୍କ ଠାରୁ ପ୍ରଶଂସା ହେଉ କି ନିନ୍ଦା, ସେଇଠି ସିଧାସିଧା ମିଳିଯାଏ। ହେଲେ ଧାରାବାହିକରେ ଦର୍ଶକ ଆପଣଙ୍କୁ ପସନ୍ଦ କରୁଛନ୍ତି କି ନାହିଁ ତାହା ସେମାନଙ୍କ ପରୋକ୍ଷ ପ୍ରତିକ୍ରିୟାରୁ ଟିକିଏ ବିଳମ୍ବରେ ଜଣାପଡ଼େ। 

ଆପଣ ଯେତେବେଳେ ଯାତ୍ରାରେ ଅଭିନୟ ଆରମ୍ଭ କଲେ ସଂପର୍କୀୟମାନେ କିପରି ଗ୍ରହଣ କଲେ? କିଛି ନକାରାତ୍ମକ କଥା ଶୁଣିବାକୁ ମିଳିଛି କି?
ଆଗରେ ତ କେହି କେବେ କିଛି କହନ୍ତି ନାହିଁ, ଯାହା କହୁଥିବେ ହୁଏତ ପଛରେ କହୁଥିବେ। ମୁଁ ପଛକୁହା କଥାକୁ ବିଶେଷ ଗୁରୁତ୍ବ ଦିଏନି। କାରଣ ଲୋକଙ୍କ ପ୍ରବୃତ୍ତି ହେଲା ପଛରେ ଗପିବା। ତାକୁ ଗୁରୁତ୍ବ ଦେଲେ ଆମେ ନିଜ କାମରୁ ନିଜକୁ ବିଚ୍ୟୁତ କରିବା।

ଧାରାବାହିକ ଓ ଯାତ୍ରାରେ ଆପଣଙ୍କ ପ୍ରିୟ ସହ-କଳାକାର କିଏ?
ଧାରାବାହିକରେ ସମସ୍ତେ। ଯାତ୍ରାରେ ସୁବାସ ଭାଇ (ସୁବାସ ବେହେରା)।

ସିନେମାରେ ସୁଯୋଗ ଖୋଜୁଛନ୍ତି କି? ଭଲ ଚରିତ୍ରଟିଏ ମିଳିଲେ କରିବେ?
ମୋତେ ସୁଯୋଗ ମିଳିଛି। ମାତ୍ର ମୁଁ ମନା କରିଛି। ମୋର ସିନେମା ପ୍ରତି ଆଦୌ ଆଗ୍ରହ ନାହିଁ। ମୋ ଝିଅ ଏବେ ଟିକେ ବଡ଼ ହେଇଗଲାଣି। ହେଲେ ମୋ ପୁଅକୁ ମାତ୍ର ଦେଢ଼ବର୍ଷ। ଆଗକୁ ତାକୁ ସମୟ ଦେବାକୁ ପଡ଼ିପାରେ। ଯାତ୍ରାରେ ରହିଲେ ସମୟ କାଢ଼ିବା ମୁସ୍କିଲ୍। ଯଦି ସେଭଳି ପରିସ୍ଥିତି ଆସେ ମୁଁ ପୁଣି ଥରେ ଧାରାବାହିକକୁ ଫେରିପାରେ; ହେଲେ ସିନେମାକୁ ନୁହେଁ।

ସ୍ବାମୀଙ୍କ ସହ ଆପଣଙ୍କର ସଂପର୍କ ପ୍ରଥମେ କିପରି ଗଢ଼ି ଉଠିଥିଲା?
ମୁଁ ଯେଉଁ ଧାରାବାହିକରେ ଅଭିନୟ କରୁଥିଲି, ସେ ସେଇଟିକୁ ଏଡିଟିଂ କରୁଥିଲେ। ସେ ମୋତେ ପସନ୍ଦ କଲେ ଓ ଜଣଙ୍କ ଜରିଆରେ ମୋ ସହ କଥା ହେଲେ। ସେ ସିଧା ବିବାହ ପ୍ରସ୍ତାବ ଦେଲେ। ଆମ ଘରେ ପ୍ରଥମେ ରାଜି ହେଉ ନଥିଲେ। କାରଣ ଆମର ଦୁଇ ଜଣଙ୍କର ଜାତି ଭିନ୍ନ। ହେଲେ ଆମେ ରାଜି କରାଇ ବିବାହ କଲୁ। ସେ ବହୁତ ଭଲ। ତାଙ୍କ ଉତ୍ତମ ବୁଝାମଣା ପାଇଁ ହିଁ ମୁଁ ଆଜି ଏତେ କାମ କରିପାରୁଛି।

ଧାରାବାହିକ ଓ ଯାତ୍ରାର ସଂଳାପ କହିବା ଶୈଳୀ ଅଲଗା। ଯାତ୍ରାରେ ସଂଳାପ କହିବାକୁ ଅସୁବିଧା ହୋଇନି?
ନା। କିଛି ବି ଅସୁବିଧା ହୋଇନି। ଏବେ ଯାତ୍ରା ଆଉ ଆଗପରି ନାହିଁ। ଯାତ୍ରାରୁ ମେଲୋ ଡ୍ରାମା କମିଗଲାଣି। ଆଗରୁ ସାଉଣ୍ଡ୍ ସୁବିଧା ବେଶି ନଥିବାରୁ କଳାକାରମାନଙ୍କୁ ବଡ଼ ପାଟିରେ କହିବାକୁ ପଡୁଥିଲା। ଏବେ ବିଭିନ୍ନ କୌଶଳ ଉପଲବ୍ଧ। ଚିଲେଇକି ନକହିଲେ ବି ଦର୍ଶକଙ୍କ ନିକଟରେ ସ୍ବର ପହଞ୍ଚିବ। ତେଣୁ ମୁଁ ଧାରାବାହିକରେ ଯେପରି ସଂଳାପ କହୁଥିଲି ଏବେ ବି ସେପରି କହୁଛି। ଯାତ୍ରାରେ ବଛାବଛା କେତେ ଜଣ ଅଛନ୍ତି, ଯିଏକି ମେଲୋ ଡ୍ରାମା କରନ୍ତି। ହେଲେ ଏବେ ଅଧିକାଂଶ କଳାକାର ସ୍ବାଭାବିକ ଶୈଳୀରେ ସଂଳାପ କହୁଥିବାର ଆପଣ ଶୁଣୁଥିବେ।

ଅଭିନୟ ବ୍ୟତୀତ ଆଉ କ’ଣ କରିବାକୁ ଆପଣଙ୍କୁ ବେଶି ଭଲ ଲାଗେ?
ମୋତେ ବୁଲିବାକୁ ବହୁତ ଭଲଲାଗେ। ମୁଁ ସମୟ କାଢ଼ି ମୋ ପରିବାର ସହ ବୁଲିବାକୁ ଭଲପାଏ।