ଭୁବନେଶ୍ବର: ନବେ ଦଶକରେ ଓଲିଉଡର ଜଣେ ଲୋକପ୍ରିୟ ନାୟିକା ଥିଲେ ରଚନା ବାନାର୍ଜୀ। ସେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ ସାଗର ଗଙ୍ଗା’ ଜରିଆରେ ଓଲିଉଡ୍ରେ ପ୍ରବେଶ କରିଥିଲେ । ତେବେ ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ଭାଇ ହେଲା ଭଗାରୀ’ ରେ ସିଦ୍ଧାନ୍ତ ମହାପାତ୍ରଙ୍କ ଅପୋଜିଟ୍ରେ ହିରୋଇନ୍ ହେବା ପରେ ଓଲିଉଡରେ ଷ୍ଟାର୍ ବନିଥିଲେ ରଚନା ବାନାର୍ଜୀ। ଏହାପରେ ସେ ଅଧିକାଂଶ ସିନେମାରେ ସିଦ୍ଧାନ୍ତ ମହାପାତ୍ରଙ୍କ ସହିତ ଅନସ୍କ୍ରିନ୍ ରୋମାନ୍ସ କରିଛନ୍ତି। ତେବେ ରଚନା ଉତ୍ତମ ମହାନ୍ତି ଓ ମିହିର ଦାସଙ୍କ ସହ ବି ପରଦାରେ ରୋମାନ୍ସ କରିଛନ୍ତି।
କେବଳ ଉତ୍ତମ ମହାନ୍ତି ଓ ମିହିର ଦାସଙ୍କ ସହ ନୁହେଁ, ବରଂ ଜଣେ ବାଂଲାଦେଶୀ ନାୟକଙ୍କ ସହ ବି ଓଡ଼ିଆ ଛବିରେ ନଜର ଆସିଛନ୍ତି। ଏହି ନାୟକ ହେଲେ ଫିରଦୌସ ଅହମ୍ମଦ। ଯେଉଁ ସିନେମାରେ ଏହି ଯୋଡ଼ି ନଜର ଆସିଥିଲେ, ତାର ଶୀର୍ଷକ ହେଲା ‘ପରଦେଶୀ ବାବୁ’। ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଛବିରେ ସିଦ୍ଧାନ୍ତ ବି ଅଭିନୟ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଦେବୁ ବୋଷ, ସୁପ୍ରିୟା ଦେବୀ, ବ୍ରଜ ସିଂହ, ହର ପଟ୍ଟନାୟକ, ନିଖିଲ ବରଣ ସେନଗୁପ୍ତ ଓ ଦେବୁ ପଟ୍ଟନାୟକ ପ୍ରମୁଖ ଅଭିନୟ କରିଥିଲେ। ଏହା ଏକ ତ୍ରିଭାଷୀ ଛବି ଥିଲା। ଏହା ଓଡ଼ିଆ, ବଙ୍ଗଳା ଓ ବାଂଲାଦେଶୀ ଏଭଳି ତିନିଟି ଭାଷାରେ ମୁକ୍ତିଲାଭ କରିଥିଲା। ଏହାର ସଂଳାପ ଲେଖିଥିଲେ ଡାକ୍ତର ସୁବୋଧ ପଟ୍ଟନାୟକ। ଏହା ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା।