ମୁମ୍ବାଇ: ବଲିଉଡ ଅଭିନେତା ପ୍ରତୀକ ବବ୍ବର ଭାଲେଣ୍ଟାଇନ୍ ଡେ’ରେ ଦ୍ବିତୀୟ ଥର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।। କିନ୍ତୁ ସେ ଏହି କାର୍ଯ୍ୟକ୍ରମରେ ତାଙ୍କ ପରିବାରକୁ ନିମନ୍ତ୍ରଣ କରିନଥିବା ସାମ୍ନାକୁ ଆସିଥିଲା। ତାଙ୍କ ବାପା ରାଜ୍ ବବ୍ବର, ସାବତ ଭାଇ ଆର୍ଯ୍ୟ ବବ୍ବର ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବିବାହ ପାଇଁ ନିମନ୍ତ୍ରଣ କରାଯାଇନଥିବା ଜଣାପଡ଼ିଥିଲା। ଏହି କାରଣ ପାଇଁ ରାଜ୍ ବହୁତ ଦୁଃଖିତ ଥିବା କହିଛନ୍ତି ପ୍ରତୀକଙ୍କ ସାବତ ଭାଇ ଆର୍ଯ୍ୟ ବବ୍ବର।
ସେ କହିଛନ୍ତି ଯେ, "ବୋଧହୁଏ ଆମେ ପରିବାର ଭାବରେ ତାଙ୍କୁ ନିରାଶ କରିଛୁ। ଆମ ପରିବାରର ଅନ୍ୟ ସଦସ୍ୟମାନେ ଯେମିତି କି ମୋ ମା’ (ନାଦିରା ବବ୍ବର), ମୋ ଭଉଣୀ (ଜୁହି ବବ୍ବର), କିମ୍ବା ମୋତେ ନିମନ୍ତ୍ରଣ ନକରିବା କ୍ଷମାଯୋଗ୍ୟ ହୋଇପାରେ। ହୁଏତ ଆମେ ତାଙ୍କୁ ପରିବାର ଭାବରେ ନିରାଶ କରିଛୁ। ଯଦିଓ ଆମେ ତାଙ୍କୁ କେବେ ସାବତ ଭାଇ ଭଳି ବ୍ୟବହାର କରିନାହୁଁ। ଆମକୁ ଡାକିଲେନି ତାହା ଚଳିବ। କିନ୍ତୁ ବାପା? ବାପାଙ୍କୁ ନିମନ୍ତ୍ରଣ ନକରି ସେ ତାଙ୍କୁ ବହୁତ କଷ୍ଟ ଦେଇଛନ୍ତି। ଏହା କରି, ପ୍ରତୀକ ତାଙ୍କ ମା’ ମହାନ ସ୍ମିତା ପାଟିଲଜୀଙ୍କୁ ମଧ୍ୟ ଆଘାତ ଦେଇଛନ୍ତି। ସ୍ମିତାଜୀ ଥିଲେ ସେ କ’ଣ ଏଭଳି କରିବାକୁ ଦେଇଥାନ୍ତେ।"
ସେ ଆହୁରି କହିଛନ୍ତି, "ଆମେ ସର୍ବଦା ପ୍ରତୀକଙ୍କୁ ପରିବାରର ଏକ ଅବିଚ୍ଛେଦ୍ୟ ଅଂଶ ବୋଲି ମାନିଛୁ। ଆମ ହୃଦୟର ଦ୍ୱାର ତାଙ୍କ ପାଇଁ ସର୍ବଦା ଖୋଲା। ଆମେ ଆଶା କରୁଛୁ ଯେ ସେ ବିବାହରେ ଖୁସିରେ ରହିବେ।"
ଉଲ୍ଲେଖଯୋଗ୍ୟ, ବଲିଉଡ ଅଭିନେତା ରାଜ୍ ବବ୍ବର ପ୍ରଥମେ ନଦିରା ବବ୍ବରଙ୍କୁ ବିବାହ କରିଥିଲେ। ଏହା ପରେ ଦୁହେଁ ଆର୍ଯ୍ୟ ଓ ଜୁହି ବବ୍ବରଙ୍କ ମାତାପିତା ହୋଇଥିଲେ। ବିବାହର କିଛି ବର୍ଷ ପରେ ନଦିରାଙ୍କୁ ଧୋକା ଦେଇ ରାଜ୍ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ପ୍ରେମରେ ପଡ଼ିଥିଲେ। ଏହା ପରେ ତାଙ୍କୁ ୧୯୮୩ରେ ବିବାହ କରିବା ସହ ୧୯୮୬ରେ ପ୍ରତୀକଙ୍କ ଜନ୍ମ ହୋଇଥିଲା। ହେଲେ ପ୍ରତୀକଙ୍କ ଜନ୍ମ ସମୟରେ ପ୍ରସବ ସମ୍ବନ୍ଧିତ ସମସ୍ୟା ହେବାରୁ ସ୍ମିତାଙ୍କ ମୃତ୍ୟୁ ହୋଇଥିଲା। ସ୍ମିତାଙ୍କ ମୃତ୍ୟୁ ପରେ ରାଜ୍ ପୁଣି ନିଜ ପ୍ରଥମ ପତ୍ନୀଙ୍କ ପାଖକୁ ଫେରିଯାଇଥିଲେ ଓ ପ୍ରତୀକ୍ ନିଜ ଅଜା-ଆଈଙ୍କ ସହ ରହିବା ଆରମ୍ଭ କରିଥିଲେ।