ଆଜିଠାରୁ ଜୀ ସାର୍ଥକରେ ରିଅଲିଟି ସୋ’ ‘ରଜ କୁଇନ୍’ର ପ୍ରସାରଣ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ୧୩ତମ ‘ରଜ କୁଇନ୍’ ପାଇଁ ଅଡିସନ୍ ସରିଯାଇଛି। ଜଗତ୍ସିଂହପୁର, ଯାଜପୁର, ଢେଙ୍କାନାଳ, ପୁରୀ, ଭୁବନେଶ୍ବର, ବାଲେଶ୍ୱର, କେଉଁଝର, ରାଉରକେଲା, ଭଦ୍ରକ, ଅନୁଗୁଳ ଓ କଟକରେ ଅନୁଷ୍ଠିତ ଅଡିସନ୍ରେ ବଛାଯାଇଥିବା ପ୍ରତିଯୋଗୀମାନଙ୍କୁ ନେଇ ଆରମ୍ଭ ହେବ ‘ରଜ କୁଇନ୍ ୨୦୨୫’ର ଅନ୍ତିମ ପର୍ଯ୍ୟାୟ।
ଚଳିତ ବର୍ଷ ବିଚାରକ ଭାବରେ ଲିପି ମହାପାତ୍ର, ଶ୍ରୀତମ ଦାସ ଓ ଦେବାଶିଷ ପାତ୍ର ଦର୍ଶକଙ୍କ ସାମ୍ନାକୁ ଆସିବେ। ଏହାଛଡ଼ା ମେଣ୍ଟର ଭାବରେ ଓଲିଉଡ୍ର ଜଣାଶୁଣା ନାୟିକା ଦିବ୍ୟା, ସୂର୍ଯ୍ୟମୟୀ, ଅନୀଷା ଓ ଅନୁଭା ନଜର ଆସିବେ। ଏପ୍ରିଲ ୧୯ ତାରିଖରୁ ପ୍ରତି ଶନିବାର ଓ ରବିବାର ରାତି ୯.୩୦ ମିନିଟ୍ରେ କେବଳ ଜୀ ସାର୍ଥକରେ ପ୍ରସାରଣ ହେବାକୁ ଯାଉଛି ‘ରଜ କୁଇନ୍’। ତେବେ ଚଳିତ ସିଜନ୍ର ରଜ କୁଇନ୍ କିଏ ହେଉଛନ୍ତି, ତାହା କାର୍ଯ୍ୟକ୍ରମର ଶେଷ ଅଧ୍ୟାୟରେ ଜଣାପଡ଼ିବ।