ପ୍ରଥମଟି କିନ୍ନରମାନଙ୍କ ଜୀବନ କାହାଣୀ ଆଧାରିତ, ଦ୍ବିତୀୟଟି ଅଭିନବ ପ୍ରେମ କାହାଣୀ ଏବଂ ତୃତୀୟଟି ପାରମ୍ପରିକ ଗ୍ରାମୀଣ ଓ ସାମାଜିକ ଜୀବନ ଉପରେ ପର୍ଯ୍ୟବସିତ। ରଜ ସିଜିନ୍ ସିନେମାର କ୍ରେଜି ସିଜିନ୍। ନିକଟରେ ରାଜଧାନୀର ମହାରାଜାରେ ‘ଟି’ ଓ ସିନେପଲିସ୍‌ରେ ‘ପ୍ରୀତିବନ୍ଧନ’ ଏବଂ ଶୀୟା ପ୍ରେକ୍ଷାଳୟ ସହିତ ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି ଫିଲ୍ମ ‘ଶଳା ବୁଢ଼ାର ବଦ୍‌ଲା’। ଜାତୀୟସ୍ତରରେ ପୁରସ୍କାରପ୍ରାପ୍ତ ‘ଶଳା ବୁଢ଼ାର ବଦ୍‌ଲା’ ଓ ‘ଟି’ ଏବେ ଦର୍ଶକ ଦେଖିପାରିବେ। ମୁକ୍ତିଲାଭ ପୂର୍ବରୁ ‘ଟି’ ଚଳଚ୍ଚିତ୍ରଟିକୁ ଓଲିଉଡ୍ କଳାକାର, ଗଣମାଧ୍ୟମର ପ୍ରତିନିଧି, ସମୀକ୍ଷକ, ଏପରିକି ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ଦେଖିବା ପାଇଁ ସିନେପଲିସ୍ ପ୍ରେକ୍ଷାଳୟରେ ସ୍ବତନ୍ତ୍ର ଭାବେ ସ୍କ୍ରିନିଂ କରାଯାଇଥିଲା।

Advertisment

publive-image

ଟି
ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଚଳଚ୍ଚିତ୍ର ‘ଟି’ ଆରମ୍ଭରୁ ହିଁ ଚର୍ଚ୍ଚାରେ ଥିଲା। ପ୍ରଥମ ଥର ପାଇଁ ଏଭଳି ସିନେମାକୁ ମିଳିଛି ୟୁ/ଏ ସେନସର୍ ସାର୍ଟିଫିକେଟ୍। ଜିତେଶ କୁମାର ପରିଡ଼ାଙ୍କ ନିର୍ଦ୍ଦେଶିତ ‘ଟି’ ଏବେ ସାରା ଓଡ଼ିଶାରେ ମୁକ୍ତିଲାଭ କରିଛି। ପୂର୍ବରୁ ଏହା ଜୟପୁର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ମୁମ୍ବାଇର ଗୋଲ୍‌ଡେନ୍ ଜୁରି ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହୋଇ ସର୍ବୋତ୍ତମ ଏଲ୍‌ଜିବିଟି ଫିଲ୍ମ ପୁରସ୍କାର ପାଇଛି। ଦେଶରେ ସମ୍ଭବତଃ ପ୍ରଥମ ଥର ପାଇଁ ଟ୍ରାନ୍ସଜେଣ୍ଡରଙ୍କ ଜୀବନୀକୁ ନେଇ ଏଭଳି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ସମାଜରେ ଟ୍ରାନ୍ସଜେଣ୍ଡର ସବୁବେଳେ ଅବହେଳିତ ଓ ନିଷ୍ପେଷିତ। ତରୁଣ ବିଷ୍ଣୁ ସମୟକ୍ରମେ ମେଘନା ନାଁରେ ପରିଚିତ ହେଇଛି। ଟ୍ରାନ୍ସଜେଣ୍ଡର କମ୍ୟୁନିଟିର ମେଘନାଙ୍କ ସଂଘର୍ଷର କାହାଣୀ ତାଙ୍କର ଜନ୍ମରୁ ଆରମ୍ଭ କରି ତାଙ୍କ ବୈବାହିକ ଜୀବନ ଯାଏ ଲମ୍ବିଛି। ତାଙ୍କୁ ଆଗକୁ ଯିବାରେ ସହଯୋଗ କରିଛନ୍ତି ତାଙ୍କ ସମ୍ପ୍ରଦାୟର କିଛି ସହଯୋଗୀ।

ଜିତେଶ କୁମାର, ଜିତେନ୍ଦ୍ର ରାୟ, ହିମାଦ୍ରି ତନୟା ଦାସ, ମୋହିତ କୁମାର ପୁରୀ, ଦେବାଶିଷ ସାହୁ ଓ ବିଘ୍ନହର୍ତ୍ତା ମୁଭିଜ୍‌ର ମିଳିତ ପ୍ରଯୋଜନାରେ ନିର୍ମିତ ଏଇ ଚଳଚ୍ଚିତ୍ରରେ ଉଷସୀ ମିଶ୍ର, ପ୍ରସନ୍ନଜିତ ମହାପାତ୍ର, ହର ରଥ, ରଣବୀର କାଲ୍‌ସି ଓ ଦେବାଶିଷ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

publive-image

ପ୍ରୀତିବନ୍ଧନ
ନେକ୍ସଟ୍ ଡୋର ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରୀତିବନ୍ଧନ’ ମଧ୍ୟ ସମାନ ଦିନରେ ମୁକ୍ତିଲାଭ କରିଛି। ଏହା ଏକ ଅଭିନବ ତ୍ରିକୋଣୀୟ ପ୍ରେମ କାହାଣୀ ହେଲେ ମଧ୍ୟ ଏଥିରେ ରହିଛି ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା। ପ୍ରଶାନ୍ତ କୁମାର ନାୟକ ଓ ନରେନ୍ଦ୍ର ପାତ୍ରଙ୍କ ପ୍ରଯୋଜିତ ‘ପ୍ରୀତି ବନ୍ଧନ’ର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ତଥା ଅଭିନେତା ରାଶେସ ମହାନ୍ତି। ସଙ୍ଗୀତ ସଜାଇଛନ୍ତି ଅଭିଜିତ ମଜୁମ୍‌ଦାର। ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର. ଓ ସୁଧାକର ବସନ୍ତ। ଏଥିରେ ମୁଖ୍ୟ ଭୂମିକାରେ ସମ୍ବିତ, ତମନ୍ନା ଓ ତୃପ୍ତି ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପୁଷ୍ପା ପଣ୍ଡା, ପୃଥ୍ବୀରାଜ ନାୟକ, ଭୂପତି ତ୍ରିପାଠୀ, କେଦାର ମିଶ୍ର, ଥିନ୍, ସର ଅପା, ଅଳକା, ପ୍ରଶାନ୍ତ ନାୟକ, ନୂପୁର ଓ ସସ୍ମିତା ପ୍ରମୁଖ ନଜରକୁ ଆସିଛନ୍ତି।

publive-image

ଶଳା ବୁଢ଼ାର ବଦ୍‌ଲା
ଚଳିତ ମାସ ୨୬ ତାରିଖରେ ମୁକ୍ତିଲାଭ କରିଛି ଚଳଚ୍ଚିତ୍ର ‘ଶଳା ବୁଢ଼ାର ବଦ୍‌ଲା’। ଅଟଳ ବିହାରୀ ପଣ୍ଡା, ଚନ୍ଦନା ସିଂହ, ଲୋଚନୀ ବାଗ୍‌, ଜିତ୍, ମଣ୍ଟୁ ମହାପାତ୍ର ପ୍ରଭୃତି କଳାକାର ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। କପିଳେଶ୍ବର ମହାପାତ୍ର ଏହି ଚଳଚ୍ଚିତ୍ରର କାହାଣୀ ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ସବ୍ୟସାଚୀ ମହାପାତ୍ର। ଏକ ବିବାହ ଶୋଭାଯାତ୍ରାରେ କଳହ ଯୋଗୁ ଦୁଇଟି ଗାଁ ମଧ୍ୟରେ ଥିବା ମଧୁର ସମ୍ପର୍କ ତିକ୍ତ ପରିସ୍ଥିତି ସୃଷ୍ଟିକରୁଛି। ଏ ବିବାହ କୌଣସିମତେ ଗାଁ ମୁଖିଆଙ୍କ ଦ୍ୱାରା ସମ୍ପନ୍ନ ହେଉଛି, ମାତ୍ର ଦୁଇ ପଡ଼ୋଶୀ ଗାଁର ଲୋକମାନଙ୍କ ମଧ୍ୟରେ ସବୁଦିନ ପାଇଁ ଶତ୍ରୁତା ଲାଗିରହୁଛି। କେବେ ବି କେହି କାହା ରାସ୍ତା ଦେଇ ଅନ୍ୟତ୍ର ଯିବେନାହିଁ ବୋଲି ଶପଥ ନେଉଛନ୍ତି। ଏହା ଏକ ଜଟିଳ ଭାବନା ଏବଂ ସମ୍ପର୍କର ବିଡ଼ମ୍ବନା ହେଲେ ବି ସରଳ ମାନବ ହୃଦୟର ମୂଲ୍ୟବୋଧକୁ ଆଲୋକିତ କରିଛି। ସମାଜରେ ବିଶୃଙ୍ଖଳା, ଦ୍ୱନ୍ଦ୍ୱ ଏବଂ କ୍ରୋଧ ଥାଇ ମଧ୍ୟ ମଣିଷ ଭିତରେ ସୁନ୍ଦର ସମ୍ପର୍କ ଗଢ଼ିଉଠିଛି। ଲୁପ୍ତପ୍ରାୟ ଲୋକସଂସ୍କୃତିକୁ ଏହି ଚଳଚ୍ଚିତ୍ର ମାଧ୍ୟମରେ ଉଦ୍‌ଜୀବିତ କରାଯାଇଥିବା ବେଳେ ଏଥିରେ ଥିବା ସଙ୍ଗୀତ ମଧ୍ୟ ମର୍ମସ୍ପର୍ଶୀ ହୋଇଛି।