ଅନୁଭବଙ୍କୁ ଟକ୍କର ଦେବେ ଏହି ଓଲିଉଡର ଏହି ଲୋକପ୍ରିୟ ନାୟକ ଯୋଡ଼ି

ଭୁବନେଶ୍ବର: ଏଥର ରଜବଜାରରେ ଦୁଇଟି ଓଡ଼ଆ ଛବି ରିଲିଜ୍ ହେବା ନିଶ୍ଚିତ ହୋଇଛି। ଏଥିମଧ୍ୟରୁ ଗୋଟିକରେ ଏକା ଅନୁଭବ ଥିବା ବେଳେ ଅନ୍ୟଟିରେ ଏକ ଯୋଡ଼ା ନାୟକ ଅଛନ୍ତି। ଏଠାରେ ଯେଉଁ ଯୋଡ଼ିଙ୍କ କଥା କୁହାଯାଉଛି, ସେମାନେ ହେଲେ ସିଦ୍ଧାନ୍ତ ଓ ଶୈଳେନ୍ଦ୍ର। ଏହି କଳାକାରଙ୍କ ଭିତରେ ଜବରଦସ୍ତ ଟକ୍କର ହେବାକୁ ଯାଉଛି।

ରଜରେ ରିଲିଜ୍ ହେବାକୁ ଥିବା ଅଶୋକ ପତିଙ୍କ ନୂଆ ସିନେମା ‘ଗୁଡ୍ଡୁ ଗ୍ୟାଙ୍ଗଷ୍ଟର’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନମ୍ରତା ଥାପା ଏବଂ ଶୈଳେନ୍ଦ୍ରଙ୍କ ସହ ନଜର ଆସିବେ ଶିବାନୀ। ଏହାଛଡ଼ା ସୂର୍ଯ୍ୟମୟୀ କେକେ, ଏଲି ପାଢ଼ୀ ଓ ବବି ମିଶ୍ର ପ୍ରମୁଖ ଅଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ। ସବୁଠାରୁ ବଡ଼ କଥା ହେଲା ଯେ ଏଥିରେ ସିଦ୍ଧାନ୍ତ ଓ ଶୈଳେନ୍ଦ୍ରଙ୍କ ଲୁକ୍ସ ଦର୍ଶକଙ୍କୁ ପସନ୍ଦ ଆସିଲାଣି। ଏମିତି ଫିଲ୍ମରେ ଜବରଦସ୍ତ ଆକ୍ସନ୍ ରହିଛି। ସିଦ୍ଧାନ୍ତ ଓ ଶୈଳେନ୍ଦ୍ରଙ୍କ ଯୋଡ଼ିକୁ ସୋସିଆଲ୍ ମିଡିଆରେ ବି ଆଦୃତି ମିଳିଛି।   ପ୍ରୀତମ ସାହୁ ଏହାର ନିର୍ମାତା। ଅସଦ ନିଜାମ ଏହାର ସଙ୍ଗୀତକାର। ଏହା ଏକ ଆକସନ୍ ଭିତ୍ତିକ ସିନେମା। ଉଲ୍ଲେଖଯୋଗ୍ୟ ସିଦ୍ଧାନ୍ତ ଓ ଶୈଳେନ୍ଦ୍ରଙ୍କୁ ପୂର୍ବରୁ ‘ତୋର ମୋର କଟି‘ରେ ଦର୍ଶକ ଦେଖିବାକୁ ପାଇଥିଲେ।

ତେଣେ ରଜବଜାରକୁ ସରଗରମ କରିବାକୁ ଆସୁଥିବା ତାପସ ସରଘରିଆଙ୍କ ନିର୍ଦେଶିତ ଓଡ଼ିଆ ଛବି‘ଲଭ ଇନ୍ ଲଣ୍ଡନ’ରେ ଅନୁଭବ ମହାନ୍ତି ଅଛନ୍ତି ଲଭରବୟ ଲୁକରେ। କେତୋଟି ଆକ୍ସନ୍ ଫିଲ୍ମ ପରେ ସେ ପୁଣି ପ୍ରେମକାହାଣୀ ଆଧାରିତ ଛବିରେ ଦେଖା ଦେଉଛନ୍ତି। ତାଙ୍କ ବିପକ୍ଷରେ ଦୁଇ ଜଣ ନାୟିକା ଅଛନ୍ତି। ଦୁହେଁ ନବାଗତା। ଜଣେ ହେଲେ ସ୍ୱପ୍ନା ପ୍ରିୟଦର୍ଶିନୀ। ଏହାର ଅନ୍ୟତମ ନାୟିକା ହେଲେ ସୌମ୍ୟା ସଚଦେବ। ତାପସ ସରଘରିଆ ନିଜେ ଏହାର କାହାଣୀ ଲେଖିଥିବା ବେଳେ ଚିତ୍ରନାଟ୍ୟ ଲେଖିଛନ୍ତି ସୁରେଶ ପଟ୍ଟନାୟକ ଏବଂ ଅନ୍ତର୍ଯ୍ୟାମୀ ସରଘରିଆ ସଂଳାପ ରଚନା କରିଛନ୍ତି। ବୈଦ୍ୟନାଥ ଦାଶ ଓ ଅସଦ୍ ନିଜାମ୍ ଏହାର ସଙ୍ଗୀତକାର।

ଏବେ ଦେଖିବା କଥା ଅନୁଭବ ବନାମ ସିଦ୍ଧାନ୍ତ ଓ ଶୈଳେନ୍ଦ୍ରଙ୍କ ଯୋଡ଼ିଙ୍କ ଟକ୍କରରେ କିଏ ବ୍ୟବସାୟରେ ଆଗରେ ରହୁଛି, କିଏ  ପଛରେ ପଡ଼ୁଛି!

ସମ୍ବନ୍ଧିତ ଖବର