‘ପଦ୍ମାବତୀ’ ପ୍ରଦର୍ଶନ କରିବେ ନାହିଁ ରାଜସ୍ତାନର ଚଳଚ୍ଚିତ୍ର ବିତରକ!

ଯୋଧପୁର: ସଂଜୟଲୀଲା ଭଂସାଲିଙ୍କ ଅପ୍‌କମିଂ ଚଳଚ୍ଚିତ୍ର ‘ପଦ୍ମାବତୀ’ ସୁଟିଂ ଆରମ୍ଭରୁ ବିବାଦରେ ରହି ଆସିଛି। ଏହି ବିବାବ ନ ଥମିବା ଯାଏ ରାଜସ୍ତାନର ଚଳଚ୍ଚିତ୍ର ବିତରକ ଏହାକୁ ସ୍କ୍ରିନ୍‌ରେ ପ୍ରଦର୍ଶନ କରିବେ ନାହିଁ ବୋଲି କହିଛନ୍ତି। ବିବାଦ କମିଲେ ଯାଇ ସେମାନେ ବିତରଣ ଅଧିକାର କିଣିବେ ବୋଲି ସ୍ପଷ୍ଟ କରିଛନ୍ତି। ଚଳଚ୍ଚିତ୍ରରେ ରାଜସ୍ତାନୀ ସଂସ୍କୃତିକୁ କଦର୍ଥ କରାଯାଇଛି ବୋଲି ଦାବି କରି କର୍ଣ୍ଣି ସେନା ସମେତ ବିଭିନ୍ନ ରାଜପୁତ ସଂଗଠନ ଚଳଚ୍ଚିତ୍ରକୁ ମୁକ୍ତିଲାଭ କରାଇ ନ ଦେବା ପାଇଁ ଧମକ ଦେଇଛନ୍ତି।

ଏ ସଂପର୍କରେ ଜଣେ ବିତରକ ସଞ୍ଜୟ ଚାଟର କହନ୍ତି, ‘ପ୍ରେକ୍ଷାଳୟରେ ଛାଡ଼ିବାର ଯୋଜନା କରିବା ପୂର୍ବରୁ ପ୍ରଥମେ ଚଳଚ୍ଚିତ୍ର ନିର୍ମାତା ଏବଂ ତାଙ୍କ ଟିମ୍‌ ଉପୁଜିଥିବା ବିବାଦ ସମାଧାନ କରନ୍ତୁ। ଚଳଚ୍ଚିତ୍ର ଯେପରି ଐତିହାସିକ ତଥ୍ୟର କୌଣସି ପ୍ରକାର କଦର୍ଥ ନ କରେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ।’

ରାଜସ୍ତାନରେ ୩୦୦ରୁ ଊର୍ଧ୍ୱ ହଲ୍ ରହିଛି। ଏ ସଂପର୍କରେ ରାଜସ୍ତାନର ବିଜେପି ବିଧାୟିକା ଦିବ୍ୟ କୁମାରୀ କହନ୍ତି, ‘ରାଜସ୍ତାନୀ ସଂସ୍କୃତିକୁ କଦର୍ଥ କରୁଥିବା ଚଳଚ୍ଚିତ୍ରଟିକୁ କିଣିବାର ଅଧିକାର କୌଣସି ବିତରକଙ୍କୁ ଦିଆଯିବ ନାହିଁ।’

ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରଟି ଆରମ୍ଭରୁ ହିଁ ବିବାଦୀୟ ପରିସରଭୁକ୍ତ ହୋଇଛି। ଚଳଚ୍ଚିତ୍ରରେ ରାଜସ୍ତାନୀ ସଂସ୍କୃତିକୁ ଭୁଲ୍‌ ଭାବେ ପ୍ରଦର୍ଶିତ କରାଯାଇଛି ବୋଲି ଦାବି ହୋଇଛି। ଏପରିକି ଦିପାବଳୀରେ ଚଳଚ୍ଚିତ୍ର ଚରିତ୍ରରେ ଥିବା ଦୀପିକାଙ୍କ ଏକ ରଙ୍ଗୋଲୀକୁ କର୍ଣ୍ଣି ସେନା ନଷ୍ଟ କରି ଦେଇଥିଲେ। ନିକଟରେ ‘ପଦ୍ମାବତୀ’ର ବ୍ୟାନ୍‌ ଦାବି କରି ଚିତୌରଠାରେ ଏକ ଗଣଧାରଣା ମଧ୍ୟ କରାଯାଇଥିଲା। ଏପରିକି ନିକଟରେ ରିଲିଜ ହୋଇଥିବା ଦୀପିକାଙ୍କ ‘ଘୁମର’ ନୃତ୍ୟରେ ମଧ୍ୟ ତ୍ରୁଟି ପରିଲିକ୍ଷିତ ହୋଇଛି। ନୃତ୍ୟରେ ଦୀପିକାଙ୍କ ଦୀପ, ଓଢ଼ଣା ଧରିବାର ଶୈଳୀ ଏବଂ ନୃତ୍ୟ ଭଙ୍ଗୀରେ ଭିନ୍ନତା ରହିଛି ଏବଂ ଏହା ରାଜସ୍ତାନୀ ସଂସ୍କୃତିକୁ ଅପମାନିତ କରୁଛି ବୋଲି ଦାବି ହୋଇଛି।

ସମ୍ବନ୍ଧିତ ଖବର