ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ସବୁବେଳେ ନିଜକୁ ଫିଟ୍ ରଖିବା ସହିତ ବ୍ୟାୟାମ କରୁଥିବାର ନଜର ଆସିଥାଆନ୍ତି । ଏଥିସହିତ ଅନ୍ୟମାନଙ୍କୁ ବି ପ୍ରତିଦିନ ଯୋଗ, ବ୍ୟାୟାମ କରିବାକୁ ପରାମର୍ଶ ଦେଇଥାଆନ୍ତି। ଏହି କ୍ରମରେ ଗତକାଲି ସୁସ୍ମିତା କରିଥିବା ଏକ ଟୁଇଟକୁ ଦେଖି ତାଙ୍କ ପ୍ରଶଂସକମାନେ ଦୁଃଖୀ ହୋଇଯାଇଥିଲେ।

Advertisment

ଏହି ‌ପୋଷ୍ଟରେ ସୁସ୍ମିତା ଲେଖିଥିଲେ, ‘ଦୁଇଦିନ ପୂର୍ବରୁ ମୁଁ ହୃଦଘାତର ଶିକାର ହୋଇଥିଲି। ହୃଦ୍‌ରୋଗ ବିଶେଷଜ୍ଞ ମୋର ଆଞ୍ଜିଓପ୍ଲାଷ୍ଟି କରିଥିଲେ ଏବଂ ସଠିକ୍ ଭାବରେ ଏକ ଷ୍ଟେଣ୍ଟ୍ ଲଗାଇଥିଲେ। ମୁଁ ଏବେ ମୋ ଜୀବନକୁ ଆହୁରି ଆନନ୍ଦ ଏବଂ ଖୁସିରେ ବଞ୍ଚିବାକୁ ପ୍ରସ୍ତୁତ ଅଛି। ଆଉ ସୁସ୍ଥ ଅଛି।’

ଖୁସି ହେଉ କି ଦୁଃଖ, ସୁସ୍ମିତା ସେନ ଓ ତାଙ୍କ ଭାଇ ରାଜୀବ ସେନ ପରସ୍ପରକୁ ସାହସ ଦେଇଥାଆନ୍ତି। ଏହି କ୍ରମରେ ସୁସ୍ମିତାଙ୍କ ଭାଇ ଭଉଣୀର  ହୃଦଘାତ କଥାକୁ ‌ନେଇ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, ‘ଟୁ ମାଇ ଷ୍ଟ୍ରଙ୍ଗେଷ୍ଟ…. ଭାଇ ଲଭସ୍ ୟୁ ଦ ମୋଷ୍ଟ….।’ ଭାଉଜ ଲେଖିଛନ୍ତି, ‘ତୁମକୁ ବହୁତ ଭଲପାଏ ଦିଦି...ବଡ଼ ହୃଦୟ ଥିବା ଆପଣ ସବୁଠାରୁ ଶକ୍ତିଶାଳୀ ମହିଳା...।’

ଏଥିସହିତ ଭାଇ ରଜୀବ କହିଛନ୍ତି, ‘ସୁସ୍ମିତାଙ୍କ ଏଭଳି ହୃଦଘାତ କଥା ଶୁଣି ମୁଁ ଆଉ ମୋର ସ୍ତ୍ରୀ ସ୍ତବ୍ଧ ହୋଇଯାଇଥିଲୁ। ଭଉଣୀ ସବୁବେଳେ ଫିଟ୍ ରହିବା ସହିତ ଅନ୍ୟକୁ ଫିଟ୍ ରହିବାକୁ କହେ। ତା’ ସହିତ ଏମିତି ଘଟିବ ଆମେ ଚିନ୍ତା କରି ନଥିଲୁ। ଭଗବାନ ତା’ ଉପରେ ଆର୍ଶୀବାଦ ରଖିଥାଆନ୍ତୁ। ତାର କେବେ କିଛି ହେବ ନାହିଁ। ଆମର ଭଲ ପାଇବା ତା’ ସହିତ ଅଛି ଆଉ ରହିଥିବ ବି।’

ଏପଟେ ସୁସ୍ମିତା ହୃଦଘାତର ଖବର ଦେବା ପରେ  ତାଙ୍କ ପ୍ରଶଂସକ ଓ ବଲିଉଡ କଳାକାରମାନେ ତାଙ୍କର ଆରୋଗ୍ୟ କାମନା କରିବାରେ ଲ‌ାଗିଛନ୍ତି।