ବାପା ଦେଇଥିବା ଘଣ୍ଟା ବିକ୍ରି କରି ମୁମ୍ବାଇ ଆସିଥିଲେ ଏହି ସୁପରଷ୍ଟାର୍‌ !

ମୁମ୍ବାଇ: ଆଜି ହେଉଛି ବଲିଉଡର ଜୁବୁଲି କୁମାର ରାଜେନ୍ଦ୍ର କୁମାରଙ୍କ ଜନ୍ମଦିନ। ୧୯୨୯ ମସିହା ଜୁଲାଇ ୨୦ ତାରିଖରେ ପଞ୍ଜାବର ସିଆଲକୋଟ୍‌ ସହରର ଏକ ମଧ୍ୟବିତ୍ତ ପରିବାରରେ ରାଜେନ୍ଦ୍ର କୁମାର ଜନ୍ମଗ୍ରହଣ କରିଥିଲେ।ସେ ଅନେକ ସୁପରହିଟ୍‌ ଫିଲ୍ମରେ ନିଜର ଦମଦାର ଅଭିନୟ ପାଇଁ ଚର୍ଚ୍ଚିତ ହୋଇଥିଲେ। ସେ ପିଲାଟି ଦିନରୁ ଅଭିନେତା ହେବାର ସ୍ୱପ୍ନ ଦେଖୁଥିଲେ। ଘରେ କିନ୍ତୁ କେହି ଚାହୁଁ ନଥିଲେ କି ରାଜେନ୍ଦ୍ର ଅଭିନେତା ହେଉ।
ପରିବାରର ବିରୋଧ ହେତୁ ରାଜେନ୍ଦ୍ର କୁମାର ଚିନ୍ତାରେ ପଡ଼ିଯାଇଥିଲେ। ଯେମିତି ହେଲେ ସେ ମୁମ୍ବାଇ ଯାଇ ଅଭିନେତା ହେବେ ବୋଲି ସ୍ଥିର କରିଲେ। କେଉଁଠୁଁ ଆଣିେବେ ପଇସା,କେମିତି ଯିବେ ମାୟା ନଗରୀ,ଏହି ଚିନ୍ତା ତାଙ୍କୁ ଘାରିଲା।
ଶେଷରେ ସେ ନିଜ ପିତାଙ୍କଠାରୁ ମିଳିଥିବା ଏକ ଘଣ୍ଟାଟିକୁ ବିକ୍ରି କରିଲେ। ଘଣ୍ଟା ବିକ୍ରିରୁ ତାଙ୍କୁ ମିଳିଥିଲା ୬୩ ଟଙ୍କା । ସେଥିରେ ସେ ୧୩ ଟଙ୍କାର ରେଳ ଟିକେଟ୍‌ କାଟି ଫ୍ରଣ୍ଟିୟର ମେଲ୍‌ରେ ମୁମ୍ବାଇରେ ପହଞ୍ଚିଥିଲେ ରାଜେନ୍ଦ୍ର କୁମାର।

ମୁମ୍ବାଇରେ ପହଞ୍ଚିବା ବେଳେ ତାଙ୍କ ପାଖରେ ଥିଲା ମାତ୍ର ୫୦ ଟଙ୍କା। ସେଠି ତାଙ୍କୁ କାମ ପାଇଁ ସଂଘର୍ଷ କରିବାକୁ ପଡ଼ିଥିଲା। ଅବଶେଷରେ ରାଜେନ୍ଦ୍ର କୁମାରଙ୍କର ସେ ସମୟରେ ପ୍ରଖ୍ୟାତ ଗୀତିକାର ରାଜେନ୍ଦ୍ର କୃଷ୍ଣଙ୍କ ସହିତ ସାକ୍ଷାତ ହୁଏ।ରାଜେନ୍ଦ୍ର୍ର କୃଷ୍ଣଙ୍କ ସୁପାରିଶରେ ରାଜେନ୍ଦ୍ର କୁମାର ପ୍ରଖ୍ୟାତ ନିର୍ଦ୍ଦେଶକ ଏସ୍‌.ଏସ୍‌. ରେଓ୍ଵଲଙ୍କର ସହକାରୀ ଭାବେ କାମ କରିବାର ସୁଯୋଗ ପାଇଥିଲେ। ସେତେବେଳେ ମାସିକ ଦରମା ଆକାରରେ ରାଜେନ୍ଦ୍ର କୁମାରଙ୍କୁ ମିଳିଲା ୧୫୦ ଟଙ୍କା। ୧୯୫୦ରେ ପ୍ରଦର୍ଶିତ ହୋଇଥିଲା ରାଜେନ୍ଦ୍ର କୁମାରଙ୍କ ଅଭିନୀତ ପ୍ରଥମ ହିନ୍ଦୀ ସିନେମା ‘ଜୋଗନ୍‌’।

ସମ୍ବନ୍ଧିତ ଖବର