କାହିଁକି ରାଜେଶ ଖାନ୍ନାଙ୍କଠୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ ଡିଂପଲ୍ କାପାଡ଼ିଆ?
ରାଜେଶ ଖାନ୍ନାଙ୍କ ବାର୍ଥ ଡେ ଆଜି
ଆଜି ହେଉଛି ବଲିଉଡ୍ର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବାର୍ଥ ଡେ । ସେ ୧୯୪୨ ମସିହା ଡିସେମ୍ବର ୨୯ ତାରିଖରେ ଅମୃତସରଠାରେ ଜନ୍ମଗ୍ରହଣ କରିଥିଲେ। ଆଜି ଆସନ୍ତୁ ରାଜେଶ ଖାନ୍ନାଙ୍କର କିଛି ବ୍ୟକ୍ତିଗତ ପ୍ରସଙ୍ଗ ମନେ ପକାଇବା ।
Sambad is now on WhatsApp
Join and get latest news updates delivered to you via WhatsApp
ଷାଠିଏ ଦଶକରେ ଯତୀନ୍ ଖାନ୍ନା ଓରଫ୍ ରାଜେଶ ଖାନ୍ନା ଯେତେବେଳେ ଆକ୍ଟର୍ ହେବା ପାଇଁ ଷ୍ଟ୍ରଗଲ୍ କରୁଥିଲେ, ସେତେବେଳେ ତାଙ୍କର ପରିଚୟ ହୁଏ ଫ୍ୟାଶନ୍ ଡିଜାଇନର ଅଂଜୁ ମହେନ୍ଦ୍ରୁଙ୍କ ସହ । ଏହି ପରିଚୟ ସମୟ କ୍ରମେ ପ୍ରେମର ରୂପ ନେଲା ଏବଂ ସେ ଦୁହେଁ ପ୍ରାୟ ସାତ ବର୍ଷ ଧରି ଲିଭ୍ ଇନ୍ ରିଲେସନ୍ସିପ୍ ରେ ରହିଥିଲେ । ଷାଠିଏ ଦଶକର ଶେଷ ଭାଗରେ ରାଜେଶ ‘ ଷ୍ଟାର୍’ ଷ୍ଟାଟସ୍ ପାଇଯିବା ପରେ ଅଂଜୁଙ୍କ ପ୍ରତି ତାଙ୍କର ମନୋଭାବ ବଦଳିଗଲା । ପରିଣାମସ୍ୱରୂପ ସେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଥିଲା । ଏହି ସମୟରେ ‘ ଷ୍ଟାର୍ ଆଣ୍ଡ ଷ୍ଟାଇଲ୍’ ମାଗାଜିନ୍ରେ ଜଣେ ସାମ୍ବାଦିକା ରାଜେଶ ଖାନ୍ନା ଙ୍କୁ ‘ ସୁପରଷ୍ଟାର’ ଟ୍ୟାଗ୍ ଦେଇ କ୍ରମାଗତ ଭାବେ ତାଙ୍କ ବିଷୟରେ ଲେଖିଲେ । ଏହି ସାମ୍ବାଦିକାଙ୍କ ନାଆଁ ଥିଲା ଦେବୟାନୀ ଗୈବଲ୍ । ଘଟଣାକ୍ରମେ ରାଜେଶ ଦେବ୍ୟାନୀ ଙ୍କ ପ୍ରତି ଆକର୍ଷିତ ହେଲେ ଏବଂ ତାଙ୍କ ସହିତ ସତୁରି ଦଶକର ଆରମ୍ଭରୁ ୧୯୭୬ ଯାଏଁ ପ୍ରେମ ସଂପର୍କ ରଖିଥିଲେ ,କିନ୍ତୁ ସେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇ ପାରିନଥିଲେ ।
ଏହାପରେ ରାଜେଶ ଖାନ୍ନା ଙ୍କ ନଜର ପଡ଼ିଥିଲା ସୋମ୍ୟାନ୍ ରାଜ କପୁରଙ୍କ ଆବିଷ୍କାର ଡିଂପଲ୍ କାପାଡ଼ିଆଙ୍କ ଉପରେ । ରାଜେଶ୍ ଙ୍କର ରାଜ କପୁରଙ୍କ ନୂଆ ନାୟିକା ମାନଙ୍କ ପ୍ରତି ସ୍ୱତନ୍ତ୍ର ଆକର୍ଷଣ ରହିଆସିଥିଲା । ଡିଂପଲ୍ ଓ ରାଜେଶଙ୍କର ପ୍ରଥମ ସାକ୍ଷାତ ଏକ ଫିଲ୍ମ ପାର୍ଟିରେ ହୋଇଥିଲା । ସେହି ସମୟରେ ରାଜେଶ ଖାନ୍ନା ସୁପରଷ୍ଟାର୍ ଓ ଡିଂପଲ୍ ଜଣେ ନ୍ୟୁକମର୍ । ପୁଣି ଷୋହଳ ବର୍ଷର ଯୁବତୀ । ରାଜେଶ ଡିଂପଲ୍ଙ୍କୁ ଯେଉଁଭଳି ବ୍ୟବହାର ଦେଖାଇଥିଲେ ସେଥିରେ ଡିମ୍ପଲଙ୍କ ମନରେ ସୁପରଷ୍ଟାରଙ୍କ ପ୍ରତି ଆକର୍ଷଣ ଜାଗ୍ରତ ହେବା ସ୍ୱାଭାବିକ୍ ଥିଲା । ଅବଶ୍ୟ ସେତେବେଳେ ଋଷି କପୁର ଙ୍କ ସହିତ ଡିମ୍ପଲ ଙ୍କର ରୋମାନ୍ସ ଚାଲିଥିବା ର ଚର୍ଚ୍ଚା ଜୋର ଧରିଥିଲା ବଲିଉଡ୍ରେ । ଡିମ୍ପଲ କିନ୍ତୁ ରାଜେଶ ଖାନ୍ନାଙ୍କ ପ୍ରତି ମାତ୍ରାଧିକ ଆକୃଷ୍ଟ ହୋଇଉଠି ତାଙ୍କୁ ବିବାହ କରିବା ପାଇଁ ଆଗେଇ ଆସିଥିଲେ ।
୧୯୭୩ ମସିହା ମାର୍ଚ୍ଚ ମାସରେ ଡିମ୍ପଲଙ୍କ ପିତା ଚୁନ୍ନି ଭାଇ ବାଗାଡିଆଙ୍କ ଜୁହୁ ସ୍ଥିତ ବଙ୍ଗଳାରେ ଧୂମ୍ଧାମ୍ରେ ଏହି ବହୁଚର୍ଚ୍ଚିତ ବାହାଘର ଅନୁଷ୍ଠିତ ହୋଇଥିଲା । ରାଜେଶ ବାହାଘରର ରିସେପ୍ସନ ପାର୍ଟି ହୋରିଜନ ହୋଟେଲ୍ରେ ଦେଇଥିଲେ । ରାଜେଶ ଖାନ୍ନା ବାହାଘର ପରେ ପରେ ହନିମୁନ୍ର ପ୍ଲାନିଂ କରିଥିଲେ, ମାତ୍ର ସୋ’ମ୍ୟାନ୍ ରାଜ କପୁର୍ଙ୍କ ଅନୁରୋଧରେ ସେ ଏହାକୁ ବାତିଲ୍ କରିଥିଲେ । ବାହାଘର ପରେ ଡିମ୍ପଲ ନିଜ ଅଭିନୀତ ପ୍ରଥମ ସିନେମା ‘ବବି’ କୁ କଂପ୍ଲିଟ୍ କରିବା ଲାଗି ପ୍ରାୟ ତିନି ମାସ ସମୟ ଦେଇଥିଲେ । ୧୯୭୩ ମସିହା ନଭେମ୍ବର ମାସରେ ‘ ବବି’ ରିଲିଜ୍ ହେଲା ଓ ତାହା ବ୍ଲକ୍ବଷ୍ଟର ଫିଲ୍ମର ମାନ୍ୟତା ପାଇଲା ।
ରାଜେଶ ଓ ଡିମ୍ପଲଙ୍କ ବୈବାହିକ ଜୀବନ ସୁଖମୟ ହୋଇପାରିଲାନି । । ନିଜର କ୍ୟାରିଅରର ଅସଫଳତାକୁ ବରଦାସ୍ତ କରି ନ ପାରି ରାଜେଶ ପ୍ରଚୁର ମଦ୍ୟପାନ କରିବାରେ ଲାଗିଲେ । ତା’ଭିତରେ ରାଜେଶ ଓ ଡିମ୍ପଲ ଙ୍କ ଔରସରୁ ଟ୍ଵିଙ୍କଲ୍ ଓ ରିଙ୍କି ଜନ୍ମ ହୋଇ ସାରିଥାଆନ୍ତି । ଡିମ୍ପଲ୍ ବିବାହ ପରେ ବି ଆକ୍ଟିଂ କରିବାକୁ ଚାହୁଁଥିଲେ, ମାତ୍ର ସ୍ୱାମୀଙ୍କ ବାରଣ ଯୋଗୁଁ ସେଥିରୁ ନିବୃତ୍ତ ରହୁଥିଲେ । ଅବଶେଷରେ ଡିମ୍ପଲ ୧୯୮୪ରେ ଅଲଗା ରହିବା ଲାଗି ନିଷ୍ପତ୍ତି ନେଇ ସ୍ୱାମୀଙ୍କ ଘର ଛାଡ଼ି ଚାଲିଆସିଥିଲେ ।