ଚେନ୍ନାଇ: ଅଭିନେତା ରଜନୀକାନ୍ତ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହେବାର ଅଳ୍ପଦିନ ପରେ ଗୁରୁବାର ସନ୍ଧ୍ୟାରେ ଡିସଚାର୍ଜ ହୋଇଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଡିସଚାର୍ଜ ହେବା ପରେ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ ନବରାତ୍ରୀ ପୂଜାରେ ଯୋଗ ଦେଇଥିଲେ।
ରଜନୀକାନ୍ତ ତାମିଲ ଭାଷାରେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ତାଙ୍କର ସମସ୍ତ ରାଜନୈତିକ ବନ୍ଧୁ, ଚଳଚ୍ଚିତ୍ର ବନ୍ଧୁ, ଗଣମାଧ୍ୟମ ଏବଂ ତାଙ୍କୁ ଭଲପାଉଥିବା ବ୍ୟକ୍ତି ଯେଉଁମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି, ଯେଉଁମାନେ ତାଙ୍କୁ ବଞ୍ଚାଇ ରଖିଛନ୍ତି ଏବଂ ଅସୀମ ଭଲ ପାଆନ୍ତି, ସେମାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏବଂ ତାମିଲନାଡୁ ରାଜ୍ୟପାଳ ଆର୍.ଏନ୍ ରବିଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ଏବଂ ଶୁଭେଚ୍ଛା ଜଣାଇବା ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଉଲ୍ଲେଖଯୋଗ୍ୟ ସେପ୍ଟେମ୍ବର ୩୦ ତାରିଖରେ ପେଟରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ସତୀଶ ସାଇଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା କରାଯିବା ସହ ଷ୍ଟେଣ୍ଟ୍ ଲଗାଯାଇଥିଲା। କିଛି ସପ୍ତାହ ପାଇଁ ବିଶ୍ରାମ ନେବା ପରେ ସେ ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ କୁଲି ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି ଆଶା କରାଯାଉଛି।