ରଜନୀକାନ୍ତ: କୁଲିରୁ ସୁପରଷ୍ଟାର୍‌

ସୁପରଷ୍ଟାର୍‌ ରଜନୀକାନ୍ତ ଆଜି ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। କିନ୍ତୁ ବୟସ ତାଙ୍କ ଫିଲ୍ମ କ୍ୟାରିୟର୍‌ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ। ରଜନୀକାନ୍ତ ଏବେ ବି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକା‌ରେ ନଜର ଆସୁଛନ୍ତି, ଆକ୍ସନ ଓ ଷ୍ଟଣ୍ଟ୍‌ ବି କରୁଛନ୍ତି। ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରେ ଭଗବାନଙ୍କ ଆଖ୍ୟା ପାଇଥିବା ରଜନୀକାନ୍ତଙ୍କ ଜୀବନ ଆରମ୍ଭରୁ କିନ୍ତୁ ଏତେ ସହଜ ନଥିଲା। ୧୯୫୦ ଡିସେମ୍ବର ୧୨ ତାରିଖରେ ବେଙ୍ଗାଲୁରୁରେ ଜନ୍ମ ଗ୍ରହଣ କରିଥିବା ରଜନୀକାନ୍ତଙ୍କ ପ୍ରକୃତ ନାମ ଶିବାଜୀରାଓ ଗାଏକ୍ୱାଡ୍‌। ଚଳଚ୍ଚିତ୍ର ଦୁନିଆକୁ ଆସିବା ପୂର୍ବରୁ ତାଙ୍କ ଜୀବନ ସଂଘର୍ଷମୟ ଥିଲା। ପରିବାରରର ଗୁଜୁରାଣ ମେଣ୍ଟାଇବା ପାଇଁ ସେ ପ୍ରଥମେ କୁଲି ଓ ପରେ ବସ୍ କଣ୍ଡକ୍ଟର୍‌ ଭାବେ କାମ କରୁଥିଲେ।

ଜଣେ କୁଲିରୁ ସୁପରଷ୍ଟାର୍‌ ପର୍ଯ୍ୟନ୍ତ ଯାତ୍ରା ସେଇଠି ଶେଷ ହୋଇଯାଇଥା’ନ୍ତା, ଯଦି ତାଙ୍କ ବନ୍ଧୁ ରାଜ୍‌ ବାହାଦୁର ଏଭଳି କଠିନ ସମୟରେ ରଜନୀଙ୍କୁ ସାହାଯ୍ୟ‌ର ହାତ ବଢ଼ାଇ ନଥା‌’ନ୍ତେ। ପିଲା ଦିନୁ ଅଭିନେତା ହେବାର ସ୍ବପ୍ନ ଦେଖିଥିବା ରଜନୀଙ୍କୁ ମାଡ୍ରାସ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌ରେ ନାମ ଲେଖାଇବାକୁ ବନ୍ଧୁ ରାଜ ବାହାଦୁର ହିଁ ପ୍ରବର୍ତାଇଥିଲେ। ଏହାପରେ ସେ ବହୁ ସଂଘର୍ଷ କରି ୧୯୭୫ ମସିହାରେ ଚଳଚ୍ଚିତ୍ର ‘ଅପୂର୍ବ ରାଙ୍ଗଗଲ୍‌’‌ରେ ଅଭିନୟର ସୁଯୋଗ ପାଇଥିଲେ। ଏଥିରେ ତାଙ୍କ ସହ କମଲ ହାସନ ଓ ଶ୍ରୀବିଦ୍ୟାଙ୍କ ଭଳି ବଡ଼ ବଡ଼ କଳାକାର ମଧ୍ୟ କାମ କରିଥିଲେ। ରଜନୀକାନ୍ତ ତାଙ୍କ କ୍ୟାରିୟର୍‌ ଆରମ୍ଭରେ ଅନେକ ନକାରାତ୍ମକ ଭୂମିକାରେ ଅଭିନୟ କରିଥିଲେ। କେବଳ ତାମିଲ କି ହିନ୍ଦୀ ନୁହେଁ, ମାଲାୟାଲମ୍‌, କନ୍ନଡ଼, ତେଲୁଗୁ ଓ ବଙ୍ଗଳା ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ୨୦୦୦ ମସିହାରେ ତାଙ୍କୁ ପଦ୍ମଭୂଷଣ ଓ ୨୦୧୬ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି।

ସମ୍ବନ୍ଧିତ ଖବର