ସୁଧୁରିନି ରଜନୀକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା, ଏବେ ବି ଅଧିକ ରହିଛି ରକ୍ତଚାପ

ହାଇଦ୍ରାବାଦ: ଗତକାଲି ରକ୍ତଚାପରେ ସ୍ଥିରତା ନ ରହିବା କାରଣରୁ ବର୍ଷିଆନ୍‌ ଅଭିନେତା ରଜନୀକାନ୍ତଙ୍କୁ ହାଇଦ୍ରାବାଦସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ଗୋଟେ ଦିନ ବିତିଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିନାହିଁ। ଏବେ ରକ୍ତଚାପ ଅଧିକ ରହିଥିବା କହିଛନ୍ତି ଡାକ୍ତର। ଡାକ୍ତରଙ୍କ କହିବା ମୁତାବକ, ଗତକାଲି ଅପେକ୍ଷା ଆଜି ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲେ ମଧ୍ୟ ଏବେ ବି ରକ୍ତଚାପ ଅଧିକ ରହିଛି। ଆଜି ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ କି ନାହିଁ, ସେ ନେଇ ଆ‌ମେ ପରେ ନିଷ୍ପତ୍ତି ନେବୁ। ସ୍ବାସ୍ଥ୍ୟାବସ୍ଥାରେ ସଂପୂର୍ଣ୍ଣ ସୁଧାର ଆସିବା ପରେ ହିଁ ତାଙ୍କୁ ଡିସଚାର୍ଜ କରାଯିବ।

Image Courtesy of Hindustan Times

ଗତକାଲି ଡାକ୍ତରଖାନା ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ ଉଲ୍ଲେଖ ଥିଲା ଯେ, ଶୁକ୍ରବାର ସକାଳେ ଶ୍ରୀ ରଜନୀକାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ ୧୦ ଦିନ ହେବ ହାଇଦ୍ରାବାଦରେ ସେ ଏକ ଚଳଚ୍ଚିତ୍ର ସୁଟିଙ୍ଗ୍‌ରେ ବ୍ୟସ୍ତ ଥିଲେ। ସୁଟିଙ୍ଗ୍‌ ସେଟ୍‌ରେ ଦୁଇଜଣ ବ୍ୟକ୍ତି କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଡିସେମ୍ବର ୨୨ ତାରିଖ ଦିନ ରଜନୀକାନ୍ତଙ୍କର ନମୁନା ପରୀକ୍ଷା କରାଯାଇଥିଲା ଓ ସେ ନେଗେଟିଭ୍‌ ବୋଲି ଜଣାପଡ଼ିଥିଲା। ସେବେ ଠାରୁ ସେ ଏକାନ୍ତବାସରେ ଥିଲେ ଏବଂ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଥିଲା। କୋଭିଡ୍‌-୧୯ର କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ବି ତାଙ୍କ ରକ୍ତଚାପରେ ଖୁବ୍‌ ଅସ୍ଥିରତା ଥିବା ଜଣାପଡ଼ିଛି। ରକ୍ତଚାପ ସ୍ୱାଭାବିକ ହେବା ପର୍ଯ୍ୟନ୍ତ ସେ ଡାକ୍ତରଖାନାରେ ରହିବେ।

ସମ୍ବନ୍ଧିତ ଖବର