ମୁମ୍ବାଇ : ବଲିଉଡ୍ରେ ମିଷ୍ଟର ପରଫେକ୍ଟ ଭାବେ ଜଣାଶୁଣା ଅଭିନେତା ଆମିର ଖାନ୍ । ତାଙ୍କ ଫିଲ୍ମର କାହାଣୀ ସବୁବେଳେ ନିଆରା ଥିବା ବେଳେ କିଛି ଅଲଗା କରିବାକୁ ସେ ଚେଷ୍ଟା କରିଥାନ୍ତି । କୌତୁହଳର ବିଷୟ ହେଲା, ଏବେ ଜଣେ ଅଭିନେତା ତାଙ୍କୁ ଅପହରଣ କରିବାକୁ ଚାହାନ୍ତି ବୋଲି କହିଛନ୍ତି । ବଲିଉଡ୍ ଅଭିନେତା ରାଜକୁମାର ରାଓଙ୍କର ଏହି ଇଚ୍ଛା ରଖିଥିବା ଜଣାପଡ଼ିଛି । ଫିଲ୍ମ ‘ଫନ୍ନେ ଖାନ୍’ରେ ସେ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ଅପହରଣ କରିଥିବା ବେଳେ ଅସଲ ଜୀବନରେ ସେ କାହାକୁ ଅପହରଣ କରିବାକୁ ଚାହାନ୍ତି ବୋଲି ପଚରାଯାଇଥିଲା । ଏହି ପ୍ରଶ୍ନ ଶୁଣିବା ପରେ ସେ ତୁରନ୍ତ ଆମିର ଖାନ୍ଙ୍କ ନାଁ କହିଥିଲେ । ଏଭଳି ଇଚ୍ଛା ପଛର କାରଣ ପଚରାଯିବା ପରେ ସେ କହିଥିଲେ, “ଆମିର ସାର୍ ବହୁତ କ୍ରିଏଟିଭ୍ । ତାଙ୍କୁ ଅପହରଣ କଲେ ମୁଁ ବହୁତ କିଛି ଶିଖିବାକୁ ପାଇବି । ଅଭିନୟ ଏବଂ ଫିଲ୍ମକୁ ନେଇ ମୋ ଜ୍ଞାନ ମଧ୍ୟ ବଢ଼ି ପାରିବ।”

ସୂଚନା ମୁତାବକ, ‘ଫନ୍ନେ ଖାନ୍’ ପରେ ରାଜକୁମାରଙ୍କ ଫିଲ୍ମ ସ୍ତ୍ରୀ ରିଲିଜ୍ ହେବାକୁ ଯାଉଛି । ଏହା ପରେ ଆସନ୍ତା ବର୍ଷ ତାଙ୍କର ଆଉ ୩ଟି ଫିଲ୍ମ ରିଲିଜ ହେବ ବୋଲି ଜଣାପଡ଼ିଛି । ଫିଲ୍ମ ‘ମେଣ୍ଟାଲ ହେ କ୍ୟା’ ଏବଂ ‘ଇମ୍ଲି’ରେ ରାଜକୁମାର କଙ୍ଗନାଙ୍କ ସହ ଅଭିନୟ କରୁଥିବା ବେଳେ ‘ମେଡ୍ ଇନ୍ ଚାଇନା’ରେ ତାଙ୍କ ବିପକ୍ଷରେ ଅଭିନୟ କରୁଥିବା ଅଭିନେତ୍ରୀଙ୍କ ନାଁ ସ୍ପଷ୍ଟ ହୋଇ ନାହିଁ ।