ମୁମ୍ବାଇ: କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶାରୀରିକ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ପ୍ରଶଂସକମାନେ ଖୁବ୍ ଚିନ୍ତିତ ଅଛନ୍ତି। ନିକଟ ଅତୀତରେ କମେଡିଆନ୍ ରାଜୁଙ୍କର ହୃଦ୍ଘାତ ହେବା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇ ତାଙ୍କ ଚିକିତ୍ସା କରାଯାଉଥିଲା। ଏବେ ତାଙ୍କ ଅବସ୍ଥା ଗମ୍ଭୀର ଥିବା ସୂଚନା ରହିଛି।
ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ତାଙ୍କ ପତ୍ନୀଙ୍କ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫୋନ୍ କରି ଆଶ୍ବାସନା ଦେବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବି ତାଙ୍କ ଘରକୁ ଫୋନ୍ କଲ୍ କରିଥିବା ସୂଚନା ରହିଛି।
ରାଜନାଥ ସିଂହ ଏକ ଟ୍ବିଟ୍ କରି ଲେଖିଛନ୍ତି ଯେ ସେ ଏମ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ଓ ତାଙ୍କ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି।
ରାଜୁ ଶ୍ରୀବାସ୍ତବ ଏବେ ଏମ୍ସରେ ଭେଣ୍ଟିଲେଟର୍ ସପୋର୍ଟରେ ଅଛନ୍ତି। ତାଙ୍କ ଅବସ୍ଥା ଗୁରୁତର ହେବା ପରେ ପ୍ରଥମେ ତାଙ୍କୁ ଏମର୍ଜେନ୍ସି ମେଡିସିନ୍ ଡିପାର୍ଟମେଣ୍ଟ୍ରେ ଚିକିତ୍ସା କରାଯାଉଥିଲା। ପରେ ତାଙ୍କୁ ସିସିୟୁକୁ ସ୍ଥାନାନ୍ତର କରାଯାଇଛି।
ହସ୍ପିଟାଲ୍ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜୁ ଶ୍ରୀବାସ୍ତବଙ୍କର ଆଞ୍ଜିଓଗ୍ରାଫି ହୋଇଛି। ରାଜୁଙ୍କ ଅବସ୍ଥା ଏବେ ଖୁବ୍ ଗମ୍ଭୀର ରହିଥିବାରୁ ତାଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭେଣ୍ଟିଲେଟର୍ ସପୋର୍ଟରେ ରଖାଯିବ ବୋଲି ସୂଚନା ରହିଛି।
ଶ୍ରୀବାସ୍ତବ ୧୯୮୦ ମସିହାରୁ ବଲିଉଡ୍ ସହ ଯୋଡ଼ି ହୋଇ ରହିଥିବା ବେଳେ ‘ବାଜିଗର୍’ ଓ ‘ମେନେ ପ୍ୟାର୍ କିୟା’ ପରି ଉଲ୍ଲେଖନୀୟ ଚଳଚ୍ଚିତ୍ରରେ ତାଙ୍କୁ ଦେଖିବାକୁ ମିଳିଥିଲା। ତାଙ୍କୁ ‘ବିଗ୍ବସ୍’ ସିଜିନ୍-୩ରେ ବି ଦେଖିବାକୁ ମିଳିଥିଲା।