ନୂଆଦିଲ୍ଳୀ: ସ୍ଥାନୀୟ ଭାଷାରେ ଗୀତ ପାଇଁ ପ୍ରସିଦ୍ଧ ହରିଆଣାର ଗାୟକ ରାଜୁ ପଞ୍ଜାବୀଙ୍କ ମଙ୍ଗଳବାର ଦିନ ହିସାରର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ହରିଆଣାର ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ରାଜୁ ଏକ ଅଜଣା ରୋଗ ହେତୁ ପ୍ରାୟ ୧୦ ଦିନ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ଭେଣ୍ଟିଲେଟର ରଖା ଯାଇଥିଲା। ସେ ଧୀରେ ଧୀରେ ସୁସ୍ଥ ହେବାରୁ ତାଙ୍କୁ ଘରକୁ ପଠାଯାଇଥିଲା। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁନଶ୍ଚ ଖରାପ ହେବାରୁ ପୁଣି ଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ରାଜୁ ପଞ୍ଜାବୀ ‘ଦେଶୀ ଦେଶୀ’, ‘ଆଚ୍ଛା ଲଗା ସେ’ ଏବଂ ‘ତୁ ଚିଜ୍ ଲାଜବାବ’ ପରି ହିଟ୍ ଗୀତ ପାଇଁ ବେଶ୍ ଜଣାଶୁଣା। ତାଙ୍କର ଶେଷ ଗୀତ 'ଆପସେ ମିଲ୍କେ ୟାରା ହମ୍କୋ ଅଛା ଲାଗା ଥା' ଅଗଷ୍ଟ ୧୨ରେ ମୁକ୍ତିଲାଭ କରିଥିଲା।
प्रसिद्ध हरियाणवी गायक एवं संगीत निर्माता राजू पंजाबी जी के निधन का दुखद समाचार प्राप्त हुआ। उनका जाना हरियाणा म्यूजिक इंडस्ट्री के लिए अपूरणीय क्षति है।
ईश्वर दिवंगत आत्मा को अपने श्री चरणों में स्थान दें तथा उनके परिजनों को यह अथाह दुःख सहन करने की शक्ति प्रदान करें।
ॐ शांति!
— Manohar Lal (@mlkhattar) August 22, 2023
ରାଜୁ ପଞ୍ଜାବୀ ପଞ୍ଜାବ ଏବଂ ରାଜସ୍ଥାନରେ ମଧ୍ୟ ଲୋକପ୍ରିୟ ଥିଲେ। ସେ ସପନା ଚୌଧୁରୀଙ୍କ ପରି ଅନ୍ୟ ଲୋକପ୍ରିୟ କଳାକାରମାନଙ୍କ ସହ ଯୋଗାଯୋଗରେ ଥିଲେ। ସୋସିଆଲ ମିଡିଆ ୱେବସାଇଟ୍ ଏକ୍ସ (ପୂର୍ବରୁ ଟ୍ୱିଟର ଭାବରେ ଜଣାଶୁଣା) ରେ ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେ ଲେଖିଛନ୍ତି, ‘‘ରାଜୁ ପଞ୍ଜାବୀଙ୍କ ମୃତ୍ୟୁ ହରିଆଣାର ସଙ୍ଗୀତ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି। ଈଶ୍ବର ତାଙ୍କ ଅମର ଆତ୍ମାକୁ ଶାନ୍ତି ଦିଅନ୍ତୁ ଓ ପରିଜନବର୍ଗଙ୍କୁ ସାହସ ପ୍ରଦାନ କରନ୍ତୁ।’’