୮ଦିନ ପରେ ବି ରାଜୁଙ୍କ ଚେତା ଫେରୁନି, ଭଗବାନଙ୍କୁ ପ୍ରାର୍ଥନା କରିବାକୁ କହିଲେ ଶେଖର ସୁମନ

ନୂଆଦିଲ୍ଲୀ : ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ଗତ ବୁଧବାର ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହୃଦଘାତ ହେବାରୁ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ଭର୍ତ୍ତି କରାଯାଇଛି। ଏବେ ସେ ଆଇସିୟୁରେ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କ ମସ୍କିଷ୍କ କାର୍ଯ୍ୟ କରୁନାହିଁ। ୫୮ ବର୍ଷୀୟ ରାଜୁଙ୍କ ଚିକିତ୍ସା ଏମ୍‌ସ ହୃଦରୋଗ ବିଭାଗର ପ୍ରଫେସର ଡାକ୍ତର ନୀତୀଶ ନାୟକଙ୍କ ନେତୃତ୍ବରେ କରାଯାଉଛି। ୮ଦିନ ହେଲାଣି ତାଙ୍କ ଚେତା ଫେରୁନଥିବା ବେଳେ କଣ୍ଠଶିଳ୍ପୀ ଶେଖର ସୁମନ ଟ୍ବିଟ କରି ଭଗବାନଙ୍କୁ ପ୍ରାର୍ଥନା କରିବାକୁ କହିଛନ୍ତି।

ଟ୍ବିଟରେ ସେ ଲେଖିଛନ୍ତି ଯେ, ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଆଜିର ଅଦ୍ୟତନ ରିପୋର୍ଟ ହେଉଛି ଯେ ସେ ସ୍ଥିର ଅଛନ୍ତି। ଅଚେତ ଅବସ୍ଥାରେ ଥିଲେ ବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଚେତା ଫେରିବା ପାଇଁ ଆଉ ଏକ ସପ୍ତାହ ସମୟ ଲାଗିବ। ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରନ୍ତୁ। ହର ହର ମହାଦେବ।

ଉଲ୍ଲେଖଯୋଗ୍ୟ, ରାଜୁ ସିନେମା ଓ ମନୋରଞ୍ଜନ ଦୁନିଆରେ ଗତ ୮୦ ଦଶକରୁ ସକ୍ରିୟ ଅଛନ୍ତି। କିନ୍ତୁ ୨୦୦୫ରେ ସେ ଦ ଗ୍ରେଟ୍ ଇଣ୍ଡିଆନ୍ ଲାଫ୍‌ଟର ଚ୍ୟାଲେଞ୍ଜର ପ୍ରଥମ ସଂସ୍କରଣରେ ଭାଗନେବା ପରେ ଲୋକପ୍ରିୟ ହୋଇଥିଲେ। ‌ମୈନେ ପ୍ୟାର୍‌ କିୟା, ବାଜିଗର୍‌, ବମ୍ବେ ଟୁ ଗୋଆ(ରିମେକ୍‌) ଏବଂ ଆମଦନୀ ଅଠନ୍ନି ଖର୍ଚ୍ଚା ରୁପୈୟା ଭଳି ସିନେମାରେ ଅଭିନୟ କରିଛନ୍ତି। ସଂପ୍ରତି ସେ ଉତ୍ତର ପ୍ରଦେଶ ସିନେମା ବିକାଶ ପରିଷଦର ଅଧ୍ୟକ୍ଷ ରହିଛନ୍ତି।

ସମ୍ବନ୍ଧିତ ଖବର