ରାଜୁ ଶ୍ରୀବାସ୍ତବଙ୍କ ଭାଇଙ୍କ ଘରେ ବିଶେଷ ପୂଜାର ଆୟୋଜନ, ସୁସ୍ଥତା କାମନା କରୁଛନ୍ତି ପୂରା ପରିବାର

ମୁମ୍ବାଇ: ଲୋକପ୍ରିୟ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟ‌ାବସ୍ଥାକୁ ନେଇ ସାରା ଦେଶ ଚିନ୍ତିତ ଥିବା ବେଳେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନ‌ା କରି ଚାଲିଛନ୍ତି। ରାଜୁଙ୍କ ସୁସ୍ଥତା କାମନା କରି ତାଙ୍କ ବଡ଼ ଭାଇଙ୍କ ଘରେ ଏକ ବିଶେଷ ପୂଜାର ଆୟୋଜନ କରାଯାଇଛି। କୁହାଯାଏ କି ଆ‌ଶୀର୍ବାଦର ଅନେକ ଶକ୍ତି, ବୋଧହୁଏ ସେହି ଶକ୍ତି ପାଇଁ ଧୀରେ ଧୀରେ ସୁଧୁରି ଆସୁଛି ହାସ୍ୟାଭିନେତାଙ୍କ ସ୍ବାସ୍ଥାବସ୍ଥା।

ଏହି ପୂଜା ୨ ଦିନ ତଳୁ ଆରମ୍ଭ ହୋଇ ସାରିଲାଣି। ୫ ଦିନ ଧରି ଏହି ପୂଜା ଚାଲିବ ବୋଲି ସୂଚନା ରହିଛି। ଅନେକ ଜଣ ବ୍ରହ୍ମଣ ମିଶି ପୂରା ବିଧିବିଧାନ ସହକାରେ ଏହି ପୂଜା କରି ଆସୁଛନ୍ତି। ଏହି ପୂଜାରେ ରାଜୁଙ୍କ ପତ୍ନୀ ଶିଖା ଓ ତାଙ୍କ ପିଲାମାନେ ବି ସାମିଲ୍‌ ଅଛନ୍ତି। ରାଜୁଙ୍‌କର ସବୁ ଭାଇ ଏହି ପୂଜାରେ ସାମିଲ୍‌ ହୋଇ ତାଙ୍କ ସୁସ୍ଥତା କାମନ‌ା କରୁଛନ୍ତି।

ରାଜୁଙ୍କ ଭାଇ କାଜୁଙ୍କ ଶଳା ପ୍ରଶାନ୍ତ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ଯେପରି ପୂରା ଦେଶ ରାଜୁ ଭାଇଙ୍କ ପାଇଁ ପ୍ରାର୍ଥନା କରୁଛି ଆମେ ମଧ୍ୟ‌ ଘରେ ଏକ ବିଶେଷ ପୂଜା ରଖି ତାଙ୍କ ସୁସ୍ଥତା କାମନା କରୁଛୁ। ଲୋକପ୍ରିୟ ହାସ୍ୟ କଳାକାର ରାଜୁ ଶ୍ରୀବାସ୍ତବ କ୍ରମଶଃ ସୁସ୍ଥ ହୋଇଆସୁଛନ୍ତି ଏବଂ ତାଙ୍କ ଅବସ୍ଥା ଆଉ ପୂର୍ବ ପରି ସଂକଟଜନକ ନାହିଁ ବୋଲି ତାଙ୍କ ସାନଭାଇ ଦୀପୁ ଶ୍ରୀବାସ୍ତବ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ପ୍ରଶଂସକମାନଙ୍କୁ ଜଣାଇଥିଲେ।

ଗତ ୧୦ ତାରିଖରେ ରାଜୁ ହୃଦ୍‌ଘାତର ଶିକାର ହୋଇ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟରରେ ଥିଲେ ଏବଂ ପରେ ତାଙ୍କୁ ବ୍ରେନ୍ ଡେଡ୍ ବୋଲି ଘୋଷଣା କରାଯାଇଥିବା ଗୁଜବ ଉଠିଥିଲା। ପରେ ତାଙ୍କ ମ୍ୟାନେଜର ମକବୁଲ ବ୍ରେନ୍ ଡେଡ୍ ଖବରକୁ ଅସ୍ବୀକାର କରିଥିଲେ।

ସମ୍ବନ୍ଧିତ ଖବର