ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା; ବିପଦ ବାହାରେ ଅଛନ୍ତି ବୋଲି ସୂଚନା ଦେଲେ ଭାଇ ଦୀପୁ ଶ୍ରୀବାସ୍ତବ

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ସୁଧୁରୁଛି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା। ରାଜୁ ଶ୍ରୀବାସ୍ତବଙ୍କ ସାନ ଭାଇ ଦୀପୁ ଶ୍ରୀବାସ୍ତବ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ରାଜୁ ଏବେ ବିପଦ ବାହାରେ ଅଛନ୍ତି। ସେ ଆଉ ଗୁରୁତର ନାହାନ୍ତି। ଦୀପୁ ଶ୍ରୀବାସ୍ତବ ଏକ ଭିଡିଓ ଜାରି କରି ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କଥା କହିବା ସହ ତାଙ୍କ ସଂପର୍କିତ କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ପ୍ରଶଂସକଙ୍କୁ ନିବେଦନ କରିଛନ୍ତି। ପ୍ରଶଂସକମାନଙ୍କ ଆଶୀର୍ବାଦ ପାଇଁ ତ‌ାଙ୍କ ଭାଇ ଭଲ ହୋଇ ଆସୁଛନ୍ତି ବୋଲି ସେ ଭିଡିଓରେ କହୁଥିବାର ଶୁଣିବାକୁ ମିଳିଛନ୍ତି।

 

ଉଲ୍ଲେଖଯୋଗ୍ୟ, ଗତ ୧୦ ତାରିଖରେ ହୃଦ୍‌ଘାତ ଘଟିବା ପରେ ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଳୀର ଏମ୍ସ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ୧୦ ତାରିଖରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଥିଲା। ଗୁରୁବାର ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଥିଲା। ତାଙ୍କର ଘନିଷ୍ଠ ବନ୍ଧୁ ସୁନୀଲ ପାଲ ଏକ ଭିଡିଓ ସେୟାର କରି କହିଥିଲେ ଯେ ଜୁଙ୍କ ବ୍ରେନ୍ ଡେଡ୍ (ମସ୍ତିଷ୍କ ଅଚଳ) ହୋଇଯାଇଛି। ପରବର୍ତ୍ତୀ ସମୟରେ ପୁଣି ରାଜୁ କୋମାରେ ଅଛନ୍ତି ବୋଲି ଜଣାପଡ଼ିଥିଲା। ରାଜୁଙ୍କ ପ୍ରଶଂସକମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଈଶ୍ବର ବୋଧହୁଏ ସେମାନଙ୍କ ପ୍ରାର୍ଥନା ଶୁଣିଛନ୍ତି ବୋଲି ବିଶ୍ବାସ କରାଯାଉଛି।

 

ସମ୍ବନ୍ଧିତ ଖବର