ଦାରିଦ୍ରତା ହେତୁ ସ୍କୁଲ୍‌ ଫି ଦେଇ ପାରୁନଥିଲେ ରାଜୁ, ସବୁ ଶିକ୍ଷକଙ୍କ ମିମିକ୍ରି କରି କରାଉଥିଲେ ମନୋରଞ୍ଜନ

ନୂଆଦିଲ୍ଲୀ: ଦୀର୍ଘ ଦିନ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ରହିବା ପରେ ଶେଷରେ ଗତକାଲି କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ ହୋଇଛି। ହସ୍ପିଟାଲ୍‌ରେ ଦୀର୍ଘ ୪୨ ଦିନ ସଂଘର୍ଷ କରିବା ପରେ ଶେଷରେ ଆଖି ବୁଜିଛନ୍ତି ରାଜୁ।

ସେ ତ ଚାଲିଗଲେ ମାତ୍ର ତାଙ୍କର କିଛି ସ୍ମୃତି ଆମ ପାଇଁ ଛାଡ଼ି ଦେଇ ଯାଇଛନ୍ତି। ରାଜୁ ଶ୍ରୀବାସ୍ତବଙ୍କ ବନ୍ଧୁ ତଥା ଭାରତୀ ଜ୍ଞାନପୀଠ ସ୍କୁଲ୍‌ର ପ୍ରିନ୍ସିପାଲ୍‌ ସିଦ୍ଧାର୍ଥ ବାଜପେୟୀ ରାଜୁଙ୍କ ସ୍କୁଲ୍‌ ଜୀବନ ବିଷୟରେ କିଛି କଥା କହିଛନ୍ତି। ସିଦ୍ଧାର୍ଥ ବାଜପେୟୀ  ଓ ରାଜୁ ଶ୍ରୀବାସ୍ତବ ଗୋଟ‌ାଏ ସ୍କୁଲ୍‌ରେ ପଢୁଥିଲେ। ଅବଶ୍ୟ ଦୁଇ ଜଣ ଭିନ୍ନ ଶ୍ରେଣୀରେ ପଢୁଥିଲେ। ମାତ୍ର ପରସ୍ପରଙ୍କ ସହ ସେମାନଙ୍କର ଉତ୍ତମ ସଂପର୍କ ଥିଲା।

ସିଦ୍ଧାର୍ଥଙ୍କ କହିବା କଥା ହେଉଛି ରାଜୁ ଏକ ଗରିବ ପରିବାରର ପିଲା। ସେ ଉଚିତ ସମୟରେ ନିଜ ସ୍କୁଲ୍‌ ଫି ବି ଦେଇ ପାରୁନଥିଲେ। ମାତ୍ର ରାଜୁଙ୍କ ଦକ୍ଷତା ଦେଖି ସ୍କୁଲ୍‌ ପ୍ରଶାସନ ତାଙ୍କ ଫି ଛାଡ଼ କରି ଦେଉଥିଲେ।

ସେ କହିଛନ୍ତି ଯେ ସ୍କୁଲ୍‌ରେ ରାଜୁ ଅନ୍ୟ ଶିକ୍ଷକମାନଙ୍କ ମିମିକ୍ରି କରୁଥିଲେ। ସ୍କୁଲ୍‌ ଶିକ୍ଷକମାନେ ରାଜୁଙ୍କ ଅଭିଯୋଗ ପ୍ରିନ୍ସିପାଲ୍‌ଙ୍କ ଆଗରେ କରିବାରୁ ପ୍ରିନ୍ସିପାଲ୍‌ ସମସ୍ତଙ୍କ ଆଗରେ ତାଙ୍କୁ ପାଟି କରୁଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଖୁବ୍‌ ପ୍ରଶଂସା କରୁଥିଲେ।

ସୂଚନାଯୋଗ୍ୟ, ଜିମ୍‌ରେ କସରତ କରୁଥିବା ବେଳେ ଛାତିରେ କଷ୍ଟ ହେବାରୁ ତଳେ ପଡ଼ିଯାଇଥିବା ରାଜୁଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ‘ଏମ୍‌ସ୍‌’ରେ ଭର୍ତ୍ତି କରାଯାଇଥିଲା।ସେ ହୃଦ୍‌ଘାତରେ ଶିକାର ହୋଇଥିବା କଥା ଜଣାପଡ଼ିବା ପରେ ତାଙ୍କୁ ୧୫ ଦିନ ଧରି ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ଏହା ପରେ ତାଙ୍କର ଚେତା ଫେରିଥିଲା। କିନ୍ତୁ, ସେପ୍ଟେମ୍ବର ପହିଲାରେ ଜ୍ବର ହେବାରୁ ପୁଣି ତାଙ୍କୁ ‘ଭେଣ୍ଟିଲେଟର୍‌ ସପୋର୍ଟ’ରେ ରଖାଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ ସାକ୍‌ସେନା କହିଛନ୍ତି ଯେ, ଡାକ୍ତରମାନଙ୍କ ସକଳ ଚେଷ୍ଟା ସତ୍ତ୍ବେ ହାସ୍ୟାଭିନେତାଙ୍କୁ ବଞ୍ଚାଇ ହେଲାନାହିଁ।

 

ସମ୍ବନ୍ଧିତ ଖବର