ମୁମ୍ବାଇ: ପୁଣି ଭେଣ୍ଟିଲେଟରରେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ। ଜ୍ୱର ଅଧିକ ହେବା ପରେ ତାଙ୍କୁ ପୁନର୍ବାର ଭେଣ୍ଟିଲେଟରରେ ରଖାଯାଇଥିବା ଜଣାପଡ଼ିଛି। ଅଗଷ୍ଟ ୧୦ରେ ହାସ୍ୟ ଅଭିନେତା ନିଜ ଜିମରେ ବ୍ୟାୟାମ କରୁଥିବା ବେଳେ ହୃଦ୍ଘାତର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ୧୫ଦିନ ପର୍ଯ୍ୟନ୍ତ ଭେଣ୍ଟିଲେଟରରେ ରହିବା ପରେ ତାଙ୍କର ଚେତା ଫେରି ଆସିଥିଲେ। ହେଲେ ଏବେ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଛି।
ଚେତା ଫେରିବାର ସାତ ଦିନ ପରେ ରାଜୁ ଶ୍ରୀବାସ୍ତବଙ୍କୁ ପୁଣି ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ସର୍ବଶେଷ ସ୍ୱାସ୍ଥ୍ୟ ଅପଡେଟ ଅନୁଯାୟୀ, ଏବେ ରାଜୁଙ୍କ ଚେତା ଥିବା ସହ ତାଙ୍କ ହାତ ଏବଂ ପାଦରେ ଗତି ସାମାନ୍ୟ ବୃଦ୍ଧି ପାଇଛି।
ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୧୦ରେ ରାଜୁ ଶ୍ରୀବାସ୍ତବ ଏକ ଟ୍ରେଡମିଲରେ ବ୍ୟାୟାମ କରୁଥିବାବେଳେ ହୃଦଘାତର ଶିକାର ହୋଇଥିଲେ । କିଛି ସମୟ ଯନ୍ତ୍ରଣା ସହିବା ପରେ ସେ ଚେତା ହରାଇଥିଲେ । ଏହାପରେ ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେବେଠାରୁ ତାଙ୍କ ତେତା ଫେରିନଥିଲା । ଏମ୍ସରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଥିଲା । ପ୍ରାୟ ୧୫ ଦିନ ପରେ ଅଗଷ୍ଟ ୨୫ରେ ତାଙ୍କର ଚେତା ଫେରିଥିଲା।
ଗୁରୁବାର ସକାଳ ୮ଟା ୧୦ମିନିଟ୍ ବେଳେ ରାଜୁଙ୍କ ଚେତା ଫେରିଥିବା ତାଙ୍କ ଲୋକସଂପର୍କ ଅଧିକାରୀ ଅଜିତ ସକ୍ସେନା କହିଥିଲେ । ରାଜୁଙ୍କ ଚେତା ଫେରିବା ସମ୍ପର୍କରେ ତାଙ୍କ ବନ୍ଧୁ ସୁନୀଲ ପାଲ, ଶେଖର ସୁମନ, ସମ୍ଭାବନା ସେଠ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ ।