ଫର୍ମକୁ ଫେରିଛନ୍ତି ଭେଟେରାନ୍‌ ରାଜୁ ମିଶ୍ର

 

ଭୁବନେଶ୍ୱର:ଓଡ଼ିଆ ସିନେଜଗତର ଜଣେ ଅଲ୍‌ରାଉଣ୍ଡର ହେଲେ ରାଜୁ ମିଶ୍ର।ତାଙ୍କର ପ୍ରକୃତ ନାମ ରାଜଗୋପାଳ ମିଶ୍ର।ସେ ଏକାଧାରରେ ଜଣେ ନିର୍ଦ୍ଦେଶକ ,ଚିତ୍ରନାଟ୍ୟକାର,ସଂଳାପ ଲେଖକ,କାହାଣୀକାର,ସଙ୍ଗୀତକାର ଏବଂ ସିନେମାଟୋଗ୍ରାଫର।ରାଜୁ ମିଶ୍ର କିଛି ବର୍ଷ ହେବ ଓଡ଼ିଆ ସିନେମା ଠାରୁ ଦୂରେଇ ରହୁଥିବା ପରିଲକ୍ଷିତ ହେଉଥିଲା।ଏହା ଅବଶ୍ୟ ଭିନ୍ନ କଥା ଯେ,ସେ ମଝିରେ ମଝିରେ ଧାରାବାହିକରେ ନିର୍ଦ୍ଦେଶନା ,ରିଆଲିଟି ସୋ’ରେ ଜଜ୍‌,ବିିଭିନ୍ନ ପୁରସ୍କାର କମିଟିର ଜୁରିରେ ରହି ଚର୍ଚ୍ଚାକୁ ଆସୁଥିଲେ। ହେଲେ ଏବେ ପୁଣି ଫର୍ମକୁ ଫେରିଛନ୍ତି ଭେଟେରାନ୍‌ ରାଜୁ ମିଶ୍ର। ସେ ଅବଶ୍ୟ ନିର୍ଦ୍ଦେଶନା କ୍ଷେତ୍ରକୁ ଫେରି ନାହାନ୍ତି,ମାତ୍ର ଅନ୍ୟାନ୍ୟ ବିଭାଗ ସମ୍ଭାଳୁଛନ୍ତି।

ହଁ ରାଜୁ ମିଶ୍ର ଏବେ ସୁଟିଂ ଚାଲିଥିବା ଏକ ଓଡ଼ିଆ ଛବିର କାହାଣୀ,ଚିତ୍ରନାଟ୍ୟ,ସଂଳାପ,ଲେଖିବା ସହିତ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ବି ଦେଇଛନ୍ତି। ଖାଲି ସେତିକି ନୁହେଁ ସେ ଏହାର ଚିତ୍ରୋତ୍ତଳନ ଦାୟିତ୍ୱ ବି ବହନ କରିଛନ୍ତି।ଏଠାରେ ଯେଉଁ ନୂଆ ଓଡ଼ିଆ ସିନେମା କଥା କୁହାଯାଉଛି,ତାହାର ଶୀର୍ଷକ ହେଲା ‘କୋଟିଏରେ ଗୋଟିଏ ମନ’। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ରାଜୁ ବାବୁଙ୍କର ପୁରୁଣର ସହଯୋଗୀ ନରୋତ୍ତମ ପରିଡ଼ା।

ମିଲନ୍‌ ମୁଭିଜ୍‌ ବ୍ୟାନରରେ ନିର୍ମିତ ‘କୋଟିଏ ରେ ଗୋଟିଏ ମନ’ର ପ୍ରଯୋଜନା କରିଛନ୍ତି ଦିଲୀପ ଧୀର ସାମନ୍ତ। ଏଥିରେ ନବାଗତ ରୋହିତ ମହାପାତ୍ର,ମଧୁସ୍ମିତା ପ୍ରଧାନ,ଅଙ୍କିତା ରାଉତ,ପ୍ରାପ୍ତି ନାୟକ(ବର୍ଷା),ନିବେଦିତା ସାମଲ,ମିହିର ଦାସ,କୁନା ତ୍ରିପାଠୀ, ହରିହର ମହାପାତ୍ର, କୁନ୍‌ମୁନ୍‌, ଦେବୀ ବାରିକ,ମିତା ଚକ୍ରବର୍ତ୍ତୀ ଓ ବିପ୍ଳବ ଶତପଥୀ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।


କହିବା ବାହୁଲ୍ୟ ଯେ,ରାଜୁ ମିଶ୍ର ଅତୀତରେ ଉଲ୍‌କା,ପୁଅ ମୋର କଳାଠାକୁର,ଚକା ଆଖି ସବୁ ଦେଖୁଛି, ଆସୁଚି ମୋ’ କାଳିଆ ସୁନା, ଜୋର ଯାର ମୂଲକ ତାର,ସାଗର ଗଙ୍ଗା,ରୂପା ଗାଁର ସୁନା କନିଆଁ,ପଥର ଖସୁଚି ବଡ଼ ଦେଉଳୁ,ହରି ଭାଇ ହାରେନା, ସିଂହ ବାହିନୀ,ସତ ମିଛ , ଜୀବନ ମୃତ୍ୟୁ ଓ ଲକ୍ଷ୍ମୀର ଅଭିସାର ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କୁ ରାଜ୍ୟ ସରକାର ଓଡ଼ିଆ ଚଳଚ୍ଚିତ୍ରପାଇଁ ଉଲ୍ଲେଖନୀୟ ଅବଦାନଲାଗି ସର୍ବୋଚ୍ଚ ସମ୍ମାନ ‘ଜୟଦେବ ପୁରସ୍କାର’ରେ ସମ୍ମାନିତ କରିଛନ୍ତି।

ସମ୍ବନ୍ଧିତ ଖବର