ବେଳେ ବେଳେ ନାୟକଙ୍କୁ ବି ଖଳନାୟକ ଭୂମିକାରେ ବଡ଼ ପରଦାରେ ଦେଖିବାକୁ ମିଳିଛି। ବଲିଉଡ୍‌ ଓ ଓଲିଉଡ୍‌ରେ ଏକଥା ଘଟିଛି। ନାୟକରୁ ଖଳନାୟକ ବନିଥିବା କଳାକାରଙ୍କ ତାଲିକାରେ ଏବେ ଜଣାଶୁଣା ଅଭିନେତା ରାକେଶ ଦେଓଙ୍କ ନାମ ସାମିଲ ହୋଇଛି। ସେ ଏବେ ନୂଆ ଓଡ଼ିଆ ଛବି ‘କେମିତି ପ୍ରେମ’ରେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି।

Advertisment

ଏହି ସିନେମାରେ ତାଙ୍କ ଅଭିନୀତ ଚରିତ୍ରର ନାମ ରହିଛି ପ୍ରତାପ। ସେ ଟଙ୍କା ପାଇଁ କିଛି ବି କରିପାରେ। ସେ ପ୍ରେମିକଠାରୁ ପ୍ରେମିକାକୁ ଛଡ଼ାଇ ଆଣି ବାହା ହୋଇପାରେ। ଏପରିକି ସେ ଟଙ୍କା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷକୁ ବିକ୍ରି କରିପାରେ। ଆଉ ସେ ତାହା ବି କରିଛି। ଶେଷରେ ତା’ର ସ୍ତ୍ରୀ ଆଗରେ ନିଜର ମୁଖା ଖୋଲିଯିବା ପରେ ପ୍ରତାପ କିଭଳି ଜଘନ୍ୟ କାଣ୍ଡ ଘଟାଇଛି, ତାହା ଦେଖିବାକୁ ମିଳିବ ‘କେମିତି ପ୍ରେମ’ର କ୍ଲାଇମାକ୍ସରେ। ଉଲ୍ଲେଖନୀୟ କଥା ହେଲା, ପ୍ରଥମରୁ ଦର୍ଶକ ରାକେଶଙ୍କୁ ନାୟକ ମନେ କରିବେ, ହେଲେ କ୍ଲାଇମାକ୍ସରେ ଜଣାଯିବ ଯେ  ସେ ଜଣେ ଖଳନାୟକ। ମାଆ ଧନଲକ୍ଷ୍ମୀ ପ୍ରଡକସନ୍ସ ବ୍ୟାନର୍‌ରେ ନିର୍ମିତ ଏହି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ କୁମାର। 

କାହିଁକି ହଠାତ୍ ନେଗେଟିଭ୍ ରୋଲ୍ କରିବାକୁ ଚାହିଁଲେ ବୋଲି ପ୍ରଶ୍ନ କଲେ ରାକେଶ କହନ୍ତି, ‘କେମିତି ପ୍ରେମ’ରେ ଗେଷ୍ଟ୍‌ ରୋଲ୍ ଲାଗି ମୋତେ ପ୍ରସ୍ତାବ ଦିଆଯାଇଥିଲା। ଅବଶ୍ୟ ନେଗେଟିଭ୍ ରୋଲ୍ ବୋଲି ମୂଳରୁ ନିର୍ଦ୍ଦେଶକ କହିଥିଲେ। ମୋର କେବଳ କ୍ଲାଇମାକ୍ସରେ ଦୁଇ ତିନିଟି ସିନ୍ କରିବାର ଥିଲା। ହେଲେ ପ୍ରଥମ ଦିନର ସୁଟିଂ ପରେ ନିର୍ଦ୍ଦେଶକ ମୋର ୨୫ଟା ସିନ୍ ରଖିବାକୁ ସ୍ଥିର କଲେ। ତା’ପରେ ଅନ୍ ଦି ସ୍ପଟ୍  ସ୍କ୍ରିପ୍ଟ ଲେଖାଇ ମୋ ଭୂମିକାକୁ ବଡ଼ କରିଦେଲେ। ତେବେ ସିନେମାର କାହାଣୀ ଶୁଣିବା ପରେ ମତେ ଭଲ ଲାଗିଥିଲା ଓ ମୁଁ ଏହି ଭୂମିକାଟି କରିବା ଦରକାର ବୋଲି ମନେହେଲା। ସବୁଠାରୁ ବଡ଼ କଥା ହେଲା, ପ୍ରଥମ ଥର ଲାଗି ନେଗେଟିଭ୍ ରୋଲ୍ କରି ପରୀକ୍ଷାନିରୀକ୍ଷା କରିବାକୁ ଚାହୁଁଥିଲି। ଆଉ ମୁଁ ଖଳନାୟକ ଭୂମିକା କରି ବି ଖୁବ୍ ଖୁସି।

ସୂଚନାଯୋଗ୍ୟ, ନାୟକ ରାକେଶଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ଲଭ୍‌ ପ୍ରମିଜ୍’। ‘ତୁ କହିଦେ ଆଇ ଲଭ୍ ୟୁ’ ହେଲା ତାଙ୍କର ଦ୍ବିତୀୟ ସିନେମା। ଏଣେ ‘ମନ ମୋର କାଗଜ ଗୁଡ଼ି’ ଛବିରେ ବି ନାୟକ ଭୂମିକାରେ ଦେଖା ଦେଇଥିଲେ ରାକେଶ। ତେଣେ ସେ ‘ଟିଙ୍ଗା ରାଜୁ’, ‘ବୋହୂ ଆମର ମେଟ୍ରିକ୍ ଫେଲ୍’, ‘ଇଏ ବି ଗୋଟେ ଲଭ୍‌ ଷ୍ଟୋରି’ ଓ ‘ପାରି କରିବେ ଭୋଳାଶଙ୍କର ୨’ ସମେତ କେତେକ ଟେଲିସିନେମାରେ ବି ରାକେଶଙ୍କୁ ନାୟକ ଭୂମିକାରେ ଛୋଟ ପରଦାରେ ଦେଖିବାକୁ ମିଳିଛି।