ଭୁବନେଶ୍ୱର: ବର୍ଷକର ରାଗ-ରୁଷା ଅଭିମାନକୁ ଭୁଲି ଭଉଣୀକୁ ସୁରକ୍ଷା ଦେବାକୁ ଭାଇଟିଏ କଥା ଦିଏ | ଭଉଣୀ ବି ପ୍ରିୟର ଭାଇ ହାତରେ ବାନ୍ଧିଦିଏ ସମ୍ପର୍କର ସୂତାଖିଅଟିଏ | ଭାଇ ଭଉଣୀଙ୍କ ଅକୁହା ଭଲ ପାଇବାର ପର୍ବ ଭାବେ ପାଳନ ହୋଇଆସୁଥିବା ରାକ୍ଷୀ ପୂର୍ଣ୍ଣିମା କରୋନା ପାଇଁ ହୁଏତ ଏଥର ଟିକେ ଫିକା ପଡ଼ିଥାଇପାରେ କିନ୍ତୁ କମିନି ଭାଇ ଭଉଣୀଙ୍କର ପରସ୍ପର ପ୍ରତି ଥିବା ସ୍ନେହ ଆଦର | ଏହାରି ଭିତରେ ପୁଣି ଫେରିଛି ଖୁବ ଲୋକପ୍ରିୟ ଗୀତ ''ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ'' | ଏକ ନୂଆ ଅନ୍ଦାଜରେ ଗୀତଟି ଆସିଥିବାବେଳେ ଭାଇ ଭଉଣୀଙ୍କ ନିବିଡ ଭଲ ପାଇବାକୁ ଦର୍ଶାଯାଇଛି | ଆଜିର ଦିନକୁ ନଜରରେ ରାକ୍ଷୀ ଗୀତଟିକୁ ପ୍ରସ୍ତୁତ କରାଯାଇଥିବାବେଳେ ଏଥିରେ କଣ୍ଠଦାନ କରିଛନ୍ତି ପ୍ରଭୁପାଦ ଓ ସୁମନ | ସେହିପରି ଗୀତ ରଚନା ପ୍ରଶାନ୍ତ କୁମାର ପଟେଲ କରିଥିବାବେଳେ ବିଭୁପାଦ ଓ ପ୍ରଭୁପାଦ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି |
ରେଶମୀ ଡୋରିରେ ସ୍ନେହ ରଙ୍ଗ ବୋଳି ଭାଇର ହାତରେ ଭଉଣୀ ରାକ୍ଷୀ ବାନ୍ଧିଛି, ଆଉ ଯେତେ ବି ଝଡଝଞ୍ଜା ଆସିଲେ ସୁରକ୍ଷାର ପ୍ରତିଶୃତି ଭଉଣୀଟିଏ ମାଗିଛି | ପ୍ରଭୁପାଦ ଓ ରୁପାଲୀ ପାଣିଗ୍ରାହୀଙ୍କୁ ନେଇ ଗୀତଟିର ସୁଟିଂ କରାଯାଇଥିବାବେଳେ ପୁଣି ଦର୍ଶକ ଏହି ଗୀତ ଶୁଣି ନିଜ ଭାଇ/ଭଉଣୀ କଥା ମନେପକାଇଛନ୍ତି |
ଗୀତଟିକୁ ନେଇ ରୁପାଲୀଙ୍କ କହିବା ମୁତାବକ ଭାଇ ଭଉଣୀଙ୍କ ଖଟାମିଠା ସମ୍ପର୍କକୁ ଏହି ଗୀତ ମାଧ୍ୟମରେ ଦର୍ଶାଯାଇଛି | ସେହିପରି ଗୀତିକାର ପ୍ରଶାନ୍ତଙ୍କ କହିବା ମୁତାବକ ଯୁଗ ବଦଳିଥାଇପାରେ, କିନ୍ତୁ ଭାଇଠାରୁ ଭଉଣୀର ପ୍ରତିଶୃତି ସହ ଅଭୁଲା ସମ୍ପର୍କକୁ ଗୀତଟିରେ ଲେଖାଯାଇଛି | ଗୀତଟିକୁ ଏସଏସ ମ୍ୟୁଜିକ ବ୍ୟାନରରେ ପ୍ରସ୍ତୁତ କରିଥିବାବେଳେ ଆଜି ଏହା ରିଲିଜ ହୋଇଛି |