ମୁମ୍ବାଇ: ୫୭ ବର୍ଷୀୟ ଅଭିନେତା ସଲ୍‌ମାନ ଖାନ୍‌ଙ୍କୁ ସମସ୍ତେ ବିବାହିତ ଭାବେ ଦେଖିବାକୁ ଚାହାନ୍ତି। ପିଲାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ବାସ୍‌ ଏହି ଗୋଟାଏ ପ୍ରଶ୍ନ ରହିଛି ଯେ ବାସ୍ତବରେ କ’ଣ ସଲ୍‌ମାନ ବାହା ହେବେ ନାହିଁ ? ତାହାର ଉତ୍ତର କାହାକୁ ବି ମିଳିନାହିଁ। କାରଣ ନିଜେ ସଲ୍‌ମାନ ତାଙ୍କ ବିବାହକୁ ନେଇ କେବେ କୌଣସି ସାକ୍ଷାତ୍‌କାରେ ସ୍ପଷ୍ଟ ସୂଚନା ଦେଇନାହାନ୍ତି।

Advertisment

ସଲ୍‌ମାନଙ୍କ ବିବାହକୁ ନେଇ ଆଇଟମ୍‌ ଗାର୍ଲ ରାକ୍ଷୀ ସାୱନ୍ତ ଏବେ ଏକ ନୂଆ ନାଟକ ଆରମ୍ଭ କରିଛନ୍ତି। ସେ ମୁମ୍ବାଇ ବିମାନ ବନ୍ଦରରେ ଚାଲି ଚାଲି ଯିବା ସହ ସଲୁ ଭାଇଙ୍କ ପାଇଁ ମାନସିକ କରିଥିବା କଥା କହୁଛନ୍ତି।

ରାକ୍ଷୀ କହୁଛନ୍ତି ଯେ ସେ ଶ୍ରୀଲଙ୍କା, ଦୁବାଇରୁ ମୁମ୍ବାଇ ଖାଲି ପାଦରେ ଆସିଛନ୍ତି। ଯେବେ ପର୍ଯ୍ୟନ୍ତ ସଲ୍‌ମାନ ଖାନ୍‌ ବିବାହ କରିନାହାନ୍ତି ସେବେ ପର୍ଯ୍ୟନ୍ତ ସେ ଚପଲ ପିନ୍ଧିବେ ନାହିଁ।

ସେ ଏପରି କହୁଥିବା ଏକ ଭିଡିଓରେ ଶୁଣିବାକୁ ମିଳିଛି ଯେ ‘ସଲ୍‌ମାନ ଭାଇ ବାହା ହୁଏ, ପିଲା କର। ତୁମ ପିଲାକୁ ଦେଶର ଆବଶ୍ୟକତା ରହିଛି।’ ଏହା ସହ ସେ ଗାଡ଼ିରେ ବସି ନିଜ ପାଦ ଦେଖାଇ ଭାଇ ବିନା ଚପଲରେ ମ‌ୋ ପାଦ ଛିଡ଼ି ଗଲାଣି ବୋଲି କହୁଥିବାର ମଧ୍ୟ ଦେଖିବାକୁ ମିଳିଛି।

ରାକ୍ଷୀଙ୍କର ଏହି ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଖୁବ୍ ଜୋର୍‌ରେ ଭାଇରାଲ୍‌ ହୋଇଛି। ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ୍‌ ସବୁ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଚର୍ଚ୍ଚାରେ ରହିବା ପାଇଁ ଏହା ରାକ୍ଷୀଙ୍କ ନୂଆ ତମାସା’। ଅନ୍ୟ ଜଣେ ଲେଖିଛନ୍ତି, ‘ଲାଗୁଛି ତୁମେ ଜୀବନ ଯାକ ପାଇଁ ଚପଲ ପିନ୍ଧିପାରିବ ନାହିଁ’।