ମୁମ୍ବାଇ: ମା’ଙ୍କୁ ହରାଇବା ପରେ ପରେ ସ୍ବାମୀ ଧୋକା ଦେଇଥିଲେ। ହେଲେ ସବୁ ଦୁଃଖ ସହିବା ପରେ ଏବେ ଧୀରେ ଧୀରେ ଆଗକୁ ବଢ଼ିବା ଆରମ୍ଭ କରିଛନ୍ତି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ। ମା’ଙ୍କ ଦେହାନ୍ତ ହେବା ପରେ ସ୍ବାମୀ ଆଦିଲ ଖାନ୍ ଦୁରାନୀଙ୍କ ସହ ରହି ମା’ଙ୍କୁ ହରାଇବାରୁ ଦୁଃଖ ଭୁଲିଯିବେ ବୋଲି ରାକ୍ଷୀ ଭାବିଥିଲେ। ହେଲେ ଶେଷରେ ତାହାର ଓଲଟା ହିଁ ଘଟିଥିଲା। ସ୍ବାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖିଥିବା ଜଣାପଡ଼ିବା ସହ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ଏସବୁ ହେବା ପରେ ଆହୁରି ଭାଙ୍ଗିପଡ଼ିଥିଲେ ରାକ୍ଷୀ। ହେଲେ ସେ ହାରି ନଥିଲେ।

Advertisment

ଏସବୁରୁ ବାହାରକୁ ଆସିବା ପାଇଁ ନିଜକୁ କାମରେ ବ୍ୟସ୍ତ ରଖିବା ସହ ଦୁବ‌ାଇରେ ନିଜର ଆକ୍ଟିଙ୍ଗ ଏକାଡେମୀ ଖୋଲିଛନ୍ତି ରାକ୍ଷୀ। ଜୀବନରେ କିଭଳି ଆଗକୁ ବଢ଼ିବାର ଯୋଜନା ରହିଛି, ସେ ବିଷୟରେ ପଚରାଯିବା ପରେ ରାକ୍ଷୀ କହିଛନ୍ତି, ଏବେ ମୋ ପାଖରେ ବହୁତ କାମ ଅଛି। ସବୁଠୁ ବଡ଼ ଦାୟିତ୍ବ ହେଲା ମୋର ଆକ୍ଟିଙ୍ଗ ଏକାଡେମୀ। ମୁଁ ଦୁବାଇରେ ଆକ୍ଟିଙ୍ଗ ଏକାଡେମୀ ଖୋଲିଥିବା ବେଳେ ମୁମ୍ବାଇରେ ମଧ୍ୟ ଏହାର ଏକ ଶାଖା ଖୋଲିବି। ଯେଉଁମାନେ ଏକାଡେମୀରେ ପଢ଼ିବେ ସେମାନଙ୍କୁ କିପରି କାମ ମିଳିବ, ସେଥିପାଇଁ ମୁଁ ସବୁ ବ୍ୟବସ୍ଥା କରିବି। ମୋର ବଲିଉଡରେ କେହି ଗଡଫାଦର ନଥିଲେ। ହେ‌ଲେ ମୁଁ ଏକାଡେମୀର ଛାତ୍ରଛାତ୍ରୀଙ୍କ ପାଇଁ ଗଡମଦର ହେବି। ବିଭିନ୍ନ ବଲିଉଡ ଫିଲ୍ମ ଓ ରିୟାଲିଟି ସୋ’ରେ ସେମାନଙ୍କୁ କିଭଳି କାମ ମିଳିବ ସେଥିପାଇଁ ମୁଁ ଚେଷ୍ଟା କରିବି।