ମୁମ୍ବାଇ: ବିବାହର କିଛି ମାସ ପରେ ଏବେ ସ୍ବାମୀ ଆଦିଲ ଖାନ ଦୁରାନୀଙ୍କ ସହ ଆରମ୍ଭ ହୋଇଛି ବଲିଉଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ବିବାଦ। ଆଦିଲ, ରାକ୍ଷୀଙ୍କଠାରୁ ଟଙ୍କା ଠକି ନେଇଥିବା ବେଳେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ କରିଛନ୍ତି ରାକ୍ଷୀ। ନିଜ ଜୀବନଠୁ ଅଧିକ ଭଲ ପାଉଥିବା ଆଦିଲ ପୂର୍ବରୁ ବିବାହିତ ଥିଲେ ଏବଂ ରାକ୍ଷୀଙ୍କ ସହ ରହି ବି ତନୁ ନାମକ ମହିଳାଙ୍କୁ ଡେଟ୍ କରୁଥିବା ଜାଣିବା ପରେ ଏବେ ଅଭିନେତ୍ରୀ ଭାଙ୍ଗିପଡ଼ିଛନ୍ତି। ତାଙ୍କର ଏଭଳି ଅବସ୍ଥା ହୋଇଛି ଯେ, ପ୍ରେମୀଯୁଗଳଙ୍କୁ ଦେଖି ତାଙ୍କୁ ଘୃଣା ଲାଗୁଥିବା ସେ କହିଛନ୍ତି।

Advertisment

ରାକ୍ଷୀ ସାୱନ୍ତ କହିଛନ୍ତି ଯେ ସେ ତାଙ୍କ ଚାରିପାଖରେ ପ୍ରେମୀଯୁଗଳଙ୍କୁ ଦେଖିବାକୁ ପସନ୍ଦ କରୁ ନାହାନ୍ତି। ସିଦ୍ଧାର୍ଥ ମଲହୋତ୍ରା-କିଆରା ଆଡଭାନୀଙ୍କ ପରି ନବ ବିବାହିତ ଦମ୍ପତିଙ୍କୁ ଦେଖିଲେ ତାଙ୍କର ସ୍ୱାମୀ ଆଦିଲ ଖାନ ଦୁରାନୀଙ୍କ ସହ ଚାଲିଥିବା ଝଗଡା ମନେପଡ଼ୁଛି ଏବଂ ସେ ଭାବପ୍ରବଣ ହୋଇଯାଉଥିବା କହିଛନ୍ତି। ଏମିତିକି ବିବାହ ଉପରୁ ତାଙ୍କ ଭରସା ଉଠିଯାଇଥିବା ସେ କହିଛନ୍ତି। ତାଙ୍କର ଏଭଳି କହୁଥିବାର ଭିଡିଓ ଏବେ ଭାଇରାଲ ହେଉଛି।

ତେବେ ରାକ୍ଷୀ ଆଦିଲଙ୍କ ବିରୋଧରେ ଅଭିଯୋଗ କରିବା ପରେ ଏବେ ଜଣେ ଇରାନୀୟ ତରୁଣୀ ଆଦିଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ମହୀଶୂରର ଦୁରାନୀ ଅନ୍ତର୍ଗତ ଭି. ଭି. ପୁରମ୍‌ ଥାନାରେ ‘ଏଫ୍‌ଆଇଆର୍‌’ ଫାଇଲ୍‌ କରାଯାଇଛି।