ମୁମ୍ବାଇ: ବଲିଉଡର 'ଡ୍ରାମା କୁଇନ୍' ରାଖି ସାୱନ୍ତ ଦୀର୍ଘ ଦିନ ଧରି ଭାରତରେ ନାହାଁନ୍ତି। ସେ ଦୁବାଇରେ ଦୀର୍ଘ ସମୟ ଧରି ଅଟକି ରହିଛନ୍ତି | ତାଙ୍କ ବିରୋଧରେ ଭାରତରେ କରାଯାଇଥିବା ଅଭିଯୋଗ ପାଇଁ ଗିରଫ ଡରରେ ସେ ଦୁବାଇରୁ ଭାରତକୁ ଆସୁନାହାନ୍ତି। କିଛି ମାସ ଦୁବାଇରେ ରହିବା ପରେ ରାଖି ପ୍ରକାଶ କରିଛନ୍ତି ଯେ, ଗିରଫ ହେବାର ଭୟ ଥିବାରୁ ସେ ଭାରତ ଫେରୁନାହାଁନ୍ତି। ଯଦି ତାଙ୍କୁ ଗିରଫ କରାଯାଏ ତେବେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଏବଂ ସଲମାନ ଖାନ ତୁରନ୍ତ ଜାମିନ କରାଇଦେବେ। କିନ୍ତୁ ବର୍ତ୍ତମାନ ସେ ସେମାନଙ୍କଠାରୁ ସାହାଯ୍ୟ ମାଗିବେ ନାହିଁ।
ଜାତୀୟ ଗଣମାଧ୍ୟମ ଇନଷ୍ଟାଣ୍ଟ ବଲିଉଡକୁ ସାକ୍ଷାତକାର ଦେଇ ରାଖି ସାୱନ୍ତ ଭାରତକୁ ନ ଫେରିବାର କାରଣ ପ୍ରକାଶ କରିଛନ୍ତି। ସେ କହିଛନ୍ତି, "ମୁଁ ଭୟ କରୁଛି। ଯଦି ମୁଁ ଭାରତ ଫେରିବି ତେବେ ମୋ ବିରୋଧରେ ବିଚାରଧୀନ ଥିବା ମାମଲା ପାଇଁ ପୁଲିସ ମୋତେ ଗିରଫ କରିବ। ମୁଁ କାହାର ସାହାଯ୍ୟ ମାଗୁ ନାହିଁ। ଏହା ମୋର ଲଢ଼େଇ | ସଲମାନ ଭାଇ, ଫରାହ ଖାନ ଏବଂ ଶାହାରୁଖଜୀ ମୋତେ ଗୋଟାଏ ସେକେଣ୍ଡରେ ଜାମିନ ଦେଇପାରିବେ। କିନ୍ତୁ ମୁଁ କାହାର ସାହାଯ୍ୟ ମାଗିବାକୁ ଚାହେଁ ନାହିଁ। କେତେ ଦିନ ସମସ୍ତଙ୍କ ସାମ୍ନାରେ ମୁଁ ହାତ ଯୋଡିବି? କେତେ ଦିନ ଆଉ ସାହାଯ୍ୟ ମାଗିବି | ସାହାଯ୍ୟ ମାଗି ମାଗି ମୁଁ ଏବେ ଜୀବନ୍ତ ଭିକାରୀ ହୋଇଗଲାଣି |"
ରାଖି ସାୱନ୍ତ କିଛି ସମୟ ପୂର୍ବରୁ ଦୁବାଇରୁ ଏକ ଭିଡିଓ ସେୟାର କରିଥିଲେ ଯେଉଁଥିରେ ସେ କାନ୍ଦୁଥିବା ଏବଂ ସାହାଯ୍ୟ ମାଗୁଥିବାର ନଜର ଆସିଥିଲେ। ଏହି ଭିଡିଓରେ ରାଖି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପିକୁ ସାହାଯ୍ୟ ମାଗିଥିବାର ଦେଖାଯାଇଥିଲା। ସେ କହିଥିଲେ ଯେ, ସେ ନିଜ ଦେଶକୁ ଫେରିବାକୁ ଚାହୁଁଛନ୍ତି। କିନ୍ତୁ ଜାମିନ ପାଇଲେ ହିଁ ଏହା ସମ୍ଭବ ହୋଇପାରିବ।