ଆଜି ରାଖୀ ପୂର୍ଣ୍ଣିମା। ଭାଇ-ଭଉଣୀର ସଂପର୍କର ଏକ ନିଆରା ପର୍ବ। ସୁରକ୍ଷାର ପ୍ରତିଶ୍ରୁତି ନେଇ ଭାଇ ହାତରେ ଭଉଣୀ ବାନ୍ଧିଦିଏ ରାଖୀ। କେତେକ ଓଡ଼ିଆ ଛବିରେ ରାଖୀକୁ ଗୁରୁତ୍ବ ଦିଆଯାଇ କାହାଣୀ ପ୍ରସ୍ତୁତ ହୋଇଛି। ଏହି କ୍ରମରେ ଆସେ ୧୯୯୭ ମସିହାରେ ମୁକ୍ତିଲାଭ କରିଥିବା ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’।
ସୁବ୍ରତ ସାମନ୍ତରାୟଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶକ ଥିଲେ ସଂଗ୍ରାମ ବିଶ୍ବାଳ। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଲ୍ରାଉଣ୍ଡର ଅରୁଣ ମହାନ୍ତି। ଫିଲ୍ମରେ ଏକ ରାଖୀ ଗୀତ ରଖିବାକୁ ନିଷ୍ପତ୍ତି ହେଲା ଏବଂ ଗୀତ ଲେଖିବା ଦାୟିତ୍ବ ମିଳିଲା ବରିଷ୍ଠ ଗୀତିକାର ଶୀର୍ଷାନନ୍ଦ ଦାସକାନୁନ୍ଗୋଙ୍କୁ। ଶୀର୍ଷାନନ୍ଦ କ’ଣ ଲେଖିବେ ବୋଲି ଚିନ୍ତା କରୁଥାନ୍ତି। କିନ୍ତୁ ମନକୁ ମୁଖୁଡ଼ା ଆସୁ ନ ଥାଏ। ତା’ପରେ ସଙ୍ଗୀତକାର ଅରୁଣ କହିଲେ, ‘‘ଆଗ ମୁଁ ଟିଉନ୍ କରିଦିଏ, ତା’ ପରେ ହୁଏତ ଗୀତ ଲେଖିବା ସହଜ ହୋଇଯିବ।’’ ତାହା ହିଁ ହେଲା, ଅରୁଣ ଗୋଟିଏ ସ୍ବର କରି ଶୁଣାଇଲେ। ପ୍ରଥମ ସ୍ବରଟା ହିଁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ମନକୁ ଛୁଇଁଗଲା। ସ୍ବର ଶୁଣିବା ମାତ୍ରେ ଶୀର୍ଷାନନ୍ଦଙ୍କ ମୁହଁରୁ ବାହାରିଲା, ‘ସୁନାରୁପା ଗଉଣି, କ୍ଷୀର ସର ଲହୁଣି, ରାଗ ଛାଡ଼ି ମୋ ହାତରେ ବାନ୍ଧିଦେ ସୁନା ରାଖୀ, ସୁନା ଭଉଣୀ...।’ ଲେଖା ବି ସମସ୍ତଙ୍କର ପସନ୍ଦ ହେଲା। କିଛି ସମୟ ଭିତରେ ଗୀତର ଅନ୍ତରା ବି ଲେଖିଦେଲେ ଶୀର୍ଷାନନ୍ଦ।
‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ ସିନେମାର ଗୀତ ରେକର୍ଡିଂ ପାଇଁ ପ୍ରଯୋଜକ, ନିର୍ଦ୍ଦେଶକ ଓ ସଙ୍ଗୀତକାର ମୁମ୍ବାଇ ଗଲେ। ସେଠାକାର ମ୍ୟୁଜିସିଆନ୍ ଷ୍ଟୁଡିଓରେ ଗୀତ ରେକର୍ଡିଂ ପାଇଁ ସ୍ଥିରୀକୃତ ହୋଇଥିଲା। ‘ସୁନାରୁପା ଗଉଣି’ ଗୀତକୁ ଉଦିତ ନାରାୟଣ ଓ ଅନୁରାଧାଙ୍କ କଣ୍ଠରେ ରେକର୍ଡ କରିବାକୁ ସଙ୍ଗୀତକାର ଚାହୁଁଥିଲେ। କିନ୍ତୁ ସେତେବେଳକୁ ଉଦିତ ନାରାୟଣ ନେପାଳ ଯାଇଥିଲେ। ସେ ଅପେକ୍ଷା କରିବାକୁ କହିଲେ, ମାତ୍ର ଏଥିପାଇଁ ପ୍ରଯୋଜକ ପ୍ରସ୍ତୁତ ନ ଥିଲେ। ତା’ପରେ ମହମ୍ମଦ ଅଜିଜ୍ଙ୍କୁ ପ୍ରସ୍ତାବ ଦିଆଗଲା। ସେ ରାଜି ହେଲେ, ମାତ୍ର ସର୍ତ୍ତ ରଖିଲେ ଯେ ରାତି ୧୦ଟା ପରେ ଷ୍ଟୁଡିଓକୁ ଆସି ଭଏସ୍ ଡବ୍ କରିବେ। ସେହି ଅନୁଯାୟୀ ଅନୁରାଧା ପୌଡ଼ୱାଲ୍ ଦିନରେ ଗୀତ ରେକର୍ଡ କଲେ ଏବଂ ରାତି ୧୦ଟା ପରେ ମ୍ୟୁଜିସିଆନ୍ ଷ୍ଟୁଡିଓରେ ପହଞ୍ଚି ଗୋଟିଏ ଟେକ୍ରେ ଗୀତଟିକୁ ଗାଇଦେଲେ ଅଜିଜ୍। ଅଜିଜ୍ ଓ ଅନୁରାଧା ଗାଇଥିବା ଏହି ଗୀତଟି ଆଜି ବି ରାଖୀ ଗୀତଗୁଡ଼ିକ ମଧ୍ୟରେ ଅଗ୍ରଗଣ୍ୟ।
-ଶିବଶଙ୍କର ଓଝା