ମିଡିଆ ଟ୍ରାଏଲ୍‌ ବି‌ରୋଧରେ କୋର୍ଟ ଗଲେ ରକୁଲ ପ୍ରୀତ

ମୁମ୍ବାଇ:   ଡ୍ରଗ୍‌ସ୍‌ ସଂପୃକ୍ତି ମାମଲାରେ ଅଭିନେତ୍ରୀ ରକୁଲ ପ୍ରୀତ୍‌ ସିଂହଙ୍କ ନାମ ଆସିବା ପରେ ପୂରା ଗଣମାଧ୍ୟମ ତାଙ୍କ ପଛରେ ପଡ଼ିଯାଇଛି। ତାଙ୍କ ବିରୋଧରେ ଲଗାତାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବାରେ ଲାଗିଛି। ଏହି ମିଡିଆ-ଟ୍ରାଏଲ୍‌ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଶରଣ ପଶିଛନ୍ତି ରକୁଲ। ଗଣମାଧ୍ୟମରେ ତାଙ୍କ ବିରୋଧରେ କୌଣସି ଖବର ପ୍ରସାରଣ ଉପରେ ରୋକ୍‌ ଲଗାଇବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବାକୁ ରକୁଲ କୋର୍ଟଙ୍କୁ ଗୁହାରି କରିଛନ୍ତି।

ରକୁଲ କହିଛନ୍ତି, ମୁଁ ସୁଟିଂରେ ବ୍ୟସ୍ତ ଥିବା ବେଳେ ରିୟା ଡ୍ରଗ୍‌ସ୍‌ ସଂପୃକ୍ତି ନେଇ ମୋର ଆଉ ସାରା ଅଲ୍ଲୀ ଖାନ୍‌ଙ୍କ ନାଁ ନେଇଛନ୍ତି। ଏହା ପରେ ଗଣମାଧ୍ୟମ ମୋ ଚରିତ୍ର ସଂହାରରେ ଲାଗିପଡ଼ିଛି। ମାମଲାର ବିଚାର କରି ଜଷ୍ଟିସ୍‌ ନବୀନ ଚାୱଲା କହିଥିଲେ, ଖବର ପ୍ରସାରଣରେ ସଂଯମତା ରହିବା ଜରୁରି। ଆଧିକାରିକ ସୂତ୍ରରୁ ଆସୁଥିବା ଖବର ବି ବ୍ୟକ୍ତିର ଚରିତ୍ର ସଂହାର କରିପାରେ। ସମସ୍ତ ନ୍ୟୁଜ୍‌ ଚ୍ୟାନେଲକୁ ବିବେକ ଓ ବୁଦ୍ଧିମାନତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି କୋର୍ଟ। ଏଥିସହ କେନ୍ଦ୍ର ସରକାର, ନ୍ୟୁଜ୍‌ ବ୍ରଡକାଷ୍ଟର୍ସ ଆସୋସିଏସନ୍‌ (ଏନ୍‌ବିଏ), ପ୍ରସାର ଭାରତୀ ଓ ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଆଦିକୁ ଗଣମାଧ୍ୟମ ପାଇଁ ଏକ ଅନ୍ତରୀଣ ନିର୍ଦ୍ଦେଶାବଳୀ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର