ଅଭିନେତ୍ରୀ ରାକୁଲ୍ ପ୍ରୀତ୍ ସିଂହଙ୍କ ମନ ଏବେ ଭାରି ଖୁସି। ତା’ର କାରଣ ହେଉଛି ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ତାଙ୍କର ଦ୍ୱିତୀୟ ହିନ୍ଦୀ ଫିଲ୍ମ ‘ଆୟାରି’ ତ ରିଲିଜ୍ ହେବାକୁ ଯାଉଛି, ତା’ ସହିତ ସେ ଅଜୟ ଦେବଗନ୍ଙ୍କ ସହିତ ଏକ ଫିଲ୍ମରେ ଅଭିନୟ କରିବାଲାଗି ମଧ୍ୟ ମନୋନୀତ ହୋଇଛନ୍ତି। ଶୀର୍ଷକ ଦିଆ ଯାଇ ନ ଥିବା ଏ ଫିଲ୍ମରେ ତବୁ ମଧ୍ୟ ଅଛନ୍ତି। ଫିଲ୍ମଟି ଏକ ରୋମାଣ୍ଟିକ୍ କମେଡି। ଏହା ସହିତ ବଲିଉଡ୍ରେ ନିଜର ପରିଚୟକୁ ଦୃଢ଼ କରିବାଲାଗି ରାକୁଲ୍ଙ୍କୁ ଏକ ଭଲ ସୁଯୋଗ ମିଳିି ଯାଇଛି।
ଡେଙ୍ଗୀ, ସୁନ୍ଦରୀ ଓ ନରମ କିନ୍ତୁ ଆତ୍ମବିଶ୍ୱାସୀ- ରାକୁଲ୍ଙ୍କୁ ଦେଖିଥିବା ସବୁଲୋକ ତାଙ୍କ ବିଷୟରେ ଏହି ମନ୍ତବ୍ୟ ଦିଅନ୍ତି। ଅଳ୍ପ ସମୟ ଭିତରେ ସେ ଦକ୍ଷିଣ ଭାରତୀୟ ଫିଲ୍ମ ଦୁନିଆରେ ନିଜର ଏକ ଭଲ ପରିଚୟ ସୃଷ୍ଟି କରି ସାରିଛନ୍ତି। ତାଙ୍କର ଅନେକ ଫିଲ୍ମ ସୁପର୍ହିଟ୍ ହୋଇଛି। ତାଙ୍କ ସୌନ୍ଦର୍ଯ୍ୟ ଓ ବ୍ୟକ୍ତିତ୍ୱ ଯେମିତି, ସେ ବଲିଉଡ୍ରେ ମଧ୍ୟ ଅନାୟାସରେ ସଫଳ ହେବେ ବୋଲି ସମସ୍ତେ ମାନନ୍ତି। ତେବେ ସେଥିପାଇଁ ତାଙ୍କୁ ଭଲ ସୁଯୋଗ ମିଳିବା ଦରକାର।
ଦିଲ୍ଲୀରେ ଜନ୍ମିତ ରାକୁଲ୍ ଜଣେ ସେନା ଅଫିସରଙ୍କ ଝିଅ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସେ ଗଣିତରେ ସ୍ନାତକ। ସେ ଜଣେ ଜାତୀୟ ସ୍ତରର ଗଲ୍ଫ୍ ଖେଳାଳି ମଧ୍ୟ। ପିଲାଟି ଦିନରୁ ଅଭିନେତ୍ରୀ ହେବାକୁ ସ୍ୱପ୍ନ ଦେଖି ଆସିଥିବା ରାକୁଲ୍ ୧୮ ବର୍ଷ ହେଇଥିବାବେଳେ କଲେଜରେ ପଢ଼ିବା ସମୟରେ ମଡେଲିଂ ଆରମ୍ଭ କରିଥିଲେ। ୨୦୦୯ରେ ଅଭିନେତ୍ରୀ ଭାବେ ସେ ସୁଯୋଗ ପାଇଥିଲେ କନ୍ନଡ଼ ଫିଲ୍ମ ‘ଗିଲ୍ଲି’ରେ। ୨୦୧୧ରେ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପଞ୍ଚମ ସ୍ଥାନରେ ରହିଥିଲେ ଯଦିଓ ସେଥର ସେ ଲୋକଙ୍କର ପ୍ରିୟତମ ପ୍ରତିଯୋଗୀ ଥିଲେ। ମୁକୁଟ ଜିଣି ନ ଥିଲେ ମଧ୍ୟ ସେ ପିପୁଲ୍ସ୍ ଚଏସ୍ ମିସ୍ ଇଣ୍ଡିଆଟାଇମ୍ସ୍ ଓ ମିସ୍ ଟ୍ୟାଲେଣ୍ଟେଡ୍ ସମେତ ସବୁଠୁ ସୁନ୍ଦର ମୁହଁ, ସବୁଠୁ ସୁନ୍ଦର ହସ ଓ ସବୁଠୁ ସୁନ୍ଦର ଆଖି ଭଳି ପାଞ୍ଚଟି ପପୁଲାର୍ ପୁରସ୍କାର ପାଇଥିଲେ। ତା’ପରେ ସେ ଅଭିନେତ୍ରୀ ଜୀବନ ବିଧିବଦ୍ଧ ଭାବେ ଆରମ୍ଭ କରିବାଲାଗି ନିଷ୍ପତ୍ତି ନେଇଥିଲେ। ୨୦୧୧ରେ ଆସିଥିଲା ତାଙ୍କର ପ୍ରଥମ ତେଲୁଗୁ ଫିଲ୍ମ ‘କେରାତମ୍’, ପରବର୍ଷ ଆସିଥିଲା ପ୍ରଥମ ତାମିଲ୍ ଫିଲ୍ମ ‘ଥାକ୍କା’। ୨୦୧୪ରେ ରାକୁଲ୍ ପାଇଥିଲେ ତାଙ୍କର ପ୍ରଥମ ହିନ୍ଦୀ ଫିଲ୍ମ ‘ୟାରିଆଁ’। ଦକ୍ଷିଣ ଭାରତରେ ସୁପର୍ହିଟ୍ ହୋଇଥିବା ତାଙ୍କର ଫିଲ୍ମଗୁଡ଼ିକ ଭିତରେ ଅଛି ‘ଭେଙ୍କଟାଦ୍ରୀ ଏକ୍ସପ୍ରେସ୍’, ‘କରେଣ୍ଟ୍ ଥିଗା’, ‘ଲୌକ୍ୟମ୍’, ‘କିକ୍’, ‘ବ୍ରୁସ୍ ଲି - ଦି ଫାଇଟର୍’, ‘ନାନାକୁ ପ୍ରେମାଥୋ’, ‘ସରାଇନୋଦୁ’, ‘ଧ୍ରୁବ’, ‘ରାରାନ୍ଦୋଇ ଭେଦୁକା ଚୁଧମ୍’, ଓ ‘ଥିରନ୍ ଅଧିଗାରମ ଓନ୍ଦ୍ରୁ’ ଆଦି। ଏସବୁ ଫିଲ୍ମ ଦକ୍ଷିଣ ଭାରତରେ, ବିଶେଷକରି ତେଲୁଗୁ ଫିଲ୍ମରେ ତାଙ୍କ ଜଣେ ଆଗଧାଡ଼ିର ଅଭିନେତ୍ରୀ ଭାବେ ସ୍ୱୀକୃତି ଦେଇଛି।
ରାକୁଲ୍ ଏବେ ହାଇଦ୍ରାବାଦରେ ରହୁଛନ୍ତି। ଆକର୍ଷଣୀୟ ଶରୀରର ଅଧିକାରିଣୀ ଏଇ ସୁନ୍ଦରୀ ଭାରି ସ୍ୱାସ୍ଥ୍ୟ ସଚେତନ। ସେ ତିନିଟି ଜିମ୍ନାସିୟମ୍ର ମାଲିକାଣୀ, ତା’ ଭିତରୁ ହାଇଦ୍ରାବାଦରେ ଅଛି ଦୁଇଟି ଓ ବିଶାଖାପାଟଣାରେ ଗୋଟିଏ।