ଟୁଇଟ୍ ଲାଗି ରାମଗୋପାଳ ବର୍ମାଙ୍କୁ ସମାଲୋଚନା

ଓଡ଼ିଶା ବିଷୟରେ ବୟାନ ପୂର୍ବରୁ ଭଲ ଭାବେ ପଢ଼

ଭୁବନେଶ୍ବର : ଓଡ଼ିଆ ଝିଅ ଅଙ୍କିତା ମହରଣାଙ୍କୁ ଅପ୍‌ସରା ନାମରେ ନାମିତ କରି ତାଙ୍କର ଅର୍ଧନଗ୍ନ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ବଲିଉଡ୍‌ର ଜଣାଶୁଣା ନିର୍ଦେଶକ ରାମଗୋପାଳ ବର୍ମାଙ୍କ ପାଇଁ ମହଙ୍ଗା ପଡ଼ିଛି। ଓଡ଼ିଶା ସମ୍ପର୍କରେ ଅଜ୍ଞତା ଓ ଅର୍ଧ ନଗ୍ନ ଫଟୋ ସେୟାର କରିବା ପରେ ଶ୍ରୀ ବର୍ମାଙ୍କୁ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଛି। ସୋସିଆଲ ମିଡିଆରେ କିଛି ଓଡ଼ିଆ ଯୁବକ ଯୁବତୀ ତାଙ୍କୁ ମୁର୍ଖ ଓ ନିର୍ଲଜ କହି ସମାଲୋଚନା କରିଛନ୍ତି।

ରାମଗୋପାଳ ବର୍ମାଙ୍କ ଟ୍ବିଟ୍‌ ଥିଲା ଏହିପରି; ଅପ୍‌ସରା ରାଣୀଙ୍କୁ ଭେଟିବା ପୂର୍ବରୁ ଏବଂ ୧୯୯୯ ମହାବାତ୍ୟା ପରଠୁ ମୁଁ ଓଡ଼ିଶା ବାବଦରେ ଶୁଣିନଥିଲି। ମାତ୍ର ତାଙ୍କୁ ଭେଟିବା ପରେ ମୁଁ ହୃଦୟଙ୍ଗମ କଲି ଯେ ଓଡ଼ିଶା ସବୁ ପ୍ରକାରର ଝଡ଼ ସୃଷ୍ଟି କରିପାରେ। ଓଡ଼ିଶାରେ ଯେ ଏମିତି ସୁନ୍ଦରୀ ଅଛନ୍ତି ତା’ର ରହସ୍ୟ ଉନ୍ମୋଚନ ହୋଇଛି… । ଓଡ଼ିଆ ଝିଅଙ୍କ ଅର୍ଧନଗ୍ନ ଫଟୋ ଟ୍ବିଟରରେ ଛାଡ଼ି ଗର୍ବରେ ଛାତି ଫୁଲାଇ ଏହା ଘୋଷଣା କରିବା ପରେ ଓଡ଼ିଶାବାସୀ ତାଙ୍କୁ କଟୂ ଭାଷାରେ ସମାଲୋଚନା କରିଛନ୍ତି।

ଓଡ଼ିଶା ପୁଲିସ୍‌ରେ ଥିବା ଆଇଜି (ଅପରେସନ) ଅମିତାଭ ଠାକୁର ଲେଖିଛନ୍ତି ତୁମର ଅନଭିଜ୍ଞତା ବାବଦରେ ଜାଣି ମୁଁ ବହୁତ ଦୁଃଖିତ। ଓଡ଼ିଶା ବହୁ ସକରାତ୍ମକ ଦିଗରୁ ଖବରରେ ରହି ଆସିଛି। ଓଡ଼ିଶା ବାବଦରେ ଏଭଳି ବୟାନ ପୂର୍ବରୁ ଅତି କମ୍‌ରେ କିଛି ପଢ଼ି ଦେଇଥିଲେ ଭଲ ହୋଇଥାଆନ୍ତା ବୋଲି ସେ ଉଲ୍ଲେଖ କରିଛନ୍ତି। ଅଭିନେତା ସମରେଶ ରାଉତରାୟ ଲେଖିଛନ୍ତି, ମୁଁ ଆପଣଙ୍କ ୧୯୯୮ର ଚଳଚ୍ଚିତ୍ର ‘ସତ୍ୟା’ ଦେଖିବା ପରେ ଆପଣଙ୍କର ପ୍ରଶଂସକ ହୋଇଯାଇଥିଲି। ମାତ୍ର ଆପଣଙ୍କର ଏହି କମେଣ୍ଟଗୁଡ଼ିକ ପଢ଼ିବା ପରେ ଜାଣୁଛି ଯେ ନିଜ ଦେଶ ବାବଦରେ ଆପଣଙ୍କର ଜ୍ଞାନ ବହୁତ କମ୍‌।

ରାମଗୋପାଳଙ୍କ ଆଉ ଏକ ଟ୍ବିଟ୍‌ ‌ବି ଓଡ଼ିଶାବାସୀଙ୍କ ଭିତରେ ଅସନ୍ତୋଷର ବହ୍ନି ଜାଳିଛି। ସେ ଲେଖିଛନ୍ତି, ଅପ୍‌ସରା ଓଡ଼ିଶାର ଝିଅ। ମୁଁ ସମ୍ପୂର୍ଣ୍ଣ ଓଡ଼ିଶାକୁ ଅନୁରୋଧ କରୁଛି ଯେ ଯଦି ଅପସରାଙ୍କଠାରୁ ଆଉ କାହାର ଶ୍ରେଷ୍ଠ ଫଟୋ ଅଛି ତେବେ ମତେ ପଠାଅ। ଏହାର ଉତ୍ତରରେ କିଛି ଯୁବକ ଯୁବତୀ ତାଙ୍କୁ ଟ୍ରୋଲ୍‌ କରିବା ସହ ଏହା ତାଙ୍କର ପାଗଳର ପ୍ରଳାପ ଓ ଶସ୍ତା ମାନସିକତା ବୋଲି ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ରାମଗୋପାଳଙ୍କ ଆଗାମୀ ଚଳଚ୍ଚିତ୍ର ‘ଥ୍ରିଲର୍‌’ରେ ମୁଖ୍ୟ ଭୂମିକାରେ ଓଡ଼ିଆ ଝିଅ ଅପ୍‌ସରା ରାଣୀ ଅଭିନୟ କରିବାକୁ ଯାଉଛନ୍ତି। ଟୁଇଟ୍‌ ଯୋଗେ ଶ୍ରୀ ବର୍ମା ଏହା ଘୋଷଣା କରିଛନ୍ତି। ଅଙ୍କିତାଙ୍କ ନାମ ପରିବର୍ତ୍ତନ କରି ଅପ୍‌ସରା ରଖିଛନ୍ତି ନିଜେ ରାମ ଗୋପାଳ। ଅପ୍‌ସରା ଡେରାଡୁନ୍‌ରେ ଜନ୍ମ ହୋଇଥିବା ବେଳେ ଏବେ ହାଇଦ୍ରାବାଦରେ ରହୁଛନ୍ତି। ପୂର୍ବରୁ ସେ ତେଲୁଗୁ ସିନେମା ଜଗତରେ ନିଜର ଅଭିନୟର ଝଲକ ଦେଖାଇ ସାରିଛନ୍ତି।

ରାମଗୋପାଳଙ୍କ ଟ୍ବିଟ୍‌ ପରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଜଣେ ଯୁବତୀ ତାଙ୍କୁ ପ୍ରଶ୍ନ କରିଛନ୍ତି, ତୁମେ ଓଡ଼ିଶାର ସମୃଦ୍ଧ ସଂସ୍କୃତି ବାବଦରେ କ’ଣ ଜାଣିଛ? ଜଣେ ଓଡ଼ିଆ ଝିଅର ଅର୍ଧନଗ୍ନ ଫଟୋ ସହ ଏହା ଆମ ରାଜ୍ୟର ପ୍ରତିଭା ବୋଲି କହି ତୁମେ ଓଡ଼ିଶାକୁ ଉପସ୍ଥାପନ କରୁଛ। ଏପରି କରି ଆପଣ ଓଡ଼ିଶାର ଏକ ଖରାପ ଚିତ୍ର ବିଶ୍ବ ମାନଚିତ୍ରରେ ରଖିଛନ୍ତି। କେତେ ମୁଢ଼ ଓ ନିର୍ଲଜ ଏହା ପ୍ରମାଣିତ କରିଦେଇଛନ୍ତି। ଶସ୍ତା ଚିନ୍ତା ପାଇଁ ଧିକ୍କାର କରୁଛି। ଆପଣ ଜାଣି ରଖନ୍ତୁ ଯେ ଓଡ଼ିଶାର କୋଣ ଅନୁକୋଣରେ ସମୃଦ୍ଧ ସଂସ୍କୃତି ରହିଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର, ଦୀପକ ମିଶ୍ର, ଭାରତୀୟ ହକି ଦଳର ପୂର୍ବତନ କ୍ୟାପ୍‌ଟେନ ଦିଲ୍ଲୀପ ତିର୍କୀ, ଆଥ୍‌ଲେଟ ଦୂତି ଚାନ୍ଦ, କେ.ରବି କୁମାର, ଚଳଚ୍ଚିତ୍ର ନିର୍ଦେଶକ ନୀଳମାଧବ ପଣ୍ଡା, ଅଭିନେତ୍ରୀ ନନ୍ଦିତା ଦାସ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ, ‘ଓୟୋ’ର ରିତେଶ ଅଗ୍ରୱାଲ, କଣ୍ଠଶିଳ୍ପୀ କ୍ରିଷ୍ଣା ବେଉରା, ସୋନା ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ, ଋତୁରାଜ ମହାନ୍ତି, ରାଜସ୍ମିତା କର ଯେ ଓଡ଼ିଶାର ପ୍ରତିଭା ଏହା ଆପଣ ଜାଣି ରଖିବା ଉଚିତ୍‌ ବୋଲି ସେ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର