ମୁମ୍ବାଇ: ଦକ୍ଷିଣ ଅଭିନେତା ପ୍ରଭାସ ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ'କୁ ନେଇ ବିବାଦ ଜାରି ରହିଛି। ନିର୍ମାତାଙ୍କୁ ଫିଲ୍ମର ଭିଏଫଏକ୍ସକୁ ନେଇ ଓ ସଂଳାପକୁ ନେଇ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି। ଏମିତି କି ଫିଲ୍ମରେ ଅଭିନୟ କରିଥିବା କଳାକାରଙ୍କ ଲୁକକୁ ନେଇ ମଧ୍ୟ ବିବାଦ ହୋଇଥିଲା। ବିବାଦ ବଢ଼ିବା ପରେ ନିର୍ମାତାମାନେ ଫିଲ୍ମର ସଂଳାପ ମଧ୍ୟ ବଦଳାଇଲେ। ହେଲେ ଏହା ଦର୍ଶକଙ୍କ ମନ କିଣିପାରିନାହିଁ। ଏମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସୁଛି।
'ଆଦିପୁରୁଷ' ବିବାଦରେ ଥିବା ବେଳେ ରାମାନନ୍ଦ ସାଗରଙ୍କ ରାମାୟଣ ପୁଣି ଥରେ ଟିଭିରେ ପ୍ରସାରଣ ହେବ ବୋଲି ଜଣାପଡ଼ିଛି। କରୋନା ସମୟରେ ଏହାର ପ୍ରସାରଣ କରାଯାଇଥିବା ବେଳେ 'ଆଦିପୁରୁଷ' ବିବାଦ ମଧ୍ୟରେ ପୁଣି ଥରେ ଏହାର ପ୍ରସାରଣ କରାଯିବ। କୁହାଯାଉଛି ଯେ, ଶେମାରୁ ଟିଭିରେ ଅରୁଣ ଗୋବିଲ ଏବଂ ଦୀପିକା ଚିଖଲିଆଙ୍କ ଅଭିନୀତ ରାମାୟଣ ପୁନଃ ପ୍ରସାରଣ ହେବ। ଜୁଲାଇ ୩ରୁ ସନ୍ଧ୍ୟା ୭.୩୦ରେ ରାମାୟଣ ପ୍ରସାରିତ ହେବ ବୋଲି ଜଣାପଡ଼ିଛି। ଶେମାରୁ ଟିଭି ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଥିବା ଦେଖାଯାଇଛି।
View this post on Instagram
ରାମାନନ୍ଦ ସାଗରଙ୍କ ଐତିହାସିକ ରାମାୟଣ ୧୯୮୭ରୁ ପ୍ରସାରିତ ହୋଇଥିଲା। ସେତେବେଳେ ରାମାୟଣ ବହୁତ ଲୋକପ୍ରିୟ ହେବା ସହ ଏହାକୁ ଦେଖିବା ପାଇଁ ରାସ୍ତାରେ ଭିଡ଼ ଜମୁଥିଲା। ଏହି ଶୋ’ରେ ଅରୁଣ ଗୋବିଲ ପ୍ରଭୁ ରାମ ଏବଂ ଦୀପିକା ଚିଖଲିଆ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିଲେ।