ମୁମ୍ବାଇ: ଫିଲ୍ମ 'ଆଦିପୁରୁଷ' ରିଲିଜ ହେବା ପରଠାରୁ ଏହା ବିବାଦରେ ଛନ୍ଦି ହୋଇଛି। ଚଳଚ୍ଚିତ୍ରର ସଂଳାପ, ଚରିତ୍ର ଏବଂ ଲୁକ୍ ସବୁକିଛିକୁ ନେଇ ଲୋକେ ଟ୍ରୋଲ କରୁଛନ୍ତି। ଫିଲ୍ମରେ ଥିବା ମାତା ଜାନକୀଙ୍କ ଲୁକକୁ ନେଇ ଅନେକ ପ୍ରକାରର ଆପତ୍ତି ମଧ୍ୟ ଉଠାଯାଉଛି। ଲୋକମାନେ କହୁଛନ୍ତି ଯେ ଏହି ଚଳଚ୍ଚିତ୍ର ସେମାନଙ୍କର ଧାର୍ମିକ ଭାବନାକୁ ଆଘାତ ଦେଇଛି। ତେବେ ଏଭଳି କୌଣସି ଚରିତ୍ରକୁ ପସନ୍ଦ ନକରାଯିବା ଘଟଣା ପ୍ରଥମ ନୁହେଁ। ଏହାପୂର୍ବରୁ ରାମାନନ୍ଦ ସାଗରଙ୍କ ରାମାୟଣରେ ମଧ୍ୟ ମାତା ସୀତାଙ୍କ ବ୍ଲାଉଜକୁ ନେଇ ଅନେକ ବିବାଦ ହୋଇଥିଲା। କେବଳ ଏତିକି ନୁହେଁ ବିବାଦ ପାଇଁ ରାମାୟଣର ପ୍ରସାରଣ ମଧ୍ୟ ଅଟକିଥିଲା।
ରାମାୟଣରେ ସୁନୀଲ ଲହରି ରାମାୟଣରେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଥିଲେ। ସେ ପ୍ରାୟତଃ ରାମାୟଣ ସହିତ ଜଡିତ ପୁରୁଣା କାହାଣୀକୁ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରନ୍ତି। ଏଥର ସେ ସାକ୍ଷାତକାରରେ ରାମାୟଣକୁ ନେଇ ହୋଇଥିବା ବିବାଦ ବିଷୟରେ କହିଛନ୍ତି।
ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ରାମାୟଣର ପ୍ରସାରଣ ପାଇଁ ସମ୍ମତି ପାଇବାକୁ ରାମାନନ୍ଦ ସାଗର ତିନିଟି ପାଇଲଟ ସୁଟ୍ କରିଥିଲେ। ଟେଲିଭିଜନରେ ରାମାୟଣ ପ୍ରସାରଣ କରିବା କଷ୍ଟସାଧ୍ୟ ହୋଇପଡ଼ିଥିବାରୁ ଏହି ସୁଟ୍ କରାଯାଇଥିଲା। ସମସ୍ତେ ଏହା ଉପରେ ନଜର ରଖିଥିଲେ। ଅନୁମୋଦନ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ସାମିଲ କରାଯାଇଥିଲା। ଯେତେବେଳେ ଏହି ତିନୋଟି ପାଇଲଟ ସୁଟ୍ ଦେଖାଗଲା, ସେମାନେ କିଛି ଜିନିଷ ବଦଳାଇବାକୁ କହିଥିଲେ। ସେଥିମଧ୍ୟରୁ ଗୋଟିଏ ଥିଲା ସୀତାଙ୍କ ବ୍ଲାଉଜ। ସେ କହିଥିଲେ ଯେ ମାତା ସୀତା ହାତ କଟା ବ୍ଲାଉଜ ପିନ୍ଧି ପାରିବେ ନାହିଁ। ମାତା ସୀତାଙ୍କ ବ୍ଲାଉଜକୁ ଦୂରଦର୍ଶନ ମଧ୍ୟ ବିରୋଧ କରିଥିଲେ ଏବଂ ସୋ’ର ପ୍ରସାରଣ କରିବାକୁ ମନା କରିଦେଇଥିଲେ। ଏହା ପରେ ରାମାନନ୍ଦ ସାଗର ପୁନର୍ବାର ସୀତାଙ୍କ ବ୍ଲାଉଜ ଡିଜାଇନ ବଦଳାଇଥିଲେ। ଏହି ସମସ୍ୟା ହେତୁ ରାମାୟଣର ପ୍ରସାରଣ ଦୁଇ ବର୍ଷ ପର୍ଯ୍ୟନ୍ତ ଅଟକି ରହିଥିଲା। ଏହା ପରେ ସମସ୍ତ ପରିବର୍ତ୍ତନ କରାଯାଇ ଏହାର ପ୍ରସାରଣ କରାଯାଇଥିଲା।