ପ୍ରତିଦିନ ରାମାୟଣ ପଢ଼ୁଥିଲୁ, କାରର ସିଟ୍ ପଛରେ ଲୁଚି ଶାଢ଼ି ପିନ୍ଧିବାକୁ ପଡ଼ୁଥିଲା; ସୁଟିଂ ସମୟର ସ୍ମୃତି ବଖାଣିଲେ ଦୀପିକା

ମୁମ୍ବାଇ: ଜୁନ୍ ୧୬ରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଆଦିପୁରୁଷ’। ଏହି ଫିଲ୍ମର ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଏହା ଲୋକଙ୍କ ମନ କିଣିପାରିନାହିଁ। ରାମାନନ୍ଦ ସାଗରଙ୍କ ରାମାୟଣ ସହ ‘ଆଦିପୁରୁଷ’ର ତୁଳନା କରାଯାଉଥିବା ବେଳେ ‘ଆଦିପୁରୁଷ’ର ପ୍ରତିଟି ଚରିତ୍ରକୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ତେବେ ଅଧିକ ବଜେଟ ନଥାଇ ବି କିଭଳି ରାମାୟଣର କଳାକାର ସୁଟିଂ କରୁଥିଲେ, ତାହା ସେୟାର କରିଛନ୍ତି ମାତା ସୀତାଙ୍କ ଭୂମିକାରେ ନଜର ଆସିଥିବା ଦୀପିକା ଚିଖିଲିଆ।

ଜାତୀୟ ଗଣମାଧ୍ୟମ ଆଜ୍ ତକକୁ ସାକ୍ଷାତକାର ଦେଇ ଦୀପିକା କହିଛନ୍ତି, ମାତା ସୀତାଙ୍କ ଭୂମିକାକୁ ଜୀବନ୍ତ କରିବା କରିବା ପାଇଁ ମୋତେ ସବୁଦିନ ରାମାୟଣ ପଢ଼ିବାକୁ କୁହାଯାଇଥିଲା। ସେଟରେ ସବୁ କଳାକାର ରାମାୟଣ ପଢ଼ୁଥିଲେ। ରାମାନନ୍ଦଜୀ ସ୍କେଚ୍ କରି ମାତା ସୀତା ପରଦାରେ କିଭଳି ଦେଖାଯିବା ଜରୁରୀ, ତାହା ଦେଖାଉଥିଲେ। ସେ ସମୟରେ ଭ୍ୟାନିଟି ଭ୍ୟାନ ନଥିବାରୁ ଆମକୁ ବାହାରେ ଶୌଚ ହେବାକୁ ପଡ଼ୁଥିଲା। ବାହାରେ ସୁଟିଂ ଥିଲେ ଆମେ ପାଖ ଗାଁର ଲୋକଙ୍କୁ ଅନୁରୋଧ କରି ସେମାନଙ୍କ ଶୌଚାଳୟ ବ୍ୟବହାର କରୁଥିଲୁ। ଏଭଳି ସମୟ ମଧ୍ୟ ଥିଲା, ଯେତେବେଳେ ମୁଁ କାରର ସିଟ ପଛରେ ଲୁଚି ଶାଢ଼ି ପିନ୍ଧିଛି। ସେ ସମୟରେ ସୁଟିଂ କରିବା ସହଜ ନଥିଲା। ହେଲେ ଦର୍ଶକଙ୍କ ଭଲପାଇବା ଆମର ସବୁ କଷ୍ଟକୁ ଦୂର କରିଥିଲା। ବଜେଟ କମ ଥାଇ ବି ଆମେ ସମସ୍ତେ ରାମାୟଣକୁ ସଫଳ କରିଥିଲୁ।

ଦୂରଦର୍ଶନରେ ପ୍ରସାରିତ ହେଉଥିବା ରାମାୟଣ ଖୁବ୍ ଲୋକପ୍ରିୟ ଥିଲା। ଲୋକେ ଘରେଘରେ ଟିଭି ଖୋଲି ରାମାୟଣ ଦେଖିବାକୁ ନିଜର ଜୀବନଧାରାରେ ସାମିଲ୍ କରିଥିଲେ।

ସମ୍ବନ୍ଧିତ ଖବର