ମନ୍ଦିର ପରିସରରେ କ୍ରିତିଙ୍କୁ ନିର୍ଦ୍ଦେଶକ ଚୁମ୍ବନ ଦେବା ଘଟଣାକୁ ନେଇ ମୁହଁ ଖୋଲିଲେ ଦୀପିକା

ମୁମ୍ବାଇ: ନିର୍ଦ୍ଦେଶକ ଓମ ରାଉତଙ୍କ ପୌରାଣିକ ଚଳଚ୍ଚିତ୍ର ‘ଆଦିପୁରୁଷ’ ଏବେ ଚର୍ଚ୍ଚାରେ ରହିଛି। ସୁପରଷ୍ଟାର ପ୍ରଭାସ, କ୍ରିତି ସାନନ ଏବଂ ସୈଫ ଅଲି ଖାନଙ୍କ ଅଭିନୀତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରର ମୁକ୍ତିଲାଭ ପାଇଁ ଦର୍ଶକ ଦିନ ଗଣିବା ଆରମ୍ଭ କରି ଦେଇଛନ୍ତି।

ଏହି କ୍ରମରେ ଦେଖିବାକୁ ଗଲେ ଆଦିପୁରୁଷର ଟିଜର ରିଲିଜ୍ ପରଠାରୁ ବିଭିନ୍ନ କାରଣ ପାଇଁ ବିବାଦରେ ରହି ଆସିଛି । ପୂର୍ବରୁ ଫିଲ୍ମରେ ଥିବା କଳାକାରଙ୍କ ଲୁକକୁ ନେଇ ବିବାଦ ହୋଇଥିବା ବେଳେ ଏବେ ନିର୍ଦ୍ଦେଶକ ଓମ୍ ରାଉତଙ୍କ ଏକ ଭିଡିଓକୁ ନେଇ ବିବାଦ ଆରମ୍ଭ ହୋଇଛି। ମନ୍ଦିରରେ ଅଭିନେତ୍ରୀ କ୍ରିତି ସାନନଙ୍କୁ ଚୁମ୍ବନ ଦେଇ ଓମ୍ ବିବାଦୀୟ ‌ହୋଇପଡ଼ିଛନ୍ତି।

ସୂଚନା ମୁତାବକ, ତିରୁପତିରେ ଆଦିପୁରୁଷର ରିଲିଜ୍ ପୂର୍ବ ଇଭେଣ୍ଟ ଅନୁଷ୍ଠିତ ହୋଇଥିଲା। ଇଭେଣ୍ଟ ପୂର୍ବରୁ ଫିଲ୍ମର ପୂରା ଟିମ୍ ତିରୁମାଲାସ୍ଥିତ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପରିଦର୍ଶନ କରିଥିଲେ।

ଏହି ସମୟରେ ମନ୍ଦିର ପରିସରରେ ଓମ୍ ରାଉତ୍ କ୍ରିତିଙ୍କ ଗାଲକୁ ଚୁମ୍ବନ ଦେଇ ତାଙ୍କୁ ଆଲିଙ୍ଗନ କରିଥିଲେ। ସେ ଏଭଳି କରୁଥିବାର ଭିଡିଓ ଭାଇରାଲ ହେବା ପରେ ଏବେ ଲୋକେ ଏହାକୁ ପସନ୍ଦ କରୁ ନଥିବା ଦେଖାଯାଇଛି। ଏହା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଛି ବୋଲି କ୍ରିତ୍ରିଙ୍କୁ ନେଇ ଟ୍ରୋଲ କରାଯାଉଛି।

ଏହି ପ୍ରସଙ୍ଗରେ ପ୍ରଥମେ ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖାଲିୟା ମୁହଁ ଖୋଲିଛନ୍ତି। ସେ ଏହି ଘଟଣାକୁ ନିନ୍ଦା କରିବା ସହିତ ନିଜର ମତ ରଖି କହିଛନ୍ତି, ‘ଆଜିକାଲିର କଳାକାରମାନେ ଚରିତ୍ରକୁ ସଠିକ ଭାବେ ବୁଝୁ ନାହାନ୍ତି। ସେମାନଙ୍କ ପାଇଁ ରାମାୟଣ ଏକ ସିନେମା। ସେମାନେ କଦାପି ରାମାୟଣର ପବିତ୍ରତାକୁ ପରଖି ନାହାନ୍ତି।

କ୍ରିତି ବର୍ତ୍ତମାନ ପିଢ଼ିର ଅଭିନେତ୍ରୀ। ଆଜିକା ସମୟରେ କାହାକୁ ଚୁମ୍ବନ କି ଆଲିଙ୍ଗନ କରିବା ଘଟଣାକୁ ଏକ ସ୍ନେହର ପ୍ରତୀକ ବୋଲି ଧରାଯାଉଛି। କ୍ରିତି କେ‌ବେ ବି ନିଜକୁ ସୀତା ମ‌ା’ ଭଳି ପବିତ୍ର ଚରିତ୍ରରେ ଅଭିନୟ କରିଛନ୍ତି ବୋଲି  ଭାବି ନାହାନ୍ତି।  ଯଦି ଭାବି ଥାଆନ୍ତେ ଏଭଳି ପରିସ୍ଥିତିରୁ ସେ ନିଜକୁ ନିବୃତ୍ତ ରଖି ଥାଆନ୍ତେ। କାରଣ ସୀତା ମା’ଙ୍କ ଭୂମିକାରେ ଅଭିନୟ କରିବା ବହୁତ କଷ୍ଟ । ଯାହାକି ମୁଁ ଅନୁଭବ କରିଛି। କିନ୍ତୁ ଆଜିକାଲିର ଅଭିନେତ୍ରୀମାନେ ଏହାକୁ ଏକ ଚରିତ୍ର ଭାବେ ଅଭିନୟ କରି ଦେଉଛନ୍ତି। ପ୍ରୋଜେକ୍ଟ ଶେଷ ହୋଇଯିବା ପରେ ସେମାନେ ଯେଉଁ ଚରିତ୍ରରେ ଅଭିନୟ କରିଥିଲେ ତାହାକୁ ଭୁଲି ଯାଇ ଥାଆନ୍ତି।

ଆମର ସମୟ କଥା କହିବାକୁ ଗଲେ ମୁଁ ଯେତେବେଳେ ସୀତାଙ୍କ ଭୂମିକାରେ ଅଭିନୟ କରୁଥିଲି ‌ସେଟରେ କେହି ମୋର ନାମ ଧରି ଡାକନ୍ତି ନାହିଁ। ଅନେକ ଲୋକ ସେଟରେ ଆସି ପାଦସ୍ପର୍ଶ କରିଥାଆନ୍ତି। ସୀତା ଭୂମିକାରେ ଥିବା ବ‌େଳେ ଆଲିଙ୍ଗନ ତ ଦୂରର କଥା ଚୁମ୍ବନ କଥା ତ ଚିନ୍ତା କରିବା ସ୍ବପ୍ନ। ଆଦିପୁରୁଷ ରିଲିଜ ପରେ ବୋଧେ ହୁଏ ସମସ୍ତ କଳାକାର ନିଜ ଭୂମିକାକୁ ଭୁଲି ଅନ୍ୟ ପ୍ରୋଜେକ୍ଟରେ ବ୍ୟସ୍ତ ହୋଇଯିବେ କିନ୍ତୁ ମୋ ସହିତ ଏମିତି ଘଟଣା କେବେ ଘଟିନାହିଁ କି ମଲା ଯାଏଁ ଘଟିବ ନାହିଁ।’

 

 

ସମ୍ବନ୍ଧିତ ଖବର