ମୁମ୍ବାଇ : ହଠାତ୍ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଆମେରିକା ଯାଇ ନିଜର ଚିକିତ୍ସା କରାଉଛନ୍ତି ଅଭିନେତା ଋଷି କପୁର । ତାଙ୍କୁ ସାହାରା ଦେବା ପାଇଁ ସେଠାରେ ତାଙ୍କ ପରିବାର ଉପସ୍ଥିତ ଥିବା ବେଳେ ଅନେକ କଳାକାର ମଧ୍ୟ ତାଙ୍କୁ ଯାଇ ସେଠାରେ ଭେଟିଥିବାର ଦେଖାଯାଇଥିଲା । କିଛି ଦିନ ହେବ ଅଭିନେତା ରଣବୀର କପୁର ଆମେରିକା ଯାଇ ନିଜ ବାପାଙ୍କ ସହ ସମୟ ବିତାଉଥିବା ବେଳେ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ସେ ଅଧିକ ଯତ୍ନବାନ ହୋଇ ଯାଇଥିବା ଜଣାପଡ଼ିଛି ।
ଏ ମଧ୍ୟରେ ଅଭିନେତ୍ରୀ ତଥା ରଣବୀରଙ୍କ ମା’ ନୀତୁ କପୁର ରଣବୀର ଏବଂ ଋଷି କପୁରଙ୍କ ଏକ ଫଟୋ ଇନ୍ଷ୍ଟାରେ ପୋଷ୍ଟ କରିଥିବା ବେଳେ ଭାବବିହ୍ଵଳ କଲା ଭଳି କ୍ୟାପ୍ସନ୍ ରଖିଥିଲେ । ଫଟୋରେ ଋଷି କପୁର ରଣବୀର କପୁରଙ୍କ କାନ୍ଧରେ ହାତ ରଖି ଚାଲୁଥିବାର ଦେଖାଯାଇଥିବା ବେଳେ କ୍ୟାପ୍ସନ୍ରେ ନୀତୁ, ‘ଯେତେବେଳେ ଭୂମିକା ବଦଳିଯାଏ,ଏହା ହିଁ ଜୀବନ’ ବୋଲି ଲେଖିଥିଲେ । ନୀତୁ କପୁର ପୋଷ୍ଟ କରିଥିବା ଏହି ଫଟୋଟି ଇନ୍ଷ୍ଟାରେ ସମସ୍ତଙ୍କୁ ଭାବବିହ୍ଵଳ କରିଥିବା ଦେଖାଯାଇଛି ।