ବେଆଇନ ଷ୍ଟ୍ରିମିଂ ହୋଇପାରିବନି ରଣବୀର ଓ ଆଲିଆ ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ: ରିଲିଜ ପୂର୍ବରୁ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ବ୍ରହ୍ମାସ୍ତ୍ର ଅନେକ ବିବାଦ ଭିତରେ ଛନ୍ଦି ହୋଇପଡ଼ିଛି । କେତେବେଳେ ବ୍ରହ୍ମାସ୍ତ୍ର ବିରୋଧରେ ବୟକଟ ଟ୍ରେଣ୍ଡ ଚାଲିଛି ତ? କେତେବେଳେ ଫିଲ୍ମର ଅଭିନେତା ରଣବୀର କପୁରଙ୍କୁ ଟ୍ରୋଲ କରାଯାଉଛି। ବର୍ତ୍ତମାନ ବ୍ରହ୍ମାସ୍ତ୍ର ସହ ଜଡିତ ଆଉ ଏକ ନୂଆ ବିବାଦରୁ ଫିଲ୍ମ ନିର୍ମାତା ଆଶ୍ବସ୍ତି ପାଇଛନ୍ତି। ଆସନ୍ତୁ ଜାଣିବା କଣ ରହିଛି ପୂରା ଘଟଣା ।

ବ୍ରହ୍ମାସ୍ତ୍ରର ବେଆଇନ ଷ୍ଟ୍ରିମିଂ ଉପରେ ଫିଲ୍ମ ନିର୍ମାତାଙ୍କୁ ଆଶ୍ବସ୍ତି ମିଳିଛି। ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ୧୮ ୱେବସାଇଟରେ ଫିଲ୍ମର ଷ୍ଟ୍ରିମିଂ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ବେଆଇନ ଭାବେ ଚଳଚ୍ଚିତ୍ର ଅପଲୋଡ୍ କରୁଥିବା ୱେବସାଇଟରୁ ଯେକୌଣସି ପ୍ରକାରେ ଚଳଚ୍ଚିତ୍ର ଦେଖିବା, ଡାଉନଲୋଡ୍ କରିବା, ହୋଷ୍ଟିଂ, ଷ୍ଟ୍ରିମିଂ, ରିବ୍ରୋଡକାଷ୍ଟିଂ, ସ୍କ୍ରିନିଂ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ ଲଗାଇଛନ୍ତି । ଦିଲ୍ଲୀ ହାଇକୋର୍ଟ ୧୮ଟି ୱେବସାଇଟକୁ ବ୍ଲକ କରିବାକୁ ବିଜ୍ଞପ୍ତି ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି।

ସମସ୍ତେ ଜାଣନ୍ତି ଯେ କୌଣସି ନୂଆ ଚଳଚ୍ଚିତ୍ର ରିଲିଜ ହେବା ପରେ ଏହା ଅନେକ ବେଆଇନ ୱେବସାଇଟରେ ଲିକ୍ ହୋଇଯାଇଥାଏ । ବ୍ରହ୍ମାସ୍ତ୍ର ମଧ୍ୟ ୨୦୨୨ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର । ଏହାର ବେଆଇନ ଷ୍ଟ୍ରିମିଂ ବନ୍ଦ କରିବାକୁ ଚଳଚ୍ଚିତ୍ର ନିର୍ମାତା ଏକ ଆବେଦନ କରିଥିଲେ। ଯାହା ଉପରେ କୋର୍ଟଙ୍କ ନିଷ୍ପତ୍ତି ବର୍ତ୍ତମାନ ଆସିସାରିଛି। ବର୍ତ୍ତମାନ ଆଶା କରାଯାଉଛି ଯେ ରିଲିଜ ପୂର୍ବରୁ କିମ୍ବା ପରେ ଫିଲ୍ମଟି ଲିକ୍ ହେବ ନାହିଁ। ଚଳଚ୍ଚିତ୍ର ପ୍ରେମୀମାନେ ଚଳଚ୍ଚିତ୍ରଟିକୁ ସିଧାସଳଖ ପ୍ରେକ୍ଷାଳୟରେ ଦେଖିବେ । ନିର୍ମାତାମାନେ ଚଳଚ୍ଚିତ୍ରରେ ଭିଏଫଏକ୍ସରେ ବହୁ ପରିମାଣର ଖର୍ଚ୍ଚ କରିଛନ୍ତି । ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଏହି ଚଳଚ୍ଚିତ୍ରର ବଜେଟ୍ ହେଉଛି ୪୦୦ କୋଟି ।

ଏହି ସିନେମା ସେଟରେ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ବ୍ରହ୍ମାସ୍ତ୍ରରୁ ଆରମ୍ଭ ହୋଇଥିବା ଉଭୟଙ୍କ ପ୍ରେମ ବର୍ତ୍ତମାନ ବିବାହ ବିବାହ ବନ୍ଧନ ମଧ୍ୟରେ ପହଞ୍ଚିଛି। ଖୁବ ଶୀଘ୍ର ଆଲିଆ ଓ ରଣବୀର ପିତାମାତା ହେବାକୁ ଯାଉଛନ୍ତି । ଆଗକୁ ଦେଖିବାକୁ ବାକି ରହିଲା ଫିଲ୍ମଟି ବକ୍ସ ଅଫିସରେ କିପରି ପ୍ରଦର୍ଶନ କରୁଛି ।

ସମ୍ବନ୍ଧିତ ଖବର