ମୁମ୍ବାଇ: ସେପ୍ଟେମ୍ବର ୯ରେ ରିଲିଜ୍ ହୋଇଥିଲା ବିଗ୍ ବଜେଟ ଫିଲ୍ମ 'ବ୍ରହ୍ମାସ୍ତ୍ର'। ଏହି ଫିଲ୍ମ ରିଲିଜ୍ ପୂର୍ବରୁ ବଲିଉଡର ଅନେକ ବଡ଼ ବଡ଼ ବଜେଟରେ ତିଆରି ହୋଇଥିବା ଫିଲ୍ମ ଫ୍ଲପ ହୋଇଥିବାରୁ ଏହି ଫିଲ୍ମଟି କିଭଳି ବ୍ୟବସାୟ କରିବ, ତାହା ଉପରେ ସମସ୍ତଙ୍କର ନଜର ଥିଲା। ତେବେ ରିଲିଜ୍ ପରେ ଫିଲ୍ମଟି ଭଲ ବ୍ୟବସାୟ କରୁଥିବା ବେଳେ ବିଶ୍ବସ୍ତରରେ ୩୦୦କୋଟି ଆୟ କରିସାରିଲାଣି।
ଫିଲ୍ମର ସଫଳତା ପରେ ଅଭିନେତା ରଣବୀର କପୁର ନିଜ ବାପା ତଥା ଦିବଂଗତ ଅଭିନେତା ଋଷି କପୁରଙ୍କୁ ମନେ ପକାଇଛନ୍ତି। ରଣବୀର କହିଛନ୍ତି ଯେ, ସେ ବହୁତ କଠୋର ଥିଲେ। ମୋର ମନେ ଅଛି, ଯେତେବେଳେ ସେ ମୋ ଫିଲ୍ମ 'ବର୍ଫି' ରିଲିଜ୍ ହେବା ପରେ ମୋତେ ଫୋନ କରିଥିଲେ। ତାଙ୍କର ଫୋନ ଆସିବା ଦେଖି ମୁଁ ଡରିଯାଇଥିଲି। ରିସିଭ କରିବା ପରେ ସେ ମୋତେ କହିଥିଲେ, ହଁ ତୁମେ ଭଲ ଅଭିନୟ କରିପାରୁଛ। କିନ୍ତୁ ପରବର୍ତ୍ତୀ ସମୟରେ କଳାତ୍ମକ ଫିଲ୍ମ କରିବ ନାହିଁ। ସେ ଜାଣିଥିଲେ ଯେ ଦର୍ଶକ ହେଉଛନ୍ତି ରାଜା ଏବଂ ବକ୍ସ ଅଫିସଠାରୁ ବଡ଼ ଆଉ କେହି ନୁହନ୍ତି| ମୁଁ ଭାବୁଛି ସେ ଆଜି ଆମ ସହ ଥିଲେ 'ବ୍ରହ୍ମାସ୍ତ୍ର'ର ଆୟ ଦେଖି ବହୁତ ଖୁସି ହୋଇଥାନ୍ତେ।
ଅନ୍ୟପକ୍ଷରେ ବଏକଟ ଟ୍ରେଣ୍ଡକୁ ନେଇ ନିର୍ଦ୍ଦେଶକ ଅୟାନ ମୁଖାର୍ଜୀ କହିଥିଲେ ଯେ, ଆମେ ସକାରାତ୍ମକ ହୋଇ ଫିଲ୍ମଟିକୁ ରିଲିଜ୍ କରିଥିଲୁ। ମୋର ଭାବନା ହେଉଛି କିଛି ବି କ୍ଷେତ୍ରରେ ସଫଳତା ପାଇବାକୁ ହେଲେ ଆମେ ନକରାତ୍ମକ କଥାରୁ ନିଜକୁ ଦୂରେଇ ରଖି ନିଜ ପଥ ଉପରେ ଧ୍ୟାନ ଦେବା ଉଚିତ। ଭିଏଫ୍ଏକ୍ସରୁ ନେଇ ଅନ୍ୟାନ୍ୟ ଟେକ୍ନିକାଲ୍ କାମ ପର୍ଯ୍ୟନ୍ତ ଅନେକ କିଛି କରିବାକୁ ଥିଲା। ସେସବୁକୁ ଆମେ ଠିକ୍ ଭାବେ କରିଲୁ। ଆମେ ଏତେ ବ୍ୟସ୍ତ ରହୁଥିଲୁ ଯେ ଫିଲ୍ମ ରିଲିଜ୍ ପୂର୍ବରୁ ଆମେ ସାକ୍ଷାତ୍କାର ପାଇଁ ବି ସମୟ ପାଉନଥିଲୁ। ରିଲିଜ୍ ପୂର୍ବରୁ ସମସ୍ତ ପ୍ରମୋସ୍ନାଲ୍ ତାରିଖଗୁଡ଼ିକରେ ରଣବୀର ଓ ଆଲିଆ ଆସୁଥିଲେ। ସେମାନେ ବସି ଏଡିଟିଂ ଓ ଭିଏଫ୍ଏକ୍ସ ଆଦି ଦେଖୁଥିଲେ। ଚଳଚ୍ଚିତ୍ରରେ ଆମେ ଖୁବ୍ ସଂପୃକ୍ତ ଥିଲୁ। ଆମେ ଆମ କାମକୁ ନେଇ ହିଁ ଗମ୍ଭୀର ଥିଲୁ।’