କୋଭିଡ୍ ସଂକ୍ରମଣ ଏବଂ ଏଥିଜନିତ ଜାରି ହେଇଥିବା କଟକଣା ପ୍ରବାସୀ ଓଡ଼ିଆଙ୍କୁ ବହୁତ କଷ୍ଟ ଦେଇଥିଲା। ଏହି ସମୟରେ ସ୍କୁୁଲ କଲେଜ ଏବଂ ବିଭିନ୍ନ ଅନୁଷ୍ଠାନ ଓ ପ୍ରତିଷ୍ଠାନ ମଧ୍ୟ ବନ୍ଦ ଥିଲା। ଶିକ୍ଷକ ରଂଜିତ କୁମାର ସାହୁଙ୍କ ମନରେ ଥିବା ସ୍ୱପ୍ନ ଏତିକିବେଳେ ସାକାର ହେଲା। ସେ ଏହି ଅଭାବନୀୟ ପରିସ୍ଥିତିକୁ ନେଇ ଏକ କାହାଣୀ ଲେଖିଲେ। ଏହି କାହାଣୀକୁ ନେଇ ଏକ ଚଳଚ୍ଚିତ୍ର ତିଆରି ହେଲା। ଏହାର ଶୀର୍ଷକ ହେଉଛି ‘ଲଗାମ’। ଏଥିରେ ପ୍ରମୁଖ ଭୂମିକାରେ ଅଛନ୍ତି ଅମ୍ଳାନ ଓ ତମନ୍ନା। ‘ଲଗାମ’ ସିନେମାଟି ୨୦୨୨ ନୂଆ ବର୍ଷରେ ମୁକ୍ତିଲାଭ କରିବ।
ରଂଜିତଙ୍କ ପେସା ହେଉଛି ଶିକ୍ଷକତା ଏବଂ ନିଶା ହେଉଛି ସିନେମା ଲେଖିବା। ଓଡ଼ିଶାର ମାଟି, ପାଣି, ପବନ ଓ କଳା, ସଂସ୍କୃତିକୁ ଭଲ ପାଉଥିବା ହେଲେ ରଂଜିତ କୁମାର ସାହୁ, ଯିଏ ଏକାଧାରରେ ଜଣେ କାହାଣୀକାର ଏବଂ ସଂଳାପକାର। ରଂଜିତଙ୍କ ଜନ୍ମ କଟକ ଜିଲ୍ଲା ନରସିଂହପୁର ବ୍ଲକ କାମଳାଡିହ ଗ୍ରାମରେ। ପିତା ସନାତନ ସାହୁ ଓ ମାତା ବାସନ୍ତୀ ସାହୁଙ୍କ ଏକ ମାତ୍ର ପୁତ୍ର ସେ। କଲେଜରେ ପଢ଼ିବାବେଳେ ଲେଖାଲେଖି ପ୍ରତି ଦୁର୍ବଳତା ଥିଲା, ଯାହା ତାଙ୍କୁ ଲେଖକରେ ପରିଣତ କରିଦେଲା। ସେ ଯାହା ସ୍ୱପ୍ନ ଦେଖନ୍ତି ତାକୁ ସଫଳ କରିବା ପାଇଁ ସଦା ସର୍ବଦା ଚେଷ୍ଟା କରିଥାନ୍ତି। ଆଗକୁ ସେ ବଲିଉଡ୍ ଯାଇ ଲୋକମାନଙ୍କୁ ଭଲ ହିନ୍ଦୀ ସିନେମା ଭେଟି ଦେବାକୁ ସ୍ବପ୍ନ ରଖିଛନ୍ତି।